ଟ୍ରାଫିକ୍ ପଛରେ ପୁଲିସ, ଏଣେ ଘର ବୁଡ଼ି ପାଣି ଆଣ୍ଠୁଏ : ୮୧% ଡକାୟତି, ୨୨% ଦୁଷ୍କର୍ମ ବଢ଼ିଛି

ଭୁବନେଶ୍ୱର: ଭୁବନେଶ୍ବରରେ ଟ୍ରାଫିକ୍‌ ଶୃଙ୍ଖଳିତ କରିବା ପାଇଁ କମିସନରେଟ୍‌ ପୁଲିସ ଯଥା ସମ୍ଭବ ଉଦ୍ୟମ କରୁଛି। ରାସ୍ତା କଡ଼ରେ ବେଆଇନ ପାର୍କିଂ ହେଉ ବା ଲେନ୍‌ ଡ୍ରାଇଭିଂ, ରଙ୍ଗ୍‌ରୁଟ୍‌ରେ ଗଲେ ଚକାରେ କଣ୍ଟା ଫୁଟି ଯିବା ବ୍ୟବସ୍ଥା ହେଉ ବା ଡ୍ରୋନ୍‌ ଯୋଗେ ଅମାନିଆ ଚାଳକଙ୍କୁ ଧରିବା ହେଉ; ଏ ସମସ୍ତ ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ରାଜ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହାକୁ ବିଭିନ୍ନ ମହଲରୁ ସ୍ବାଗତ ମଧ୍ୟ କରାଯାଇଛି। ଏ ସମସ୍ତ ବ୍ୟବସ୍ଥାରେ ପୁଲିସ କେତେଦୂର ସଫଳ ହୋଇଛି ତାହା ତ’ ଭିନ୍ନ କଥା, ହେଲେ ଏଣେ କିନ୍ତୁ ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି। ୨୦୧୮ ତୁଳନାରେ ୨୦୧୯ରେ ଡକାୟତି ୮୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦୁଷ୍କର୍ମ ୨୨ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଚୋରି ମଧ୍ୟ ୨୨ ପ୍ରତିଶତ, ଅଶ୍ଳୀଳ ଇଙ୍ଗିତ ୫୭ ପ୍ରତିଶତ, ଅପହରଣ ୭ ପ୍ରତିଶତ, ମହିଳାଙ୍କ ଉପରେ ନିର୍ଯାତନା ୪୦ ପ୍ରତିଶତ ବଢ଼ିଛି। ଯାହାକୁ ନେଇ ସ୍ମାର୍ଟ ସିଟି ବାସିନ୍ଦା ଆତଙ୍କିତ ହୋଇଛନ୍ତି।

ଭୁବନେଶ୍ବରରେ ଲୋକେ ଘରେ ଶୋଇଥିବା ବେଳେ ଘରୁ ଚୋରି ହୋଇଯାଉଛି। ସନ୍ଧ୍ୟାରେ ଘର ଭିତରେ ପଶି ଭୁଜାଲି ଦେଖାଇ କଳାକନା ବୁଲାଇ ଦେଉଛନ୍ତି ଡକାୟତ। ୨୦୧୮ ମସିହାରେ ଭୁବନେଶ୍ବର କମିସନରେଟ୍‌ ଅଞ୍ଚଳରେ ରହିଥିବା ୨୧ ଥାନାରେ ୧୫୫୫ଟି ଚୋରି ମାମଲା ରୁଜୁ ହୋଇଥିଲା। ଅର୍ଥାତ୍‌ ମାସକୁ ହାରାହାରି ୧୨୯ଟି ଚୋରି ହେଉଥିଲା। ୨୦୧୯ ମସିହାରେ ୧୯୦୫ଟି ମାମଲା ରୁଜୁ ହୋଇଛି। ଅର୍ଥାତ୍‌ ମାସକୁ ୧୫୮ଟି ଚୋରି ହୋଇଛି। ଯାହା ଅତି ଭୟଙ୍କର ସ୍ଥିତିକୁ ସୂଚାଉଛି। ଅନ୍ୟପଟେ ଚୋରି ଉପଯୁକ୍ତ ଅନୁସନ୍ଧାନ ହାର ମାତ୍ର ୨୦ ପ୍ରତିଶତ ରହିଛି। ଅର୍ଥାତ୍‌ ୮୦ ପ୍ରତିଶତ ମାମଲାରେ ଚୋର ଧରା ପଡ଼ୁନାହିଁ କିମ୍ବା ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରୁନାହିଁ। ଯାହାକୁ ନେଇ ଗତ ଅପରାଧ ସମୀକ୍ଷା ବୈଠକରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ତଦନ୍ତକାରୀ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ୨୦୧୮ ମସିହାରେ ଭୁବନେଶ୍ବରରେ ୨୭ଟି ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ମସିହାରେ ଏହା ବୃଦ୍ଧି ପାଇ ୪୯ରେ ପହଞ୍ଚିଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ୮୧ ପ୍ରତିଶତ ଡକାୟତି ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ ମଧ୍ୟ କମିସନରେଟ୍‌ ପୁଲିସର ଉପଯୁକ୍ତ ଅନୁସନ୍ଧାନ ମାତ୍ରା ଅତି ନଗଣ୍ୟ ରହିଛି। ଫଳରେ ଡକାୟତ ଉତ୍ସାହିତ ହୋଇଥିବା ବେଳେ ସାଧାରଣ ଜନତା ଅସୁରକ୍ଷିତ ମଣିଛନ୍ତି।

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକର ଦାସଙ୍କ ପରିବାରବର୍ଗଙ୍କୁ ବାନ୍ଧି ମାଡ଼ ମାରି ଡକାୟତି ଓ ନିଆଳି ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଭୁବନେଶ୍ବର ଆସୁଥିବା ୩୫ ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟିନେବା ଘଟଣା କମିସନରେଟ୍‌ ପୁଲିସକୁ ନିନ୍ଦିତ କରିଛି। ସେହିଭଳି ଦୁଷ୍କର୍ମ ମଧ୍ୟ ଆଗରେ ରହିଛି। ୨୦୧୮ ମସିହାରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୯ ରହିଛି। ଅପହରଣ ମାମଲା ୨୦୧୮ ମସିହାରେ ୨୧୩ ରହିଥିବା ବେଳେ ୨୦୧୯ ମସିହାରେ ୨୨୮ଟି ମାମଲା ରୁଜୁ ହୋଇଛି। ନିର୍ଯାତନା ମାମଲା ସଂଖ୍ୟା ୨୦୧୮ ମସିହାରେ ୨୫ ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହାର ସଂଖ୍ୟା ୩୫ ରହିଛି। ତେବେ ହତ୍ୟା ଓ ଯୌନ ନିର୍ଯାତନା ମାମଲା ପୂର୍ବବର୍ଷ ତୁଳନାରେ କମିଛି।

ସମ୍ବନ୍ଧିତ ଖବର