ଓଡ଼ିଶୀ ତାଣ୍ଡବ ଥରାଇଲା ମଞ୍ଚ

ଏକାମ୍ର ହାଟରେ ‘ମୋକ୍ଷ’ର ‘ଅଭିଳାଷା’

ଭୁବନେଶ୍ୱର: ‘ମୋକ୍ଷ’ ପକ୍ଷରୁ ଏକାମ୍ର ହାଟ ପରିସରରେ ୯ମ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ‘ଅଭିଳାଷା’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ମୋକ୍ଷ’ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିବ ତାଣ୍ଡବ ଓ କୃଷ୍ଣ ରାସ ପରିବେଷିତ ହୋଇଥିଲା। ଗୁରୁ ସୁଜାତା ମିଶ୍ର ଓ ଗୁରୁ ମମତା ସାମଲଙ୍କ ସଂଯୋଜନାରେ ଏହି ନୃତ୍ୟ ପରିବେଷିତ ହୋଇଥିଲା। ପରେ ପରେ ନୃତ୍ୟ ଉପାସନା ପୀଠ ପକ୍ଷରୁ ଗୁରୁ ସୋନାଲି ମହାପାତ୍ରଙ୍କ ସଂଯୋଜନାରେ ତାରା ତାରିଣୀ ମଙ୍ଗଳାଚରଣ ପ୍ରଦର୍ଶନ କରାଯାଇଥିଲା। ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ଗୁରୁ ସ୍ୱୟଂପ୍ରଜ୍ଞା ସାହୁଙ୍କ ନିର୍ଦ୍ଦେଶନାରେ ସ୍ଥାୟୀ ନୃତ୍ୟ ପରିବେଷିତ ହୋଇଥିଲା।

ଏହାପରେ ଅନୁଗୁଳର ନୃତ୍ୟନିଳୟ ପକ୍ଷରୁ ‘ଚକ୍ରବକ ପଲ୍ଲବୀ’ ନୃତ୍ୟ ପରିବେଷିତ ହୋଇଥିଲା। ଶ୍ରୀ ଡ୍ୟାନ୍ସ୍ ଏକାଡେମି ପକ୍ଷରୁ ଗୁରୁ ନମିତା ରାୟଙ୍କ ନିର୍ଦ୍ଦେଶନାରେ ଜଗନ୍ନାଥ ଅଷ୍ଟକମ୍ ମଞ୍ଚସ୍ଥ ହୋଇଥିଲା। ବିଶ୍ୱନାଥ ସଙ୍ଗୀତାଳୟ ପକ୍ଷରୁ ଗୁରୁ ଦୀପ୍ତି ରାଉତରାୟଙ୍କ ନିର୍ଦ୍ଦେଶନାରେ ‘ଶିବ ଚରଣାମୃତ’ ପ୍ରଦର୍ଶିତ ହୋଇଥିଲା। ସେହିପରି ଶ୍ରୀମୟୀ ନୃତ୍ୟାନୁଷ୍ଠାନ ପକ୍ଷରୁ ଗୁରୁ ଇତିଶ୍ରୀ ମହାନ୍ତିଙ୍କ ସଂଯୋଜନାରେ ‘ଗଣେଶ ତାଣ୍ଡବ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଜୟ ଗଣେଶ କଳା ବିକାଶ କେନ୍ଦ୍ର ପକ୍ଷରୁ ‘ଦୁର୍ଗା ତାଣ୍ଡବ’ ମଞ୍ଚସ୍ଥ ହୋଇଥିଲା। ପରେ ଗୁରୁ ସସ୍ମିତା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଜୟ ଭଗବତୀ ସ୍ତୁତି ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଦୂରଦର୍ଶନ କେନ୍ଦ୍ର ନିର୍ଦ୍ଦେଶକ ଦୀପ୍ତି ମିଶ୍ର, କବି ରମାକାନ୍ତ ରଥ ଓ ୟୁନିସେଫ୍‌ର ପୂର୍ବତନ ସମ୍ପାଦକ ବିବି ସାମନ୍ତ ଉପସ୍ଥିତ ଥିଲେ। ‘ମୋକ୍ଷ’ ଅଧ୍ୟକ୍ଷା ସୁଜାତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର