କୋଭିଡ୍ ଚିକିତ୍ସା ନାଁରେ ମାତିଲେଣି ସାଇବର ଠକ

ଘରୋଇ ହସ୍ପିଟାଲରେ ବେଡ୍ କରାଇଦେବାକୁ କହି ୨୬ହଜାର ଲୁଟିଲେ
ଠକେଇ ପଛରେ ଜମତରା ଗ୍ୟାଙ୍ଗ, ରାଜଧାନୀରେ ଅଛନ୍ତି ଏଜେଣ୍ଟ

ଭୁବନେଶ୍ବର : କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏଇ ଦୁଃସମୟରେ ଲୋକଙ୍କୁ ଲୁଟିବା ପାଇଁ ସାଇବର ଠକ ଜାଲ ବିଛାଇଛନ୍ତି। ଟିକା ହେଉ କି ଅକ୍ସିମିଟର, ଚିକିତ୍ସା ସାମଗ୍ରୀ ଯୋଗାଇବା ନାଁରେ ଠକୁଥିବା ସାଇବର ଅପରାଧୀଙ୍କ ଆଉ ଏକ ନୂଆ ତରିକା ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଉପରେ ଥୋପ ପକାଉଛନ୍ତି। ଅନଲାଇନ୍‌କୁ ଅସ୍ତ୍ର କରି ଲୁଟିବା ଆରମ୍ଭ କରି ଦେଇଛନ୍ତି। ରାଜଧାନୀର ଏମିତି ଏକ ଠକେଇ ଏବେ ସାମ୍ନାକୁ ଆସିଛି। ଘରୋଇ ହସ୍ପିଟାଲରେ ବେଡ୍ କରାଇଦେବା ନାଁରେ ଜଣେ ମହିଳାଙ୍କଠାରୁ ୨୬ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଠକେଇ ପଛରେ ଝାଡ଼ଖଣ୍ଡର କୁଖ୍ୟାତ ଜମତରା ଗ୍ୟାଙ୍ଗର ହାତ ଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂଚନା ଅନୁସାରେ, ଝାରପଡ଼ା ଅଞ୍ଚଳର ବର୍ଷା ପଟ୍ଟନାୟକ କୋଭିଡ୍ ଚିକିତ୍ସା ପାଇଁ ଅନଲାଇନ୍‌ରେ ଘରୋଇ ହସ୍ପିଟାଲରେ ବେଡ୍ ଖୋଜୁଥିଲେ। ଏହି ସମୟରେ ଲୁଇସରୋଡସ୍ଥିତ ଶ୍ରୀ ହସ୍ପିଟାଲର ଫୋନ୍ ନମ୍ବର ସହ କୋଭିଡ୍ ଚିକିତ୍ସାର ବିଜ୍ଞାପନ ଦେଖିଥିଲେ। ଏହା ପରେ ବର୍ଷା ସେହି ଫୋନ୍ ନମ୍ବରରେ ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। କିଛି ସମୟ ପରେ ସେହି ନମ୍ବରରୁ ବର୍ଷାଙ୍କ ପାଖକୁ ପାଲଟା କଲ୍ ଆସିଥିଲା। ବର୍ଷା କଥାବାର୍ତ୍ତା ହେବା ପରେ ତାଙ୍କୁ ଆଗୁଆ ୨୬ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏକ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଥିଲା। ବର୍ଷା ସେହି ଆକାଉଣ୍ଟ ନମ୍ବରରେ ଅନଲାଇନ୍ ଯୋଗେ ୨୬ହଜାର ଟଙ୍କା ପଠାଇଥିଲେ। ଏହା ପରେ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା। ବର୍ଷା ପୁଣି ସେହି ନମ୍ବରରେ କଲ୍ କରିଥିଲେ। କିନ୍ତୁ କେହି ଉଠାଇ ନଥିଲେ। କିଛି ସମୟରେ କଲ୍ ଆସିବା ପରେ ବର୍ଷା କଥାବାର୍ତ୍ତା ହୋଇଥିଲେ। ଆଉ ୨୬ହଜାର ଟଙ୍କା ପୈଠ କଲେ ତୁରନ୍ତ ବେଡ୍ ଦିଆଯିବ ବୋଲି କହିଥିଲେ। ଏହା ରାଜ୍ୟ ବାହାର ନମ୍ବର ଓ ଫୋନରେ କରିଥିବା ବ୍ୟକ୍ତି ହିନ୍ଦୀରେ କଥାବାର୍ତ୍ତା ହେଉଥିବାରୁ ବର୍ଷାଙ୍କ ମନରେ ସନ୍ଦେହ ହୋଇଥିଲା। ସେ ଶ୍ରୀ ହସ୍ପିଟାଲ ଯାଇ ଏ ସମ୍ପର୍କରେ ପଚାରି ବୁଝିଥିଲେ। ଯେଉଁ ଫୋନ୍ ନମ୍ବର ଦିଆଯାଇଥିଲା ତାହାକୁ ଦେଖାଇଥିଲେ। କିନ୍ତୁ ହସ୍ପିଟାଲର ଏପରି କୌଣସି ନମ୍ବର ନାହିଁ କିମ୍ବା ଅନଲାଇନ୍‌ରେ ଏପରି କିଛି ବିଜ୍ଞାପନ ଦିଆଯାଇ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହା ଠକଙ୍କ କାରନାମା ବୋଲି ବର୍ଷା ସ୍ପଷ୍ଟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନାରେ ଏତାଲା ଦେବା ପରେ ପୁଲିସ ଘଟଣାର ଖୋଳତାଡ଼ କରୁଛି।

ଲୋକଙ୍କ ଦୁଃସମୟର ଫାଇଦା ଉଠାଉଛନ୍ତି
କରୋନାର ଦ୍ବିତୀୟ ଲହର ଘାତକ ସାଜିଛି। ଆଖି ଆଗରେ ଚାଲି ଯାଉଛି ପରିବାରଲୋକ, ସମ୍ପର୍କୀୟଙ୍କ ଜୀବନ। ସେମାନଙ୍କୁ ବଞ୍ଚାଇବାରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ପରିବାର ଲୋକ। ଖଣ୍ଡିଏ ଆଇସିୟୁ ଓ ଭେଣ୍ଟିଲେଟର ବେଡ୍ ଏବଂ ଭଲ ଚିକିତ୍ସା ଖୋଜୁଛନ୍ତି। ଲୋକଙ୍କର ଏହି ଦୁଃସମୟର ଫାଇଦା ଉଠାଇ ଲୁଟିବାକୁ ଜାଲ ବିଛାଇଛନ୍ତି ସାଇବର ଠକ। ରାଜଧାନୀର ଗୋଟିଏ ଘଟଣା ସାମ୍ନାକୁ ଆସିଥିବା ବେଳେ ଅନ୍ୟ କେଉଁଠି ଘଟିଥିବା ମଧ୍ୟ ସନ୍ଦେହ କରାଯାଉଛି।

କେମିତି କରୁଛନ୍ତି ଟାର୍ଗେଟ୍‌?
ସାଇବର ଠକେଇର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗ ପାଇଁ ଇଏ କିଛି ନୂଆ କଥା ନୁହେଁ। ଠକେଇ ଗ୍ୟାଙ୍ଗ ଚଲାଉଥିବା ଅଧିକାଂଶ ହେଉଛନ୍ତି ବି.ଟେକ୍ ଇଞ୍ଜିନିୟର୍‌। ତେଣୁ ନୂଆ ନୂଆ ଉପାୟରେ ଠକିବା ସେମାନଙ୍କର ଟାର୍ଗେଟ୍‌ ରହିଛି। ଏହି ଗ୍ୟାଙ୍ଗ ଭୁବନେଶ୍ବର ସମେତ ଦେଶର କେତେକ ନାମୀ ସହରରେ ସେମାନଙ୍କ ଏଜେଣ୍ଟ ରଖିଛନ୍ତି। କେଉଁ ପ୍ରତିଷ୍ଠାନ ସେହି ସହରରେ ଜଣାଶୁଣା, ତାହାର ତଥ୍ୟ ଏଜେଣ୍ଟଙ୍କ ଜରିଆରେ ହାସଲ କରନ୍ତି। ଏହା ପରେ ସେହି ସଂସ୍ଥା ନାଁରେ ଜାଲ ବିଜ୍ଞାପନ, ଫୋନ୍ ନମ୍ବର ଦେଇ ଠକେଇ କରନ୍ତି।

ମଦ, ଖାଦ୍ୟ ପାର୍ସଲ, କୋରିଅର ନାଁରେ ଲୁଟିଛନ୍ତି କୋଟି କୋଟି
ଗତବର୍ଷ ଯେତେବେଳେ ଲକଡାଉନ୍ ଆରମ୍ଭ ହୋଇଥିଲା, ଜମତରା ଗ୍ୟାଙ୍ଗ ଜାଲ ବିଛାଇଥିଲେ। ରାଜ୍ୟରେ ମଦର ଯେତେବେଳେ ହୋମ୍ ଡେଲିଭରି ବ୍ୟବସ୍ଥା ନଥିଲା, ସେତେବେଳେ ଏହି ଗ୍ୟାଙ୍ଗ ପକ୍ଷରୁ ଅନଲାଇନ୍‌ରେ ନାମୀଦାମୀ ଦୋକାନର ବିଜ୍ଞାପନ ସହ ଫୋନ୍ ନମ୍ବର ଦିଆଯାଇଥିଲା। ଲୋକ ଅନଲାଇନ୍‌ରେ ମଦ କିଣିବାକୁ ଯାଇ ଠକାମିର ଶିକାର ହୋଇଥିଲେ। ସେହିପରି କେତେକ ନାମୀ ରେସ୍ତୋରାଁର ଖାଦ୍ୟ ପାର୍ସଲ ନାଁରେ ମଧ୍ୟ ଲୋକ ଠକାମିରେ ପଡ଼ିଥିଲେ। କୋରିଅର୍‌ ସେବା ନାଁରେ ବି ଠକେଇ ହୋଇଥିଲା। ଏମିତି ରାଜ୍ୟରୁ କୋଟି କୋଟି ଟଙ୍କା ଠକି ନେଇଥିଲେ ସାଇବର ଅପରାଧୀ। କିନ୍ତୁ ଜଣେ ମଧ୍ୟ ଧରାପଡ଼ି ନଥିଲା।

ସମ୍ବନ୍ଧିତ ଖବର