ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ପୁଲିସ

କେନ୍ଦ୍ର କର୍ତ୍ତୃପକ୍ଷ, କର୍ମଚାରୀ ସମ୍ପୃକ୍ତ, ପିଟି ପିଟି ମାରି ଦେଇଥିଲେ, ତିନି ଅଭିଯୁକ୍ତ ଫେରାର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟସ୍ଥ କୃପା ଫାଉଣ୍ଡେସନ୍ ନିଶା ନିବାରଣ କେନ୍ଦ୍ରରେ ଯୁବକ ତ୍ରିନାଥ ସେଠୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷ, କର୍ମଚାରୀ ମିଳିମିଶି ଏହି ହତ୍ୟାକାଣ୍ଡ ଘଟାଇଥିବାର ପ୍ରମାଣ ପାଇବା ପରେ ସହିଦନଗର ଥାନା ପୁଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତ୍ୟୁ ଘଟଣାର ୧୭ ଦିନ ପରେ ଆଇପିସି ଦଫା-୩୦୨, ୩୪ରେ ଏହି ମାମଲା ରୁଜୁ କରାଯାଇଛି। କିନ୍ତୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତ୍ରିନାଥଙ୍କୁ ହତ୍ୟା କରା ଯାଇଥିବା ନେଇ ତାଙ୍କ ବାପା ଆରମ୍ଭରୁ କରିଥିବା ଅଭିଯୋଗକୁ ଗୁରୁତ୍ବ ଦେଇ ନ ଥିବା ପୁଲିସ ପାଇଁ ଏବେ ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜ ହୋଇପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖ ସନ୍ଧ୍ୟାରେ ତ୍ରିନାଥଙ୍କୁ କ୍ଷତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାର ପରଦିନ ତାଙ୍କ ବାପା ବାବାଜୀ ସେଠୀ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ପୁଲିସ ସେତେବେଳେ ଅଣଦେଖା କରିଥିଲା। ଘଟଣାସ୍ଥଳକୁ ଯାଇ ପୁଲିସ ତଦନ୍ତ କରିଥିଲା। ତ୍ରିନାଥ ଅନ୍ୟ ୪ ଜଣ ଅନ୍ତେବାସୀଙ୍କ ସହ ନିଶା ନିବାରଣ କେନ୍ଦ୍ର ଛାତ ଡେଇଁ ଫେରାର ହୋଇ ଯାଇଥିଲେ ବୋଲି ପୁଲିସ ଜଣେ କର୍ମଚାରୀଙ୍କ ଠାରୁ ସୂଚନା ପାଇଥିଲା। ଛାତରୁ ଡେଇଁବାରୁ ଆହତ ହୋଇ ଯାଇଥିଲେ। କୁଆଖାଇ ନଦୀକୂଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ନିଶା ନିବାରଣ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ହସ୍ପିଟାଲ ନିଆ ଯାଇଥିଲା ବୋଲି କର୍ମଚାରୀ ଜଣଙ୍କ ତାଙ୍କ ବୟାନରେ କହିଥିଲେ। ପୁଲିସ ମଧ୍ୟ ଏହି କଥାକୁ ଅତି ସହଜରେ ବିଶ୍ବାସ କରି ଯାଇଥିଲା।

କିନ୍ତୁ ତ୍ରିନାଥଙ୍କୁ ବାଡ଼ି ଓ ଲୁହାରଡ୍ ଭଳି ଶକ୍ତ ପଦାର୍ଥରେ ପିଟି ପିଟି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ ମୁଣ୍ଡ, ହାତ, ଗୋଡ଼ ସମେତ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇଛି। ଅଭିଯୁକ୍ତ ଧରାପଡ଼ିବା ପରେ ପୂରା ରହସ୍ୟର ଉନ୍ମୋଚନ ହେବ। ସେହିପରି ପୁଅ ହତ୍ୟାର ନ୍ୟାୟ ଅପେକ୍ଷାରେ ରହିଛନ୍ତି ବାବାଜୀ।

ସମ୍ବନ୍ଧିତ ଖବର