ରଙ୍ଗରୁଟ୍‌ରେ ଗାଡ଼ି ଚଳାଇଲେ କୋର୍ଟକୁ ଟଣା ହେବେ

ରଦ୍ଦ ହୋଇପାରେ ଲାଇସେନ୍ସ

ଭୁବନେଶ୍ବର: ରଙ୍ଗରୁଟ୍‌ ଗାଡ଼ି ଚାଳନା କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ରଙ୍ଗରୁଟ୍‌ ଗାଡ଼ି ଚାଳନା ପାଇଁ ଅଧିକାଂଶ ସମୟରେ ଜାମ୍‌ ପରିସ୍ଥିତି ସୃଷ୍ଟି ହେବା ସହ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜୀବନ ଯାଉଛି, ଅନେ‌କେ ସବୁଦିନ ପାଇଁ ପଙ୍ଗୁ ବି ହୋଇଯାଉଛନ୍ତି। କିନ୍ତୁ ଏଣିକି ଆଉ ରୁଟ୍‌ ଗାଡ଼ି ଚାଳନାକୁ ବରଦାସ୍ତ କରାଯିବ ନାହିଁ। ରଙ୍ଗରୁଟ୍‌ରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ପାଇଁ କମିସରେଟ୍‌ ଟ୍ରାଫିକ୍‌ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନାକରୀଙ୍କଠାରୁ ଜରିମାନା ଆଦାୟ କରାଯିବ। ଦରକାର ପଡ଼ିଲେ ଗାଡ଼ିକୁ ଜବତ କରି କୋର୍ଟକୁ ହସ୍ତାନ୍ତର କରାଯିବ। ସେହିପରି ଚାଳକଙ୍କ ଲାଇସେନ୍ସ ପାଇଁ ମଧ୍ୟ ଆର୍‌ଟିଓଙ୍କୁ ଲେଖାଯିବ। କିଛିଦିନ ହେବ ଏହି ନିୟମକୁ କୋହଳ କରାଯାଇଥିବା ବେଳେ ପୁଣିଥରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।

ବର୍ତ୍ତମାନ କିଛି ଦିନ ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ସଚେତନ କରାଯିବ। ସର୍ବାଧିକ ୫ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯିବ। ପରେ ମାଲିକଙ୍କ ନାଁରେ ସିଧାସଳଖ ମାମଲା ରୁଜୁ କରାଯାଇ ଗାଡ଼ି ଜବତ କରାଯିବା ସହ କୋର୍ଟକୁ କାଗଜପତ୍ର ପଠାଇ ଦିଆଯିବ। ମାଲିକ କୋର୍ଟରେ ହାଜର ହୋଇ ନିଜ ବାଇକ୍‌କୁ ମୁକୁଳାଇବା ସହ ସେଠାରେ ଜରିମାନା ପ୍ରଦାନ କରିବେ। ଚାଳକ ଜେଲ୍‌ ମଧ୍ୟ ଯାଇ ପାରନ୍ତି।
କିଛି ଦିନ ହେବ, ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ସର୍ଟକଟ୍‌ ପାଇଁ ଚାଳକ ରଙ୍ଗରୁଟ୍‌ରେ ଯିବା ଆସିବା କରୁଛନ୍ତି। ରୁପାଲି ଛକଠାରୁ ଆରମ୍ଭ କରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ରୋଡ୍‌, ପଳାସୁଣୀ, ଡମଣା ଛକ, କିଟ୍‌ କୋଏଲ କ୍ୟାମ୍ପସ, ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ କଟ୍, ଜାଗମରା, ଏସ୍‌ପ୍ଲାନେଡ୍‌, ରାଜମହଲ ଛକର ଦୁଇପାର୍ଶ୍ବ, ରାଜଭବନ ପେଟ୍ରୋଲ ପମ୍ପ ନିକଟ ଛକ, ଗଙ୍ଗନଗର ଛକ, କସ୍ମୋପଲିସ୍‌ ଭଳି ଛକରେ ଚାଳକ ଅଧିକ ବାଟ ବୁଲିବାକୁ ପଡ଼ୁଥିବାରୁ ସେମାନେ ସଟ୍‌କଟ ଭାବେ ରଙ୍ଗରୁଟ୍‌କୁ ବ୍ୟବହାର କରୁଛନ୍ତି।

କୁଆଡ଼େ ଗଲା କମିସନରେଟ୍‌ ପୁଲିସ୍‌ର ‘ସ୍ପାଇକ୍‌ ବ୍ୟାରିୟର୍‌’
୩ଦିନରେ ୨୮୮ଙ୍କୁ ଜରିମାନା

ପୂର୍ବରୁ ରାଜଧାନୀରେ ଶହେରୁ ଅଧିକ ରଙ୍ଗରୁଟ୍‌ ସାଇଟ୍‌ ଚିହ୍ନଟ ରାଯାଇଥିଲା। ଯେଉଁଥିରେ ୧୫ଟି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ରହିଛି। ସେଠାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ଏହି ସବୁ ସ୍ଥାନମାନଙ୍କରେ ସ୍ପାଇକ୍‌ ବ୍ୟାରିୟର ଲଗାଇବାକୁ କମିସନରେଟ୍‌ ପୁଲିସ୍‌ ଯୋଜନା କରିଥିଲା। ୨୦୨୦ ମସିହାରେ ତତ୍କାଳୀନ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ସମୟରେ ଏହି ଯୋଜନାର ପରିକଳ୍ପନା ହୋଇଥିଲା। ରଙ୍ଗରୁଟ୍‌ରେ ଯାଉଥିବା ଗାଡ଼ିଗୁଡ଼ିକର ଚକା ଏହି ସ୍ପାଇକ୍‌ ବ୍ୟାରିୟର୍‌ରେ କଣା ହୋଇଯିବ। ତେଣୁ ଆଉ କେହି ରଙ୍ଗରୁଟ୍‌ରେ ଯିବା ପାଇଁ ସାହସ କରିବ‌େ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ପୁଲିସର ଏହି ଯୋଜନା ଫାଇଲ୍‌ ତଳେ ଚାପି ହୋଇ ରହିଯାଇଛି।

ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି ଯେ ରଙ୍ଗରୁଟ୍‌ ଚାଳକଙ୍କ ପାଇଁ ଆମ‌େ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏଥିପାଇଁ ଟ୍ରାଫିକ୍‌ ଟିମ୍‌କୁ ବିଭିନ୍ନ ଛକରେ ମୁତୟନ କରାଯାଇଛି। ସେମାନେ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଗତ ୩ ଦିନରେ ରାଜଧାନୀର ୨୮୮ଜଣ ଚାଳକଙ୍କଠାରୁ ୧ ଲକ୍ଷ ୪୪ହାଜର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରଥମ ଦିନରେ ୪୫ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ୯୧ ଏବଂ ସୋମବାର ଦିନ ସର୍ବାଧିକ ୧୫୨ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସ୍ପାଇକ୍‌ ବ୍ୟାରିୟର ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର