ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ଓଡ଼ିଶା ଢାଞ୍ଚା ଆପଣାଇଲେ ୮ ରାଜ୍ୟ

ତ୍ରୁଟି ସଂଶୋଧନ ପାଇଁ ୨୩ ଯାଏ ଆବେଦନ, ଅସନ୍ତୁଷ୍ଟଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା

ଭୁବନେଶ୍ବର: କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ହୋଇପାରିଲା ନାହିଁ। ଯେଉଁଥିପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବା ସହ ରେଜଲ୍ଟ ପ୍ରକାଶ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ସମେତ ଦେଶର ସମସ୍ତ ବୋର୍ଡ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଯେଉଁ ରାଜ୍ୟ ଏକାଦଶ ଶ୍ରେଣୀରେ ପରୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ କରାଇଥିଲେ ସେମାନେ ସିବିଏସ୍‌ଇକୁ ଅନୁକରଣ କରି ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ କରିଥିଲେ। ଆଉ ଯେଉଁ ରାଜ୍ୟ ବୋର୍ଡ ପାଖରେ ଛାତ୍ରଛାତ୍ରୀଙ୍କ କୌଣସି ମାର୍କ ନ ଥିଲା ସେମାନେ ଓଡ଼ିଶା ବୋର୍ଡ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଢାଞ୍ଚାକୁ ଆପଣାଇଥିବା ଜଣାପଡ଼ିଛି। ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ପରି ରାଜ୍ୟଗୁଡ଼ିକ ଓଡ଼ିଶା ଢାଞ୍ଚାରେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରି ରେଜଲ୍ଟ ବାହାର କରିଛନ୍ତି। ଏମିତିକି ଓଡ଼ିଶା ବୋର୍ଡର ବିଷୟଭିତ୍ତିକ ମାର୍କିଂକୁ ସିବିଏସ୍‌ଇ ମଧ୍ୟ ପ୍ରଶଂସା କରିଥିବା ଜଣାପଡ଼ିଛି।

ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ଲାଗି ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ୧୪ ଜଣିଆ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ବି‌ଷୟଭିତ୍ତିକ ମାର୍କିଂ ହୋଇଛି। ମାଟ୍ରିକ୍‌ ମାର୍କ ଆଧାରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଥିଓରି ପେପରରେ ମାର୍କ ଦିଆଯାଇଛି। ମୂଲ୍ୟାୟନ ପାଇଁ ପ୍ରତି ବିଷୟର ମ୍ୟାପିଂ ହୋଇଛି। ଯୁକ୍ତ୨ର ୧୫୦ରୁ ଅଧିକ ବିଷୟକୁ ଦଶମ ଶ୍ରେଣୀର ୬ଟି ବିଷୟ ସହ ମ୍ୟାପିଂ କରାଯିବା ପରେ ମୂଲ୍ୟାୟନ ହୋଇଥିଲା। ଯୁକ୍ତ୨ର କେଉଁ ବିଷୟକୁ ମାଟ୍ରିକ୍‌ର କେଉଁ ‌କେଉଁ ବିଷୟ ସହ ସଂଯୋଗ କରାଯିବ ତାହା ପରିଷଦ ପାଇଁ ସବୁଠାରୁ ବଡ଼ ଆହ୍ବାନ ରହିଥିଲା। ଯାହାକୁ ପରିଷଦର ସୁଚାରୁ ରୂପେ ନିର୍ବାହ କରିଥିବା ଦେଖିବାକୁ ମିଳିଛି। ଓଡ଼ିଶାର ଏହି ପଦ୍ଧତି ଜାଣିବା ପରେ ତାହାକୁ ଆପଣାଇବାକୁ ଅନ୍ୟ ରାଜ୍ୟଗୁ୍‌ଡ଼ିକ ଆଗ୍ରହ ପ୍ରକାଶ କରିଥିଲେ। ଏମିତିକି ଲଗାତାର ଭାବେ ପରିଷଦର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଯୋଗଯୋଗରେ ରହି ଅନ୍ୟ ରାଜ୍ୟଗୁଡ଼ିକ ତାହାକୁ ଲାଗୁ କରିଥିଲେ। ଓଡ଼ିଶା ପାଇଁ ଏହା ଗୌରବର ବିଷୟ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

ତ୍ରୁଟି ସଂଶୋଧନ ପାଇଁ ୨୩ ଯାଏ ଆବେଦନ
କରୋନା ସଂକ୍ରମଣକୁ ନଜରରେ ରଖି ଏଥର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଛି। ଯେଉଁ ପରୀକ୍ଷାର୍ଥୀଙ୍କର ରେଜଲ୍ଟରେ ତଥ୍ୟ ଆଧାରିତ କୌଣସି ପ୍ରକାର ତ୍ରୁଟି ରହିଥିବ, ସମ୍ପୃକ୍ତ ପରୀକ୍ଷାର୍ଥୀ ଉପଯୁକ୍ତ ପ୍ରମାଣ ସହ ନିଜର ଅଭିଯୋଗ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଆସନ୍ତା ୨୩ ତାରିଖ ସୁଦ୍ଧା ଦାଖଲ କରିପାରିବେ। ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଅଭିଯୋଗ ସତ୍ୟ ହୋଇଥିଲେ ମାର୍କସିଟ୍‌ ଓ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଅଟେଷ୍ଟେଡ୍‌ କରି ଫରୱାର୍ଡ ଲେଟର ସହ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ସ୍ବତନ୍ତ୍ର ଇ-ମେଲ୍‌ ମାଧ୍ୟମରେ ଅଗଷ୍ଟ ୨୪ ସୁଦ୍ଧା ଦାଖଲ କରିବେ। ଏସଂକ୍ରାନ୍ତୀୟ ବିଜ୍ଞପ୍ତି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

ଦୁଇ ଦଶନ୍ଧିର ପରୀକ୍ଷାର୍ଥୀ
ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏଥର ନାକେଦମ ହେବାକୁ ପଡ଼ିଛି। ବିଶେଷକରି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ କରିବା ପରିଷଦ ପାଇଁ କଷ୍ଟକର ହୋଇପଡ଼ିଥିଲା। ତଥାପି ବିକଳ୍ପ ମୂଲ୍ୟାୟନରେ ପରୀକ୍ଷାର୍ଥୀଙ୍କ ଫଳ ବାହାରିଛି। ତେବେ ଅଧିକାଂଶ ପରୀକ୍ଷାର୍ଥୀଙ୍କର କୌଣସି ପ୍ରକାର ମାର୍କ ପରିଷଦ ନିକଟରେ ଉପଲବ୍ଧ ନ ଥିବାରୁ ମୂଲ୍ୟାୟନ କରାଯାଇପାରି ନାହିଁ। ଏମିତିକି ଦୁଇ ଦଶନ୍ଧି ତଳର ଅର୍ଥାତ୍‌ ୧୯୯୯ ମସିହାରେ ଯୁକ୍ତ୨ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଏଥର ଯୁକ୍ତ୨ ପରୀକ୍ଷା ଦେବା ଲାଗି ଆବେଦନ କରିଥିବା ଜଣାପଡ଼ିଛି। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଉକ୍ତ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହୋଇଛି। ଯେଉଁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପୂର୍ବରୁ ପରିଷଦର କୌଣସି ବାର୍ଷିକ ପରୀକ୍ଷା ଦେଇନାହାନ୍ତି, ସେମାନେ ପରବର୍ତୀ ସମୟରେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ। ଏସମ୍ପର୍କରେ ପରିଷଦ ପକ୍ଷରୁ ଗତ ୩୦ ତାରିଖରେ ବିଜ୍ଞପ୍ତି ଜାରି ହୋଇଛି।
ଅସନ୍ତୁଷ୍ଟଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା
ଯେଉଁ ପରୀକ୍ଷାର୍ଥୀ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପଦତ୍ତ ମାର୍କରେ ସନ୍ତୁଷ୍ଟ ନ ଥିବେ ସେମାନେ ଇଚ୍ଛା କଲେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ସମ୍ପର୍କରେ ସବିଶେଷ ସୂଚନା ଓ ବିଜ୍ଞପ୍ତି ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ସେପ୍ଯେମ୍ବର ମାସରେ ଏହି ପରୀକ୍ଷା କରାଯିବାର ସମ୍ଭବନା ବହୁତ ରହିଛି। ତେବେ ଆବେଦନ ସରିବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ଓ ମୂଲ୍ୟାୟନ କେନ୍ଦ୍ର ସ୍ଥିର ହେବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର