ଯୁକ୍ତ୨ କଳାରେ ୮୯.୪୯% ପାସ୍‌

ରେଗୁଲାର: କଳାରେ ୯୮.୫୮%, ଧନ୍ଦାମୂଳକରେ ୯୯.୧୬%
କଳାରେ ବାଲେଶ୍ବର, ଧନ୍ଦାମୂଳକରେ ନୟାଗଡ଼ ଆଗରେ
କଳାରେ ୯୫ଜଣ ଛାତ୍ରଛାତ୍ରୀ ୯୦% ଉପରେ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଇଥିବା ରେଜଲ୍ଟ ଇତିହାସ ସୃଷ୍ଟି କରିଛି। କଳା ବିଭାଗରେ ୯୮.୫୮% ଏବଂ ଧନ୍ଦାମୂଳକରେ ୯୯.୧୬% ରେଗୁଲାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପାସ୍‌ହାରକୁ ବିଚାରକୁ ନେଲେ କଳାରେ ୮୯.୪୯% ଓ ବାଣିଜ୍ୟରେ ୮୬.୦୨% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗରେ ରହିଛନ୍ତି। କଳାରେ ବାଲେଶ୍ବର ଏବଂ ଧନ୍ଦାମୂଳକରେ ନୟାଗଡ଼ ଜିଲ୍ଲାରେ ପାସ୍‌ହାର ସର୍ବାଧିକ ହୋଇଛି।

କଳା ବିଭାଗ ପରୀକ୍ଷା ପାଇଁ ରେଗୁଲାର ଓ ଏକ୍ସ-ରେଗୁଲାରରେ ଆବେଦନ କରିଥିବା ୨ ଲକ୍ଷ ୨୦ ହଜାର ୨୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ଲକ୍ଷ ୯୬ ହଜାର ୯୫୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୯.୪୯% ହୋଇଛି। ୩୦ ହଜାର ୬୮୫ଜଣ ପ୍ରଥମ ଶ୍ରେଣୀ, ୪୬ହଜାର ୫୬୩ଜଣ ଦ୍ବିତୀୟ ଓ ୧ ଲକ୍ଷ ୧୯ ହଜାର ୫୦୫ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଗୁଲାର୍‌ରେ ୧ ଲକ୍ଷ ୮୯ ହଜାର ୩୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ୨୬ ହଜାର ୩୦୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ହଜାର ୯୪୩ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୨୬.୫୧% ହୋଇଛି। ପତ୍ର ବିନିମୟରେ ୪ ହଜାର ୫୨୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୩୧ଜଣ ପାସ୍‌ କରିଛନ୍ତି। କଳା ବିଭାଗରେ ବାଲେଶ୍ବର ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୫.୨୯% ଏବଂ ନବରଙ୍ଗପୁର ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୮୦.୯୧% ହୋଇଛି। ୯୫ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କଳାରେ ୧ ଲକ୍ଷ ୨୧ ହଜାର ୩୯୭ଜଣ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୧୨ ହଜାର ୫୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୨.୩୪% ରହିଛି। ୨୦ ହଜାର ୭୨୬ଜଣ ପ୍ରଥମ, ୨୮ ହଜାର ୭୭ଜଣ ଦ୍ବିତୀୟ ଓ ୬୩ ହଜାର ୧୩୨ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ୯୮ ହଜାର ୮୦୫ ଛାତ୍ରଙ୍କ ମଧ୍ୟରୁ ୮୪ ହଜାର ୯୦୦ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୮୫.୯୮% ହୋଇଛି। ୯୯୫୯ ଜଣ ପ୍ରଥମ, ୧୮ ହଜାର ୪୮୬ ଜଣ ଦ୍ବିତୀୟ ଓ ୫୬ ହଜାର ୩୭୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁସୂଚିତ ଜାତି ବର୍ଗର ୪୦ ହଜାର ୫୪୫ଜଣଙ୍କ ମଧ୍ୟରୁ ୩୫ ହଜାର ୭ଜଣ ପାସ୍‌ କରିଥିବା ବେଳେ ଅନୁସୂଚିତ ଜନଜାତି ବର୍ଗରେ ୪୫ ହଜାର ୫୨୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯ ହଜାର ୩୧୮ ଜଣ ପାସ୍‌ କରିଛନ୍ତି। କମ୍ପାଟମେଣ୍ଟାଲ‌ରେ ୨୦୬ ଜଣ ରହିଛନ୍ତି।

ଅନ୍ୟପକ୍ଷରେ ଧନ୍ଦାମୂଳକ ବିଭାଗରେ ୬୧୯୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୩୩୧ଜଣ ପାସ୍‌ କରିଛନ୍ତି। ୧୦୭୬ ଜଣ ପ୍ରଥମ ଶ୍ରେଣୀ, ୧୮୩୬ଜଣ ଦ୍ବିତୀୟ ଓ ୨୨୧୯ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୫.୬୫% ଓ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ କେହି ପାସ୍‌ କରିନାହାନ୍ତି। ମାଲକାନଗିରି ଜିଲ୍ଲାରେ କେହି ପରୀକ୍ଷାର୍ଥୀ ନଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ୪ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି। ଏହି ବିଭାଗରେ ଛାତ୍ରୀମାନେ ବି ଆଗରେ ରହିଛନ୍ତି। ୩୨୪୦ଜଣ ଛାତ୍ରଙ୍କ ମଧ୍ୟରୁ ୨୭୧୭ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୩.୮୫% ହୋଇଛି। ୫୬୪ଜଣ ପ୍ରଥମ, ୯୬୯ଜଣ ଦ୍ବିତୀୟ ଓ ୧୦୭୫ଜଣ ଛାତ୍ର ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିପରି ୨୯୫୭ଛାତ୍ରୀଙ୍କ ମଧ୍ୟରୁ ୨୬୧୫ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୮୮.୪୦% ହୋଇଛି। ୫୧୨ଜଣ ପ୍ରଥମ, ୮୬୭ଜଣ ଦ୍ବିତୀୟ ଓ ୧୧୪୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁସୂଚିତ ଜାତି ବର୍ଗର ୧୧୦୨ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୧୧ ଓ ଅନୁସୂଚିତ ଜନଜାତି ବର୍ଗର ୯୩୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୭୦ ଜଣ ପାସ୍‌ କରିଛନ୍ତି। କମ୍ପାଟମେଣ୍ଟାଲ‌ରେ ୨୦୦ ଜଣ ରହିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସାହୁ, ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍‌ଣ ୧ଟାରେ ପରୀକ୍ଷାଫଳ ପ୍ରକାଶ ପରେ ପରୀକ୍ଷାର୍ଥୀ www.orissaresults.nic.in ୱେବସାଇଟ୍‌ରୁ ଫଳ ଜାଣିବା ସହ ମାର୍କସିଟ୍‌ ଡାଉନ୍‌ଲୋଡ୍‌ କରିପାରିବେ। ଯୁକ୍ତ୨ କଲେଜଗୁଡ଼ିକ ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ରେଜଲ୍ଟ ପାଇପାରିବେ। ଏଥିସହ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ହେଲ୍ପ-ଲାଇନ୍‌ ନମ୍ବର ୦୬୭୪-୨୩୦୧୦୯୮ ଜାରି କରାଯାଇଛି।

ସମ୍ବନ୍ଧିତ ଖବର