ରାଜ୍ୟରେ କୋଭିଡ୍‌ ମୃତ୍ୟୁ ୭ ହଜାର ମୁହାଁ

ଭୁବନେଶ୍ବର : ରାଜ୍ୟରେ କୋଭିଡ ମୃତ୍ୟୁ ୭ହଜାର ମୁହାଁ ହୋଇଛି। ଲଗାତାର ଭାବେ ବଳକା କୋଭିଡ୍ ମୃତ୍ୟୁ ଘୋଷଣା ଜାରି ରହିଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେବେ ଗତ କିଛି ଦିନ ହେବ ହଠାତ୍ ଖୋର୍ଧା ଜିଲ୍ଲାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା କମ୍ ଘୋଷଣା କରାଯାଉଛି। ହେଲେ ଅନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଲାଣି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୬୬ଜଣ କରୋନାରେ ପ୍ରାଣ ହରାଇଥିବା ସଂପର୍କରେ ଘୋଷଣା କରାଯାଇଛି। ଏଥିରେ କଟକ ୧୫, ନୟାଗଡ଼ ୧୨, କେନ୍ଦ୍ରାପଡ଼ା ୯, ଅନୁଗୁଳ ୫, ନବରଙ୍ଗପୁର ୪, ସମ୍ବଲପୁର, ଖୋର୍ଧା, ଯାଜପୁରରେ ୩ ଲେଖାଏଁ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, ପୁରୀରେ ୨ ଲେଖାଏଁ, ମୟୂରଭଞ୍ଜ, କୋରାପୁଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୧୩୬୯ ମୃତ୍ୟୁ ହୋଇଥିବା‌ ବେଳେ ସୁନ୍ଦରଗଡ଼ ୫୬୭, କଟକ ୫୦୦, ଗଞ୍ଜାମ ୪୬୨, ପୁରୀ ୪୦୯ ଓ ବରଗଡ଼ରେ ୩୨୧ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩୨ କୋଭଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଦିନ ହେବ, ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ରାଜ୍ୟର ସଂକ୍ରମଣ ହାର ୧.୬୪ ପ୍ରତିଶତ ରହିଛି। ମାତ୍ର ଖୋର୍ଧା, ଜଗତସିଂହପୁର, ବାଲେଶ୍ବରରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ଅଧିକ ରହିଛି। ନୂଆପଡ଼ା, ଝାରସୁଗୁଡ଼ାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା କାରଣରୁ ଜିଲ୍ଲାରେ ସଂକ୍ରମଣ ହାର ଶୂନ ରହିଛି। ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଖୋର୍ଧାରେ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକରୁ ୧୯୭ ଆକ୍ରାନ୍ତ ବାହାରିଛନ୍ତି। ଅନ୍ୟ ଜିଲ୍ଲମାାନଙ୍କ ମଧ୍ୟରେ ବାଲେଶ୍ବର ୭୦, ଜଗତସିଂହପୁର ୪୨, ମୟୂରଭଞ୍ଜ ୪୦ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୩ହଜାର ୫୦୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର