ଟଙ୍କା, ସୁନା ନେଇ ଝିଅ ଫେରାର୍‌, ଥାନାରେ ବସିଲେ ବାପା, ମା’

ଭୁବନେଶ୍ୱର: ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଇଛି ଝିଅ। ବିଭିନ୍ନ ସ୍ଥାନରେ ଖୋଜିବା ପରେ ବାପା ମା’ ଝିଅକୁ ପାଇଛନ୍ତି ଖାରବେଳ ନଗର ଥାନା ଅଧୀନରେ ଥିବା ଏକ ମସାଜ୍‌ ସେଣ୍ଟରରେ। ଝିଅ ଆସିବାକୁ ରାଜି ନାହିଁ କି ମସାଜ୍‌ ସେଣ୍ଟର ମାଲିକ ମଧ୍ୟ ଛାଡ଼ିବାକୁ ନାରାଜ। ଏଣେ ଜୀବନ ଯାକର ସଞ୍ଚୟ ନିମିଷକେ ଉଡ଼ି ଯାଇଥିବାରୁ ଦମ୍ପତିଙ୍କ ଦୁଃଖ ବଢ଼ିଛି। ହତାଶ ହୋଇ ଶେଷରେ ଝିଅ ନାମରେ ଅଭିଯୋଗପତ୍ର ଧରି ଥାନ‌ାରେ ପହଞ୍ଚିଛନ୍ତି। ନିଜ ଝିଅ ନାମରେ ଅଭିଯୋଗ କରିବାକୁ ଉଭୟଙ୍କର ମନ ବଳୁନଥିଲେ ମଧ୍ୟ କଷ୍ଟ ସହି ପାରୁନାହାନ୍ତି। ‘ଝିଅ ବଡ଼ ହେଲାଣି, ଯାଉ ପଛେ ହେଲେ ଅପରେସନ୍‌ ହେବାକୁ ଯେଉଁ ଟଙ୍କା ରଖିଥିଲି ତାକୁ ଦେଇଯାଉ’ ବୋଲି କହି କାନ୍ଦି ପକାଇଛନ୍ତି ଝିଅର ମା’। ଆଜି ସହିଦନଗର ଥାନାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏତଲା ଦିଆଯାଇଥିଲେ ମଧ୍ୟ ମାମଲା ରୁଜୁ ହୋଇନାହିଁ। ମାତ୍ର ତଦନ୍ତ ଆରମ୍ଭ ହୋଇଛି। ଝିଅ କାମ କରୁଥିବା ମସାଜ୍‌ ସେଣ୍ଟରରେ ପୁଲିସ ଚଢ଼ଉ କରିଛି। ହେଲେ ଝିଅର ପତ୍ତା ମିଳିନାହିଁ। ତା’ର ମୋବାଇଲ ନମ୍ବରକୁ ଟ୍ରାକ୍‌ କରାଯାଉଛି। ଠିକଣା ମିଳିଲେ ଝିଅକୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି। ଉକ୍ତ ଦମ୍ପତି ସହିଦନଗର ଥାନା ଅଧୀନରେ ରୁହନ୍ତି। ସ୍ବାମୀ ଫର୍ଣ୍ଣିଚର୍‌ ପଲିସ୍‌ କାମ କରନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ‌ସେ ଲକ୍ଷେ ଟଙ୍କା ସହ ଝିଅ ବାହାଘର ପାଇଁ କିଛି ସୁନା ଗହଣା ରଖିଥିଲେ। ଝିଅ ରୋଜଗାର କରିବ ବୋଲି କିଛି ଦିନ ତଳେ କହିଥିଲା। ଜଣେ ଯୁବକ କଥାରେ ପଡ଼ି ସେ ଏହି ମସାଜ୍‌ ସେଣ୍ଟର୍‌କୁ ବାଛିଥିଲା। ସମ୍ପୃକ୍ତ ଯୁବକ ସହ ମିଳାମିଶାକୁ ପରିବାର ଲୋକ ବିରୋଧ କରିଥିଲେ। ହେଲେ ଝିଅ ସେମାନଙ୍କ କଥା ମାନି ନ ଥିଲା। ୫ ଦିନ ତଳେ ଏହି ଘଟଣାକୁ ନେଇ ପରିବାରବର୍ଗଙ୍କ ସହ ଝିଅର ବଚସା ହୋଇଥିଲା। ଭୋର୍‌ରୁ ସମସ୍ତେ ଉଠିବା ବେଳକୁ ଟଙ୍କା, ସୁନା ଧରି ଝିଅ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର