ନକଲି ଡାକ୍ତର ରମେଶ ମାମଲାର ଚାର୍ଜସିଟ୍‌ ଦାଖଲ

୯୪୦ ପୃଷ୍ଠାର ଦସ୍ତାବିଜ୍‌ ଏବଂ ୧୦୩ ସାକ୍ଷୀଙ୍କ ବୟାନ ରେକର୍ଡ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଠକ ନକଲି ରଙ୍ଗିଲା ଡାକ୍ତର ରମେଶ ସ୍ବାଇଁ ନାଁରେ ସୋମବାର ଦିନ ମହିଳା ଥାନା ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏକାଧିକ ମାଟ୍ରିମନି ସାଇଟ୍‌ରେ ନିଜର ପରିଚୟ ବଦଳାଇ ମହିଳାଙ୍କୁ ପାଲରେ ପକାଇ ବିବାହ କରିବା, ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବା। ଡାକ୍ତରୀ ଆଡ୍‌ମିସନ ନାଁରେ ଠକିବା, କୁକୁଡ଼ା ଚିଆଁ ସଂସ୍ଥାକୁ ଚୂନ ଲଗାଇବା, ଚାରା ରୋପଣ ନାଁରେ ଠକେଇ ଭଳି ମାମଲାରେ ଚାର୍ଜସିଟ୍‌ ହୋଇଛି। ଠକେଇରେ ତାକୁ ସହଯୋଗ କରୁଥିବା ଭଉଣୀ ରଶ୍ମିତା ବେଉରା, ଦ୍ୱିତୀୟ ପତ୍ନୀ କମଳା ସ୍ବାଇଁ, ଦୁଇ ସହଯୋଗୀ ମ୍ୟାନେଜର ବିଶ୍ୱଜିତ ଦାସ ଓ ଡ୍ରାଇଭର ଚିତ୍ତରଂଜନ ପଟ୍ଟନାୟକ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ମହିଳା ଥାନା ୯୪୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ସହ ୧୦୩ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି।

ପ୍ରକାଶ ଥାଉ କି, କେନ୍ଦ୍ରାପଡ଼ା ଅଞ୍ଚଳର ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗତ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କ ତିନି ସନ୍ତାନ ଥିବା ବେଳେ ଚଞ୍ଚକତା କରି ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ସେ ଏତିକିରେ ଅଟକି ନଥିଲା। ପ୍ରଥମ ପତ୍ନୀଙ୍କ ୩ ପିଲା ଡାକ୍ତର ଥିବା କଥା ସାମ୍ନାକୁ ଆସିଥିଲା। ପିଲାମାନେ ଉଚ୍ଚଶିକ୍ଷିତ ହୋଇଥିଲେ ବି ରମେଶ ମନ୍ଦ ଉଦ୍ଦେଶ୍ୟ ସାମ୍ନାରେ ସବୁ ଫିକା ପଡ଼ିଥିଲା। ଜ‌ଣକ ପରେ ଜଣେ ମହିଳାଙ୍କୁ ପାଲରେ ପକାଇ ୧୮ ମହିଳାଙ୍କୁ ବିବାହ କରିଥିଲା। ଆଉ ଏଥିରେ ତା’ର ଦ୍ବିତୀୟ ପତ୍ନୀ, ଭଉଣୀ, ଡ୍ରାଇଭର ଏବଂ ମ୍ୟାନେଜର ପୂର୍ଣ୍ଣ ସହଯୋଗ କରୁଥିଲେ।୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ତାଙ୍କଠାରୁ ୧୩ ଲକ୍ଷ ଟଙ୍କା ଚଳୁ କରିଥିଲା। ଏମ୍‌ବିବିଏସ୍‌ରେ ଆଡ୍‌ମିସନ୍‌ କରାଇଦେବା ନାଁରେ ‌ହାଇଦ୍ରାବାଦରେ ଦୁଇକୋଟିରୁ ଅଧିକ ଠକେଇ, କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ ନାଁରେ ରାଜ୍ୟ ବାହାରେ ମଧ୍ୟ ଠକେଇ କରିଥିଲା। ବିଭିନ୍ନ ଥାନାରେ ତା’ ନାଁରେ ୧୫ରୁ ଅଧିକ ମାମଲା ରୁ‌ଜୁ ହୋଇଛି। ମହିଳା ଥାନାରେ ୫ଟି, ଖଣ୍ଡଗିରି ଥାନାରେ ୩ଟି, ଭରତପୁର ଥାନାରେ ୨ଟି, କଟକ ମଙ୍ଗଳାବାଗ ଥାନାରେ ୨ଟି, କେନ୍ଦ୍ରାପଡ଼ା ପାଟକୁରା ଥାନାରେ ଗୋଟିଏ ଆଦି ୧୫ରୁ ଅଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର