୪ କୁଖ୍ୟାତ ଲୁଟେରା ଗିରଫ; ୫ ସୁନାଚେନ୍, ୪ ବାଇକ, ୨୧ ମୋବାଇଲ୍ ଜବତ

କଟକ-ଭୁବନେଶ୍ବରରେ ୪୦ରୁ ଅଧିକ ମାମଲାରେ ସଂପୃକ୍ତ

ଭୁବନେଶ୍ବର : କୁଖ୍ୟାତ ଲୁଟେରା କାଳିଆ-ଗେଡ଼ ସମେତ ୪ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ପୁଲିସ ଆଜି ଗିରଫ କରିଛି। ଜଣେ ମହିଳାଙ୍କ ମୋବାଇଲ୍ ଚୋରି ଅଭିଯୋଗରେ ପୁଲିସ ପ୍ରଥମେ ଦୁଇଜଣଙ୍କୁ ଗିରଫ କରିବା ପରେ ସେମାନଙ୍କର ଲୁଟ୍‌ର କାରନାମା ସାମ୍‌ନାକୁ ଆସିଛି। ଜେଲ୍‌ରୁ ବାହାରିବାର ମାତ୍ର ୧୦ରୁ ୧୫ଦିନ ମଧ୍ୟରେ କାଳିଆ ସହଯୋଗୀଙ୍କ ସହ ମିଶି ମୋବାଇଲ୍ ଲୁଟିବା ସହିତ ୨ରୁ ଅଧିକ ଛିନ୍‌ତାଇ ଓ ବାଇକ୍‌ ଲୁଟ୍ କରି ଧରାପଡ଼ିଛି। ସାମନ୍ତରାପୁରର ଏହି କାଳିଆ ଓରଫ ଚନ୍ଦନ ସାହୁକୁ ସହଯୋଗ କରିଥିବା ତା’ର ପୁରୁଣା ସିନ୍ଧିଚୋର ସହଯୋଗୀ ରଂଜନ ପ୍ରଧାନ ଓରଫ ଗେଡ଼, ନାଗେଶ୍ବର ଟାଙ୍ଗିର ସୁଶାନ୍ତ ବେହେରା ଓରଫ ଦାଦୁନ୍, ସତ୍ୟଜିତ ପାତ୍ର ଓରଫ ପପୁନିକୁ ମଧ୍ୟ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୫ଟି ସୁନାହାର, ୪ଟି ବାଇକ୍ ଓ ୨୧ଟି ମୋବାଇଲ୍ ଜବତ କରିଛି।

ଗତ ୨ତାରିଖରେ ଅପରାହ୍‌ଣରେ ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଗେଡ଼ ଓ ପପୁନି ଏକ ବାଇକ୍‌ରେ ଆସି ଜଣେ ଯୁବତୀଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। ଏହା ପରେ ଅଧାବାଟରେ ଅନ୍ୟ ଏକ ବାଇକ୍‌ରେ ଜଗି ରହିଥିବା କାଳିଆ ଓ ଦାଦୁନ୍ ମୋବାଇଲ୍ ନେଇ ଫେରାର୍ ହୋଇଯାଇଥିଲେ। ଏ ନେଇ ପୁଲିସ ପାଖରେ ଅଭିଯୋଗ ପରେ ଜଣାପଡ଼ିଥିଲା ଯେ ଏହି ଗୋଷ୍ଠୀ ଗତ ୪ ତାରିଖରେ ବିନ୍ଦୁସାଗର ନିକଟରୁ ଜଣେ ମହିଳାଙ୍କ ମୋବାଇଲ ଝାମ୍ପିଥିଲେ; ୧୭ଜୁନ୍‌ରେ ଡୁମୁଡୁମାରେ ଜଣେ ମହିଳାଙ୍କ ଚେନ୍ ଲୁଟ୍‌; ୨୪ଜୁନ୍‌ରେ ରେଣ୍ଟାଲ ଛକରୁ ଲୁଟ୍; ୨୧ ମେ’ରେ ଖଣ୍ଡଗିରି ବାରିରୁ ସୁନା ଚେନ୍ ଲୁଟ୍ ଭଳି ମାଳମାଳ ଲୁଟ୍ କରିଥିଲେ। ଏହି ୪ଲୁଟେରାଙ୍କ ନାଁରେ କଟକ-ଭୁବନେଶ୍ବରରେ କେବଳ ୪୦ରୁ ଅଧିକ ସିନ୍ଧିଚୋରି, ଡକାୟତି, ଛିନ୍‌ତାଇ ଭଳି ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ଚୋରି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଲକ୍ଷେ ଟଙ୍କା ଦାଦାବଟି ମାଗି ଯୁବକ ଗିରଫ
ଭୁବନେଶ୍ବର : ଦାଦାବଟି ମାଗିବା ଅଭିଯୋଗରେ ଆଜି ଯାଁଳା ଫାଣ୍ଡି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଜଟଣୀ ଥାନା ଅନ୍ତର୍ଗତ ଗଙ୍ଗପଡ଼ା ପଞ୍ଚାୟତର ସିଲୁ ପଣ୍ଡା। ସୂଚନା ଅନୁସାରେ ଏଆଇପିଏଲ ଠିକା ସଂସ୍ଥା ୧୬ ନଂ ଜାତୀୟ ରାଜପଥ ସଂପ୍ରସାରଣ କାମ କରୁଛି। ଗଙ୍ଗପଡ଼ାଠାରେ ଏହି ଠିକା ସଂସ୍ଥା କାମ କରୁଥିବା ବେଳେ ସିଲୁ ଆସି ରାଜପଥ କାମ ବନ୍ଦ କରିଥିଲା ଏବଂ ଠିକା ସଂସ୍ଥାର କର୍ମଚାରୀମାନଙ୍କୁ ମା଼ଡ଼ ମାରିଥିଲା। କାମ ବନ୍ଦ କରିବାକୁ ନେଇ କର୍ମଚାରୀ ପ୍ରଶ୍ନ କରିବାରୁ ଏକ ଲକ୍ଷ ଟଙ୍କା ବଟି ନ ଦେଲେ କାମ କରାଇଦେବ ନାହିଁ ବୋଲି ସିଲୁ ଧମକ ଦେଇଥିଲା। ଏ ନେଇ ସଂସ୍ଥା ପକ୍ଷରୁ ସିଲୁ ନାଁରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର