ନିଯୁକ୍ତି ନାଁରେ କୋଟିଏ ଚଳୁ! ଜମିଦାତାଙ୍କ କୋଟା ବାହାନାରେ ଆଇଓସିଏଲ୍‌ରେ ଚାକିରି ଦେବା ପ୍ରଲୋଭନ

ଖଣ୍ଡଗିରି: ଆଇଓସିଏଲ୍‌ରେ ନିଯୁକ୍ତି ଦେବା ବାହାନାରେ ଏକ ଠକ ରୢାକେଟ୍‌ ପ୍ରାୟ ‌କୋଡ଼ିଏ ଜଣ ଯୁବକଙ୍କଠାରୁ ପାଖାପାଖି କୋଟିଏ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ଆଇଓସିଏଲ୍‌କୁ ଜମି ଦେଇଥିବା ପରିବାର କୋଟାରେ କିରାଣି ପଦବିରେ ନିଯୁକ୍ତି ଦେବାକୁ କହି ଏକ ଚାରି ଜଣିଆ ରୢାକେଟ୍‌ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ଏ ନେଇ ଠକାମିର ଶିକାର ହୋଇଥିବା ସାଗର ପରିଡ଼ା ନାମକ ଯୁବକ ପୁଲିସ କମିସନରଙ୍କୁ ଭେଟି ଅଭିଯୋଗ କରିବା ପରେ ରୢାକେଟ୍‌କୁ ଠାବ କରିବା ପାଇଁ ପୁଲିସ ଜାଲ ବିଛାଇଛି।

patrika.com

ସ୍ଥାନୀୟ ଜାଗମରାରେ ଭଡ଼ାରେ ରହୁଥିବା ବାଲେଶ୍ବରର ସାଗରଙ୍କ ଅଭିଯୋଗ ଅନୁସାରେ ସୁରେଶ ବାରିକ ନାମକ ବ୍ୟକ୍ତି ନିଜକୁ ଆଇଓସିଏଲ୍‌ର ମାନବ ସମ୍ବଳ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଆଇଓସିଏଲ୍‌କୁ ଜମି ଦେଇଥିବା ପରିବାରଙ୍କ ପାଇଁ ଥିବା କୋଟାରେ ସେ ଚାକିରି କରାଇ ଦେବେ ବୋଲି ସାଗରଙ୍କୁ କହିଥିଲେ। କିଛି ମାସ ପରେ ସେ ତାଙ୍କୁ ସାକ୍ଷାତକାର ପାଇଁ ପାରାଦୀପ ଡକାଇଥିଲେ। ସାଗର ପାରାଦୀପରେ ପହଞ୍ଚିବା ପରେ ସୁରେଶ ତାଙ୍କୁ ଆଇଓସିଏଲ୍‌ ବାହାରେ ଥିବା ଓ ଅଫିସ ଭଳି ସଜା ହୋଇଥିବା ଏକ କୋଠ‌ା ଘରକୁ ନେଇଥିଲେ। ସେଠାରେ ତାଙ୍କ ଭଳି ପ୍ରାୟ ୨୦ ଜଣ ଯୁବକ ସାକ୍ଷାତକାର ପାଇଁ ଅପେକ୍ଷା କରିଥିଲେ। ସୁରେଶ ବାରିକ ସହ ତାରାକାନ୍ତ ଜେନା, ସାଗର ମହାନ୍ତି, ଅଶୋକ ଦାସ ଉକ୍ତ ଯୁବକମାନଙ୍କ ସାକ୍ଷାତକାର ନେଇଥିଲେ ଓ ପରେ ବିଜେନ୍ଦ୍ର ସିଂହ ନାମକ ବ୍ୟକ୍ତି ସମସ୍ତ ୨୦ ଜଣଙ୍କୁ ନେଇ ଆଇଓସିଏଲ୍‌ କମ୍ପାନି ଭିତରେ ବୁଲାଇ ଆଣିଥିଲେ। ଜମିଦାତାଙ୍କ କୋଟାକୁ ଜାଲିଆତି କରାଯା ଉଥିବାରୁ ମାମଲାକୁ ପୁରା ଲୁଚାଇ ରଖିବାକୁ ସମସ୍ତ ଆଶାୟୀଙ୍କୁ କୁହାଯାଇଥିଲା। ସାଗର ପରିଡ଼ାଙ୍କ ଅଭିଯୋଗ ଅନୁସାରେ ସାକ୍ଷାତକାର ପରେ ତାଙ୍କର ବିଶ୍ବାସ ହୋଇଯାଇଥିଲା ଓ ସେ ପର୍ଯ୍ୟାୟକ୍ରମେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସୁରେଶଙ୍କୁ ୧୦ ଲକ୍ଷ ଟଙ୍କା ଓ ପରେ ହାତରେ ୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। ସେହିଭଳି ସେଦିନ ସାକ୍ଷାତକାର ଦେଇଥିବା ଅନୁଗୁଳ, ସୁନ୍ଦରଗଡ଼, ନିମାପଡ଼ା ଆଦି ଅଞ୍ଚଳର ଯୁବକମାନେ ମଧ୍ୟ ତାରାକାନ୍ତ, ସାଗର ଓ ଅଶୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଗଣିଛନ୍ତି। ମାତ୍ର ଟଙ୍କା ପାଇବା ପରେ ଏବେ ସେମାନେ ଆଉ ଧରାଛୁଆଁ ଦେଉନାହାନ୍ତି। ବରଂ ପାଲଟା ଧମକ ଦେଉଛନ୍ତି।

ସମ୍ବନ୍ଧିତ ଖବର