ରାଜଧାନୀର ଗୁଗୁଲ୍‌ ଶିଶୁ : କମ୍ପ୍ୟୁଟରଠାରୁ କମ୍‌ ନୁହଁନ୍ତି ଏମାନେ

ଭୁବନେଶ୍ୱର : ୧୨୩୭ ପୃଷ୍ଠାର ବଡ଼ ଅକ୍ସଫୋର୍ଡ ଡିକ୍ସନାରି, ଯାହାକୁ ସଂପୂର୍ଣ୍ଣ ଆୟତ୍ତ କରିବା ବଡ଼ ବଡ଼ ଭାଷାବିତ୍‌ଙ୍କ ସପକ୍ଷରେ ବି ସମ୍ଭବ ନୁହେଁ। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି କିଛି ଶିଶୁ ଅଛନ୍ତି ଯାହାଙ୍କ ମୁହେଁ ମୁହେଁ ଡିକ୍ସନାରିର ପ୍ରତିଟି ଶବ୍ଦ ରହିଛି। ସେମାନଙ୍କ ମସ୍ତିଷ୍କ କୌଣସି ସୁପର କମ୍ପ୍ୟୁଟରଠାରୁ କିଛି କମ୍‌ ନୁହେଁ। ଯେ କୌଣସି ମୁହୂର୍ତରେ ଏମାନଙ୍କୁ ପଚାରିଲେ ଡିକ୍ସିନାରିର ଅମୁକ ପୃଷ୍ଠାରେ କଣ ଶବ୍ଦ ରହିଛି ଚଟାପଟ୍‌ ଉତ୍ତର ପାଇବେ। କେବଳ ଏହି ଡିକ୍ସନାରି ନୁହେଁ, ଯେ କୌଣସି ନୂଆ ବହି ଦେଲେ ମାତ୍ର ଦଶ ମିନିଟ୍‌ ଭିତରେ ପିଢି ଶେଷ କରିଦେଉଛନ୍ତି। କିଛି ସମୟ ପରେ ପରୀକ୍ଷା ସ୍ୱରୂପ ପଚାରିଲେ ବହିର ଦଶ ନମ୍ବର ପୃଷ୍ଠାରେ କଣ ରହିଛି, ପନ୍ଦର ନମ୍ବର ପୃଷ୍ଠାରେ କଣ ଅଛି, ଗଳ ଗଳ କରି ସବୁ ତଥ୍ୟ ଗାଇ ଯାଉଛନ୍ତି।

ଯେତେବଡ଼ ମିଶାଣ, ଫେଡ଼ାଣ, ଗୁଣନ ହେଉ କି ହରଣ କଷିବା ପାଇଁ ସେମାନଙ୍କୁ ଖାତା କଲମର ଆବଶ୍ୟକତା ନାହିଁ। ପ୍ରଶ୍ନ ନସରୁଣୁ ଉତ୍ତର ଥୁଆ। ବଡ଼ କଥା ହେଲା ଗୁଗୁଲ୍‌ ବଏ କୁହାଯାଉଥିବା ଏହି ଶିଶୁମାନଙ୍କ ମଧ୍ୟରେ କାହାର ବୟସ ୫ ତ ଆଉ କାହାର ୮ । ୧୨ରୁ କାହା ବୟସ ଅଧିକ ନୁହେଁ। ପ୍ରତ୍ୟେକ କେତେନ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଏତେ ପୋଖତ ଯେ ସେମାନଙ୍କୁ ଯିଏ ଦେଖୁଛି ସିଏ ବିସ୍ମିତ ହୋଇଯାଉଛି।

ଏମାନଙ୍କ ମଧ୍ୟରେ ଜଣେ ପ୍ରମୁଖ ବିଚକ୍ଷଣ ମସ୍ତିସ୍କଧାରୀ ବାଳକ ହେଲେ ଆୟୁଷ ଆଶୀର୍ବାଦ ମହାନ୍ତି(୧୧)। ବର୍ତମାନ ସେ ସେଣ୍ଟ ଜାଭିୟର ସ୍କୁଲ, ଭୁବନେଶ୍ୱରରେ ସପ୍ତମ ଶ୍ରେଣୀର ଛାତ୍ର। ତାଙ୍କର ଏକ ତୀକ୍ଷଣ ଫଟୋଗ୍ରାଫିକ ମେମୋରି ରହିଛି। ସେ ସାରା ବିଶ୍ୱର ବିଭିନ୍ନ ପଦାର୍ଥର ନାମ, ତାର ଆଟମିକ ନମ୍ବର ସହ କହି ଦେଇପାରୁଛନ୍ତି। ବିଜ୍ଞାନର ଛାତ୍ର, ଅଧ୍ୟାପକ ମନେ ରଖିବାକୁ କଷ୍ଟ ହେଉଥିବା ସମୀକରଣ ତାଙ୍କ ମୁହେଁ ମୁହେଁ ଅଛି। ଆଜ୍‌ତକ୍‌ ସହ ବହୁ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କର ସାକ୍ଷାତକାର ପ୍ରଚାର ହୋଇଛି। ଆଜତକ୍‌ ତାଙ୍କୁ ଓ୍ଵଣ୍ଡର ବଏ, ଜୀ ଟିଭି ଗୁଗୁଲ ବଏ, ବଂଶଲ ନ୍ୟୁଜ ଲିଭିଙ୍ଗ ଏନ୍‌ସାଇକ୍ଲୋପିଡ଼ିଆ, ସାଧନା ଟିଭି ‘ତାରେ ଜମିନ୍‌ ପର’ ନାମରେ ତାଙ୍କୁ ନାମିତ କରିଛନ୍ତି। ସେହିପରି ଦୁଇ ସମ୍ପର୍କୀୟ ଭାଇ ସାଇ ଅନୁରାଗ(୯, ଚତୁର୍ଥ ଶ୍ରେଣୀ) ଓ ତାଙ୍କ ଭାଇ ଡି. ବରୁଣ ରାଓ(୧୨, ଷଷ୍ଠ ଶ୍ରେଣୀ) ଗୁରୁ ନାନକ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର। ଦୁଇ ଭାଇଙ୍କୁ ଜୀବନ୍ତ ଡିକ୍ସନାରି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର କୁମାର ଅଭିଜିତ୍‌ ଜେନା (୧୨, ଷଷ୍ଠ ଶ୍ରେଣୀ), ହାଇଟେକ୍‌ ପବ୍ଲିକ ସ୍କୁଲର ଭବାନୀ ପ୍ରସାଦ ଶ୍ରୀଚନ୍ଦନରାଏ(୬, ପ୍ରଥମ ଶ୍ରେଣୀ), ଡିପିଏସ୍‌ ସ୍କୁଲର ସ୍ନେହାସ୍ନିଗ୍ଧା ସାହୁ(୧୧, ଷଷ୍ଠ ଶ୍ରେଣୀ)ଙ୍କୁ ଯେତେ ବଡ଼ ସଂଖ୍ୟାର ପଣକିଆ କିମ୍ବା ମିଶାଣ, ଫେଡାଣ , ଗୁଣନ ପଚାରିଲେ କାଲକୁଲେଟର ପରି ନିର୍ଭୁଲ ଉତ୍ତର ପାଇବେ।

ଡିଏଭି ସ୍କୁଲ, ୟୁନିଟ-୮ର କ୍ରିପାଦିତ୍ୟ ଜେନା(୧୧, ଚତୁର୍ଥ ଶ୍ରେଣୀ), ସ୍ନେହାଶିଷ ଜେନା(୧୧, ପଞ୍ଚମ ଶ୍ରେଣୀ), କୃଷ୍ଣା ଦ୍ୱୀପାୟନୀ(୧୦, ପଞ୍ଚମ ଶ୍ରେଣୀ)ଏମାନଙ୍କୁ ବିଶ୍ୱର ଯେ କୌଣସି ରାଷ୍ଟ୍ର, ରାଜଧାନୀ ସମ୍ପର୍କରେ ପଚାରିଲେ ସେମାନଙ୍କ ଚଟାପଟ୍‌ ଉତ୍ତର ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବ।

ଆଉ ଜଶେ ବିସ୍ମୟକର ଶିଶୁ ହେଲେ ଜିନିଶା ପ୍ରିୟଦର୍ଶିନୀ(୧୨)। ସେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ସପ୍ତମ ଶ୍ରେଣୀରେ ପଢୁଛନ୍ତି,। ତାଙ୍କର ବିଶେଷତା ହେଲା ସେ ଯେ କୌଣସି ଉଚ୍ଚ ଶ୍ରେଶୀର ପୁସ୍ତକ ଦେଖିଲା ପରେ ତାକୁ ମନେ ରଖି ଦେଇପାରୁଛନ୍ତି। ସ୍ୱରୂପ ସିଦ୍ଧାର୍ଥ ପରିଡ଼ା(୯) ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ବିଶ୍ୱର ବିଭିନ୍ନ ପଦାର୍ଥର ନାମ ସେ ଆଟମିକ ନମ୍ବର ସହ ମନେ ରଖିଛନ୍ତି। ସୁବ୍ରତ ସାହୁ(୧୩) ସପ୍ତମ ଶ୍ରେଣୀ, ସେଣ୍ଟ୍‌ ଜାଭିୟର ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟୟନ କରୁଛନ୍ତି, କିନ୍ତୁ ଅକ୍ସଫୋର୍ଡ ଡିକ୍ସିନାରିର ପ୍ରତ୍ୟେକ ଶବ୍ଦ ପୃଷ୍ଠା ସହିତ କହି ଦେଇ ପାରୁଛନ୍ତି । ସବୁଠାରୁ ଅଶ୍ଚର୍ଯ୍ୟର କଥା ସିମରନ୍‌ ସାହୁ(୫) ଯିଏକି ବର୍ତମାନ ପ୍ରଥମ ଶ୍ରେଣୀରେ ପଢୁଛନ୍ତି, କିନ୍ତୁ ଅକ୍ସଫୋର୍ଡ ଡିକ୍ସନାରିର ଅଶୀ ପ୍ରତିଶତ ଶବ୍ଦ ମନେ ରଖିସାରିଲେଣି। ଏମାନଙ୍କ ମଧ୍ୟରୁ ଅନେକ ହିନ୍ଦୁସ୍ଥାନ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନାମ ଲେଖାଇ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି।

ଏହା ସେମାନଙ୍କର ଜନ୍ମଗତ ପ୍ରତିଭା। କିନ୍ତୁ ଏହାକୁ ଆହୁରି ବିକଶିତ କରିବା ଲାଗି ଏମାନେ ସମସ୍ତେ ସତ୍ୟନଗରସ୍ଥିତ ‘ସୁପର୍ବ ମାଇଣ୍ଡ ଏଜୁକେସନ ସେଣ୍ଟର’ରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଅନୁଷ୍ଠାନଟି ମାତ୍ର ଏକ ବର୍ଷ ହେବ ଆରମ୍ଭ ହୋଇଛି। ବୈଜ୍ଞାନିକ ଡ. ଅଟଳ ବିହାରୀ ମଲ୍ଲିକ ଏମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ବଡ଼ ଲୋକଙ୍କ ନିକଟରେ ଏସବୁ ଅସମ୍ଭବ ହେଉଥିବା ବେଳେ, ଏହି କୁନି କୁନି ପିଲା କିପରି ଏଭଳି କାର୍ଯ୍ୟ କରି ପାରୁଛନ୍ତି ପ୍ରଶ୍ନରେ ଡ. ମଲ୍ଲିକ କହିଛନ୍ତି, ଏହି ପିଲାମାନଙ୍କ ଭିଜୁଆଲ ମେମୋରି ବହୁତ୍‌ ତୀକ୍ଷଣ, ଯାହା ବହୁତ କମ୍‌ ଲୋକଙ୍କ ପାଖରେ ଥାଏ। ସେଥିପାଇଁ ଏସବୁ ସମ୍ଭବ ହୋଇ ପାରୁଛି। ଏପରି ଆହୁରି ଅନେକ ପିଲାଙ୍କୁ ପ୍ରସ୍ତୁତ କରିବା ମୋର ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର