ଗ˚ଜେଇ ର‍୍ୟାକେଟ୍‌ରେ ସୁନ୍ଦରୀ : ଷ୍ଟେସନରୁ ୩ ମହିଳା ଗିରଫ

କଟକ : ଅବକାରୀ ବିଭାଗର ନଜର ଏଡ଼ାଇବା ପାଇଁ ଏବେ ଗ˚ଜେଇ ଚାଲାଣ ରୢାକେଟ୍‌ରେ ସୁନ୍ଦରୀ ମହିଳାଙ୍କ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଆଜି ୩ ଜଣ ମହିଳା ମାଫିଆଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିର୍ଗୁଣ୍ତି ରେଳ ଷ୍ଟେସନ୍‌ ନିକଟରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ୧ କ୍ୟୁଣ୍ଟାଲ୍‌ ୫ କେଜି ଓଜନର ଗ˚ଜେଇ ଜବତ ହୋଇଛି। ମହିଳା ମାଫିଆମାନେ ହେଉଛନ୍ତି ପଶ୍ଚିମବଙ୍ଗ ଗୋଲପୁରର ପୂର୍ଣ୍ଣିମା ଦାସ(୪୫), ଝୁମା ଘରାଇ(୩୫) ଏବ˚ ରେବ ଦାସ(୪୦)। ଏମାନେ ସମସ୍ତେ ନିଜ ନିଜ ସ୍ବାମୀଙ୍କ ସହିତ ବିବାହ ବିଚ୍ଛେଦ କରିବା ପରେ ଏଭଳି ମାଫିଆଗିରି ଆରମ୍ଭ କରି ଦେଇଥିଲେ। କିନ୍ତୁ ମାଟ୍ରିକ ଫେଲ୍‌ ଏହି ମହିଳାମାନେ ଏଭଳି ଅନ୍ତଃରାଜ୍ୟ ମାଫିଆ କାରବାରରେ ନିୟୋଜିତ ହେବା ଅବକାରୀ ବିଭାଗକୁ ଚକିତ କରିଛି। ୨୦୧୮ରୁ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ମାମଲାରେ ମୋଟ ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଆଜି ଭୋର ପ୍ରାୟ ୬ଟା ବେଳେ ଉପରୋକ୍ତ ତିନି ମହିଳା ଭୁବନେଶ୍ବରରୁ ଟ୍ରେନ୍‌ ଯୋଗେ ନିର୍ଗୁଣ୍ତି ରେଳ ଷ୍ଟେସନ୍‌କୁ ଆସିଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇ ବସ୍‌ ଯୋଗେ ପଶ୍ଚିମବଙ୍ଗ ଯିବାକୁ ଯୋଜନା କରୁଥିଲେ। ରେଳ ଷ୍ଟେସନ୍‌ଗୁଡ଼ିକରେ ବାରମ୍ବାର ଅବକାରୀ ବିଭାଗ ଓ ପୁଲିସର ଚଢ଼ଉ କରୁଥିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ବସ୍‌ରେ ଯିବାକୁ ଯୋଜନା କରିଥିଲେ। ଏଭଳି ଯୋଜନା ଚାଲିଥିବା ବେଳେ ଅବାକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ଜେରା ପରେ ମାଫିଆଗିରି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି।

ଏହି ମହିଳା ଗ୍ୟାଙ୍ଗ ଭୁବନେଶ୍ବରରେ ଏକ ହୋଟେଲ୍‌ରେ ଭଡ଼ାରେ ରହୁଥିଲେ। ମାସିକ ଅତି ବେଶିରେ ୩ଟି ପର୍ଯ୍ୟାୟରେ ଭଡ଼ାରେ ରହୁଥିଲେ। ଅବକାରୀ ବିଭାଗ କିମ୍ବା ପୁଲିସର ସନ୍ଦେହ ନହେବା ପାଇଁ ଏମାନେ ପୋଷାକ ପରିଧାନ ପ୍ରତି ଯଥେଷ୍ଟ ସତର୍କ ଥିଲେ। ଏମିତିକି, ସନ୍ଦେହ ନ ହେବା ପାଇଁ ଦାମୀ ଲଗେଜ୍‌ ବ୍ୟାଗ୍‌ରେ ହିଁ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଆଜି ଏମାନେ ୪ଟି ବ୍ୟାଗ୍‌ରେ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ। ଖୋର୍ଧାରୁ ଗଞ୍ଜେଇ କେଜି ପିଛା ୩,୨୦୦ ଟଙ୍କାରେ କିଣି କଲିକତାରେ ୬ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଅର୍ଥାତ କେଜି ପିଛା ୩ ହଜାର ଟଙ୍କା ପାଖାପାଖି ଲାଭ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର