ଶୁଭ ଶୁକ୍ରବାର: ଯୀଶୁଙ୍କ ତ୍ୟାଗ ସ୍ମରଣ କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ‘ଝୁଲିଲ ମୋ’ ପାଇଁ କ୍ରୁଶରେ ଆହେ ମୋ ଯୀଶୁ ସୁନ୍ଦର, ଝରିଗଲା ଝରଝର କେତେ ତପତ ରୁଧିର।’ ଆଜି ଶୁଭ ଶୁକ୍ରବାର ପାଳନ ଅବସରରେ ସହରର ଚର୍ଚ୍ଚଗୁଡ଼ିକରେ ଗୁଞ୍ଜରିତ ହେଉଥିଲା ଏଭଳି ଦାରୁଣ ଗୀତିମାଳା। ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରିବା ଅବସରରେ ସମବେତ ସ୍ୱରରେ ଗାଉଥିଲେ ଏଭଳି ଗୀତ। ସେହିଭଳି ପ୍ରଭୁ ଯୀଶୁଙ୍କ କ୍ରୁଶବିଦ୍ଧର କରୁଣ କାହାଣୀ ଓ ମଣିଷ ସମାଜ ପାଇଁ ତ୍ୟାଗର ଗାଥା ଭକ୍ତଙ୍କୁ ବୁଝାଇ କହୁଥିଲେ ଫାଦର୍‌।

ଆଜି ଶୁଭ ଶୁକ୍ରବାର (ଗୁଡ୍‌ ଫ୍ରାଇଡେ’) ଅବସରରେ ୟୁନିଟ୍‌-୪ର ୟୁନିୟନ୍‌ ଚର୍ଚ୍ଚରେ ବେଙ୍ଗାଲୁରୁରୁ ଆସିଥିବା ଫାଦର୍‌ ଜନ୍‌ କେ ଜନ୍‌ ପ୍ରଭୁ ଯୀଶୁଙ୍କର କ୍ରୁଶବିଦ୍ଧର ରହସ୍ୟ ଉନ୍ମୋଚନ କରିବାକୁ ଯାଇ ବାଇବେଲ୍‌ ଚର୍ଚ୍ଚା କରିଥିଲେ। ତାଙ୍କ କହିବା କଥା ସଂସାରରେ ପାପର ଭାର ବଢ଼ିଯିବା ବେଳେ ଈଶ୍ୱରଙ୍କ ଦୂତ ମଦର ମେରୀଙ୍କ ପାଖକୁ ଆସିଥିଲେ ଓ ସେ ଗର୍ଭବତୀ ହୋଇଥିବା ସନ୍ଦେଶ ଦେଇଥିଲେ। ଜନ୍ମ ନେବାକୁ ଥିବା ଶିଶୁ ପବିତ୍ର ଜୀବନ ବଞ୍ଚିବ ଓ ଦିନେ ଜଗତ ଉଦ୍ଧାର କରିବ ବୋଲି ଈଶ୍ବରଙ୍କ ଦୂତ ମେରୀଙ୍କୁ ବୁଝାଇଥିଲେ। ସତକୁ ସତ ତାହା ହିଁ ହୋଇଥିଲା।

ପାପ ବିନାଶ ପାଇଁ ପ୍ରଭୁ ଯୀଶୁ କ୍ରୁଶବିଦ୍ଧ ହୋଇ ଜଗତରେ ଶାନ୍ତି, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା କଲେ। ସେ ଦିନ ବି ଥିଲା ଶୁକ୍ରବାର। ଖାସ୍‌ ଏହିଭଳି ଏକ ପବିତ୍ର ମୁହୂର୍ତର ସ୍ମୃତିଚାରଣ ପୂର୍ବକ ସାରା ବିଶ୍ବରେ ଆଜି ପାଳିତ ହୋଇଛି ଗୁଡ୍‌ ଫ୍ରାଇଡେ’। ଖ୍ରୀଷ୍ଟ (ସମ୍ମିଳିତ)ମଣ୍ଡଳୀ ଆନୁକୂଲ୍ୟରେ ୟୁନିଟ-୪ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସକାଳ ୧୦ଟାରେ ଇଂରାଜୀରେ ଓ ଅପରାହ୍‌ଣ ୪ଟାରେ ଓଡ଼ିଆରେ ପ୍ରାର୍ଥନା ଓ ଉପାସନା କରାଯାଇଥିଲା। ସେହିପରି ସତ୍ୟନଗର କ୍ୟାଥଲିକ୍‌ ଚର୍ଚ୍ଚରେ ମଧ୍ୟ ଅନୁରୂପ ପ୍ରାର୍ଥନା ହୋଇଥିଲା। ଦିନ ତମାମ ପର୍ଯ୍ୟାୟକ୍ରମେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ ପ୍ରାର୍ଥନା ଓ ଈଶ୍ୱରଙ୍କ ଆରାଧନା କରାଯାଇଥିଲା। ଏହି ଅବସରରେ କ୍ରୁଶବିଦ୍ଧ ପ୍ରଭୁ ଯୀଶୁଙ୍କ ପ୍ରତିମାକୁ ନେଇ ଜନପଥ ପରିକ୍ରମା କରାଯାଇଥିଲା।

ସମ୍ବନ୍ଧିତ ଖବର