ବିଲରେ ଗାଈ ଖାଇବାରୁ ପିଟାପିଟି, ୫ ଆହତ

ବାଲିପାଟଣା : ପରିବା ବିଲରେ ଗାଈ ପଶି ଖାଇବାକୁ ନେଇ ସ୍ଥାନୀୟ ମହୁଖଣ୍ଡା ଗାଁରେ ଘଟିଥିବା ଗଣ୍ଡଗୋଳରେ ଦୁଇ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ମହୁଖଣ୍ଡା ଲେଙ୍କାସାହିର ଗଙ୍ଗାଧର ଲେଙ୍କା(୫୫), ତାଙ୍କ ପୁଅ ମିଥୁନ ଲେଙ୍କା(୨୬) ଓ ସ୍ୱାଧୀନ ଲେଙ୍କା (୨୨)। ସେହିଭଳି ପ୍ରତିପକ୍ଷର ଆହତମାନେ ହେଲେ ସନ୍ତୋଷ ଭୋଳ (୨୫) ଓ ବିକାଶ ଭୋଳ (୨୦)। ଭୋଳ ଘର ଗାଈ ଲେଙ୍କା ଘର ପରିବା କିଆରିରେ ପଶି ଫସଲ ନଷ୍ଟ କରିବାରୁ ଏହି ଗଣ୍ଡ‌ଗୋଳ ଘଟିଥିବା ଜଣାପଡ଼ିଛି। ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପାଇ ମାମଲା ତଦନ୍ତ କରୁଛି।

ସୂଚନାନୁସାରେ, ମହୁଖଣ୍ଡାର ଗଙ୍ଗାଧର ଲେଙ୍କା ତାଙ୍କ ଜମିରେ ପୋଟଳ ଓ ବାଇଗଣ ଚାଷ କରିଛନ୍ତି। ପାଖ ଗାଁର ବଣି ଭୋଳଙ୍କ ଗାଈ ବାରମ୍ବାର ଗଙ୍ଗାଧରଙ୍କ ବିଲରେ ଫସଲ ନଷ୍ଟ କରୁଥିଲେ। ତେଣୁ ଗତକାଲି ଗଙ୍ଗାଧର ବଣିଙ୍କୁ ଡାକି ବାରଣ କରିଥିଲେ। ଆଜି ସକାଳେ ପୁଣି ବଣିଙ୍କ ଗାଈ ଗଙ୍ଗାଧରଙ୍କ ପରିବା କିଆରିରେ ପଶିଥିଲେ। ତେଣୁ ଆଜି ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବଚସା ହୋଇଥିଲା। ଅପରାହ୍‌ଣରେ ଗଙ୍ଗାଧର ତାଙ୍କ ଦୁଇ ପୁଅ ମିଥୁନ୍‌ ଓ ସ୍ବାଧୀନକୁ ସାଙ୍ଗରେ ଧରି ଫସଲରେ ଔଷଧ ପକାଇବା ପାଇଁ ଯାଉଥିଲେ। କିନ୍ତୁ ସେମାନଙ୍କୁ ଆକ୍ରମଣ କରିବାକୁ ବଣିଙ୍କ ପରିବାରଲୋକେ ଛକି ରହିଥିଲେ ବୋଲି ସେମାନେ ଜାଣିନଥିଲେ। ହଠାତ୍‌ ସେମାନେ ଗଙ୍ଗାଧର ଓ ତାଙ୍କ ଦୁଇ ପୁଅଙ୍କୁ ଶାବଳ, ଠେଙ୍ଗା, ଭୁଜାଲି ଓ କଟୁରିରେ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣରେ ଗଙ୍ଗାଧର ଓ ସ୍ୱାଧୀନଙ୍କ ମୁଣ୍ଡ ଫାଟି ଯାଇଥିଲା। ଗଙ୍ଗାଧର ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତେବେ ପ୍ରତିଆକ୍ରମଣରେ ବଣିଙ୍କ ପରିବାରୁ ସନ୍ତୋଷ ଓ ବିକାଶ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର