ଆଫଗାନିସ୍ତାନରେ ଗୃହଯୁଦ୍ଧ ଆଶଙ୍କା

ଆମେରିକୀୟ ଜେନେରାଲଙ୍କ ଚେତାବନୀ: ଆଇଏସ୍‌, ଅଲ୍‌କାଏଦା ପୁଣି ସକ୍ରିୟ ହେବେ

ୱାଶିଂଟନ: ଆଫଗାନିସ୍ତାନରେ ତାଲିବାନ ବାହିନୀ ପଞ୍ଜଶୀରର ବିଦ୍ରୋହୀ ଗୋଷ୍ଠୀ ସହ ଏବେ ଲଢ଼ୁଥବାରୁ ସେମାନଙ୍କର ସରକାର ଗଠନ ବିଳମ୍ବିତ ହେଉଛି। ଏଭଳି ସ୍ଥିତିରେ ଆମେରିକା ସେନାର ଜଣେ ଶୀର୍ଷ ଜେନେରାଲ ମାର୍କ ମିଲେ ସେଠାରେ ଏକ ବଡ଼ ଧରଣର ଗୃହଯୁଦ୍ଧ ଆଶଙ୍କା କରିଛନ୍ତି। ଏହା ଅଲ୍‌ କାଏଦାର ପୁନର୍ଗଠନ ଅଥବା ଆଇଏସ୍‌ଆଇଏସ୍‌ ଅଭ୍ୟୁତ୍ଥାନ ଆଡ଼କୁ ବାଟ କଢ଼ାଇ ନେବ ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି।

ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ ମିଲେ କହିଛନ୍ତି, ତାଲିବାନ ଯୋଦ୍ଧାମାନେ ଅନାୟାସରେ ଗୋଟାଏ ପରେ ଗୋଟାଏ ପ୍ରଦେଶ ଦଖଲ କରିବା ପରେ ବିନା ପ୍ରତିରୋଧରେ ରାଜଧାନୀ କାବୁଲ ବି କାବୁ କରିନେଲେ। କିନ୍ତୁ ପ୍ରଥମଥର ପାଇଁ ସେମାନେ ପଞ୍ଜଶୀରରେ ଆଣ୍ଠେଇବା ଦେଖାଯାଉଛି, ଯେଉଁଠି ତାଲିବାନ-ବିରୋଧୀ ପ୍ରତିରୋଧ ବାହିନୀର ନେତୃତ୍ବ ନେଉଛନ୍ତି ଅହମଦ ମାସୁଦ ଓ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ। ପଞ୍ଜଶୀରରେ ଯୁଦ୍ଧ ଚାଲିଥିବା ବେଳେ ତାଲିବାନ-ହକାନି ଗୋଷ୍ଠୀ ଭିତରେ କ୍ଷମତାକନ୍ଦଳ ନଜରକୁ ଆସିଲାଣି। ସେମାନଙ୍କ ଗୋଷ୍ଠୀ ବିବାଦ ଆଗକୁ ଅତି ଜଟିଳ ସ୍ଥିତି ସଷ୍ଟି କରିବ ବୋଲି ସେ କହିଛନ୍ତି।

ତାଲିବାନ ବାହିନୀ ରକ୍ତାକ୍ତ ସଂଗ୍ରାମ ପରେ ପଞ୍ଜଶୀରକୁ ଦଖଲ କରି ନେଇଛନ୍ତି ବୋଲି ଦାବି କରିଥିଲେ ମଧ୍ୟ ଘାଟିରେ ଲଢ଼େଇ ବନ୍ଦ ହେବନାହିଁ ବୋଲି ଜଣାପଡ଼ିଛି। ବିଦ୍ରୋହୀମାନେ ମଧ୍ୟ ଏବେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ତାଲିବାନୀ ସୂତ୍ରରୁ ଜଣାପଡ଼ିଛି ଯେ, ପଞ୍ଜଶୀରରେ ଯୁଦ୍ଧ ଚାଲିଥିବା ବେଳେ ପ୍ରାଦେଶିକ ରାଜଧାନୀ ବଜାରକୁ ଯିବା ବାଟରେ ଲ୍ୟାଣ୍ଡମାଇନ୍ ବିଛାଯାଇଥିବା ଯୋଗୁ ତାଲିବାନ ଆତଙ୍କବାଦୀ ଆଗକୁ ଯାଇପାରି ନାହାନ୍ତି। ଏଣେ ତାଲିବାନମାନେ ମାନବିକ ଅଧିକାରଗତ ସଂକଟ ସୃଷ୍ଟି କରିବା ସହ ନିରୀହ ଲୋକଙ୍କୁ ହତ୍ୟା କରି ସବୁକିଛି ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ କରୁଛନ୍ତି ବୋଲି ପଞ୍ଜଶୀର ନେତାମାନେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର