ରାଜଧାନୀରେ ବନ୍ଧୁକ ବେପାର : ୩ ଗିରଫ, ବନ୍ଧୁକ, ଗୁଳି, ସ୍କର୍ପିଓ ଜବତ

ଯୁବତୀ ସାଜିଥିଲେ ସୁରକ୍ଷା କବଚ, ଖଣ୍ଡଗିରିରୁ ଗୋଡ଼ାଇ ଗୋଡ଼ାଇ କଳ୍ପନା ଛକରୁ ଧରିଲେ

ଭୁବନେଶ୍ୱର : ରାଜଧାନୀରେ ଚାଲିଛି ବେଧଡ଼କ ଚୋରା ବନ୍ଧୁକ କାରବାର। ବନ୍ଧୁକ ଡିଲ୍ ଚାଲିଥିବା ବେଳେ ଗତକାଲି ଏହାର ପର୍ଦ୍ଦାଫାସ୍ କରିଛି ଏସଟିଏଫ୍। ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ମ୍ୟୁଜିୟମ ଛକ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ସାମ୍ନାରୁ ବଡ଼ଗଡ଼ ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚର ଏସଟିଏଫ୍ ମିଳିତ ଚଢ଼ଉ କରି ଏକ ସ୍କର୍ପିଓରୁ ଜଣେ ଯୁବତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୯ ଏମ୍ଏମ୍ ପିସ୍ତଲ, ୪ ରାଉଣ୍ଡ ଗୁଳି, ସ୍କର୍ପିଓ, ଏଟିଏମ୍ କାର୍ଡ, ମୋବାଇଲ ଫୋନ୍ ଜବତ କରାଯାଇଛି। କିନ୍ତୁ ଚଢ଼ଉ ସମୟରେ କୁଖ୍ୟାତ ବନ୍ଧୁକ ବେପାରୀ ଆଲୋକ ଜେନା ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ାର ରାଜେନ୍ଦ୍ର ସାହୁ ଓ ଗୌରାଙ୍ଗ ଜେନା ଏବଂ ନିମାପଡ଼ାର ଜ୍ୟୋତ୍ସ୍ନାରାଣୀ ଦାସ। ଜ୍ୟୋତ୍ସ୍ନା ଉତ୍କଳ କନିକା ଗ୍ୟାଲେରିଆ ମଲରେ ଥିବା ଫୁଡକୋର୍ଟରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜେନ୍ଦ୍ର ବନ୍ଧୁକ କିଣିବା ଲାଗି କୁଖ୍ୟାତ ବେପାରୀ ଆଲୋକ ଜେନା ସହ ଡିଲ୍ କରିଥିଲା। ଭୁବନେଶ୍ବରର କୌଣସି ଏକ ସ୍ଥାନରେ ଏହି କିଣାବିକା ହେବ ବୋଲି ସେମାନଙ୍କ ଭିତରେ ପୂର୍ବରୁ କଥାବାର୍ତ୍ତା ହୋଇଥିଲା। ଏ ନେଇ ଏସଟିଏଫ୍‌କୁ ସୂଚନା ମିଳିଥିଲା। ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ରାଜେନ୍ଦ୍ର ନିଜ ସ୍କର୍ପିଓ (ଓଆର୦୨ଏଇ-୯୯୯୩)ରେ ଖଣ୍ଡଗିରି ନିକଟରେ ବେପାରୀ ଆଲୋକ ଜେନାକୁ ଅପେକ୍ଷା କରିଥିବା ବେଳେ ଏସଟିଏଫ୍ ପକ୍ଷରୁ ଖଣ୍ଡଗିରି ଥାନାକୁ ସୂଚନା ଦିଆ ଯାଇଥିଲା। ସେଠାରେ ଡିଲ୍ ହୋଇ ନ ପାରିବାରୁ ସେମାନେ ସିଆରପି ନିକଟକୁ ଚାଲି ଆସିଥିଲେ। ସ୍କର୍ପିଓକୁ ପିଛା କରୁଥିବା ଏସଟିଏଫ୍ ଏ ନେଇ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲା। ଯେମିତି କୌଣସି ସନ୍ଦେହ ନ ହେବ ସେଥିଲାଗି ଚତୁରତାର ସହ ସେଠାରେ ମଧ୍ୟ ଡିଲ୍ ହୋଇ ନ ଥିଲା। ଏହାପରେ ସେମାନେ ଚନ୍ଦ୍ରଶେଖରପୁର, ସହିଦନଗର ହୋଇ ରସୁଲଗଡ଼ ଛକକୁ ଆସିଥିଲେ। ଏହି ସବୁ ଅଞ୍ଚଳରେ ମଧ୍ୟ ଡିଲ୍ ହୋଇ ନ ଥିଲା। ସ୍କର୍ପିଓ କଟକରୋଡ ଦେଇ କଳ୍ପନା ଆଡ଼େ ଯାଇଥିଲା। କଟକରୋଡରେ ଡିଲ୍ ହେବା ପରେ ସ୍କର୍ପିଓ ଯାଇ ଲାଗିଥିଲା ଗ୍ୟାଲେରିଆ ମଲ୍ ଆଗରେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଓ ଏସଟିଏଫ୍ ଚଢ଼ଉ କରି ସ୍କର୍ପିଓ ଭିତରୁ ରାଜେନ୍ଦ୍ର, ଗୌରାଙ୍ଗ ଓ ଜ୍ୟୋତ୍ସ୍ନାଙ୍କୁ ନିଜ ହେପାଜତକୁ ନେଇଥିଲା। ସେମାନେ ପ୍ରଥମେ କିଛି ମାନି ନ ଥିଲେ। ସ୍କର୍ପିଓ ଯାଞ୍ଚ ହେବା ପରେ ସିଟ୍ ତଳୁ ବନ୍ଧୁକ, ଗୁଳି ଜବତ ହୋଇଥିଲା। ଜ୍ୟୋତ୍ସ୍ନା ନିଜକୁ ମଲ୍‌ର ଫୁଡକୋର୍ଟ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପୁଲିସ ସେଠାକୁ ଯାଇ ଯାଞ୍ଚ କରିବା ପରେ ସେ କର୍ମଚାରୀ ବୋଲି ଜଣା ପଡ଼ିଥିଲା। କିନ୍ତୁ ଜେରା ବେଳେ ବନ୍ଧୁକ ଡିଲ୍‌ରେ ତାଙ୍କ ସମ୍ପୃକ୍ତି ଜାଣିବାକୁ ପାଇଥିଲା ପୁଲିସ।

ପୁଲିସ ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କ ଦୂର ସମ୍ପର୍କୀୟା ହେଉଛନ୍ତି ଜ୍ୟୋତ୍ସ୍ନା। ବନ୍ଧୁକ ଡିଲ୍‌ ସମୟରେ ଯଦି ରାଜେନ୍ଦ୍ର ପୁଲିସ ହାବୁଡ଼ରେ ପଡ଼ନ୍ତି ତାହାଲେ ତାଙ୍କୁ ବଞ୍ଚାଇବାକୁ ସୁରକ୍ଷା କବଚ ସାଜିଥିଲେ ଜ୍ୟୋତ୍ସ୍ନା। ଧରା ପଡ଼ିବା ପରେ ମଧ୍ୟ ସେମାନଙ୍କ ସମ୍ପର୍କୀୟ ଓ ବୁଲିବାକୁ ଆସିଥିଲେ ବୋଲି କହି ଖସି ଯିବାକୁ ଚାହିଁଥିଲେ। କିନ୍ତୁ ପୁଲିସ ଜେରାରୁ ସବୁ ସତ ମାନି ଯାଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ରାଜେନ୍ଦ୍ର କାହିଁକି ଏହି ବନ୍ଧୁକ କିଣିଥିଲେ? କୌଣସି ଅପରାଧୀ ଗୋଷ୍ଠୀ ସହ ସେ ଜଡ଼ିତ ଅଛନ୍ତି କି? ନିଜ ସୁରକ୍ଷା ପାଇଁ ସେ ଏହି ବନ୍ଧୁକ ନେଇଥିଲେ କି? ନା କିଛି ଅପରାଧ ଘଟାଇବାର ଯୋଜନା ରହିଥିଲା? ଏହି ଦିଗକୁ ନେଇ ଏସଟିଏଫ୍ ଛାନଭିନ୍ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ଅଧିକ ତଦନ୍ତ ଲାଗି ସେମାନଙ୍କୁ ରିମାଣ୍ଡରେ ଅଣା ଯାଇପାରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର