ପୁଣି ନିଶା ଦେଇ ଲୁଟିଲେ: ରାସ୍ତାକଡ଼ରେ ଫିଙ୍ଗିଦେଲେ,୧୫ରୁ ୧୩ ମାମଲାରେ ପୁଲିସ ବିଫଳ

ଭୁବନେଶ୍ବର: ରାଜଧାନୀରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲୁଟେରାମାନେ ନିୟମିତ କାହାକୁ ନା କାହାକୁ ନିଜ ଜାଲରେ ପକାଉଛନ୍ତି। ଆଜି ଜଣେ ଏଭଳି ନିଶାଦିଆ ଲୁଟେରାଙ୍କ ଜାଲ‌ର ପଡ଼ିଛନ୍ତି ଭୁବନେଶ୍ବରର ଗଙ୍ଗାଧର ପଣ୍ଡା। ବ୍ରହ୍ମପୁରରୁ ବସ୍‌ରେ ଆସି ବରମୁଣ୍ଡାରେ ପହଞ୍ଚିବା ପରେ ତାଙ୍କୁ ଚା’ରେ ନିଶା ଦେଇ ଟଙ୍କା ଓ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା। ପରେ ତାଙ୍କୁ ଚନ୍ଦକା ଜଙ୍ଗଲ କଡ଼ରେ ଫିଙ୍ଗି ଦେଇଛନ୍ତି। ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସେ ଆଜି ବସ୍‌ ଯୋଗେ ବ୍ରହ୍ମପୁରରୁ ଫେରୁଥିଲେ। ବସରେ ହିଁ ନିଶାଦିଆ ଲୁଟେରା ତାଙ୍କୁ ଟାର୍ଗେଟ୍‌ କରିଥିଲା। ବସ୍‌ ଭିତରେ ତାଙ୍କ ସହ ବନ୍ଧୁତା କରିଥିଲେ। ଭୋର ୩ଟା ବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଏକାଠି ଚା’ ପିଇଥିଲେ। ଚା’‌ରେ ଲୁଟେରା ନିଶାଦ୍ରବ୍ୟ ମିଶାଇ ଦେଇଥିଲା। ପରେ ସେମାନେ ଏକାଠି ଟାକ୍ସି ବୁକ୍‌ କରି ଘରକୁ ଯିବାକୁ ଯୋଜନା କରିଥିଲେ। ଭୋର୍‌ରେ ଏକୁଟିଆ ଯିବା ନିରାପଦ ନୁହେଁ ଚିନ୍ତା କରି ଗଙ୍ଗାଧର ସମ୍ପୃକ୍ତ ଅଜଣା ଲୋକ ସହ ଟାକ୍ସିରେ ଯାଇଥିଲେ। ହେଲେ କିଛି ସମୟ ପରେ ନିଶା ପ୍ରଭାବରେ ସେ ‌ଅଚେତ ହୋଇଯାଇଥିଲେ। ତାଙ୍କ ନିଶା ଛାଡ଼ିବା ବେଳକୁ ସକାଳ ୧୦ଟା ହୋଇଥିଲା। ରାସ୍ତାକଡ଼ରେ ଜଣେ ଲୋକ ଏଭଳି ପଡ଼ିଥିବା ଦେଖି କିଛି ଲୋକ ଚନ୍ଦକା ଥାନାକୁ ଖବର ମଧ୍ୟ ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତେବେ ଦୁର୍ବୃତ୍ତ ତାଙ୍କଠାରୁ ସୁନାଚେନ୍‌ ଓ ମୁଦି ସହ ୫ ହଜାର ଟଙ୍କା ଲୁଟି ନେଇଥିଲା। ଖବର ପାଇ ତାଙ୍କ ପତ୍ନୀ ହସ୍‌ପିଟାଲରେ ପହଞ୍ଚିଥିଲେ।

ତେବେ ଏହି ଗୋଟିଏ ଘଟଣା ନୁହେଁ; ଗତ ୧୫ଦିନ ଭିତରେ ୧୦ଜଣ ଏଭଳି ନିଶାଦିଆ ଲୁଟେରାଙ୍କ କବଳରେ ପଡ଼ି ଲୁଟ୍‌ର ଶିକାର ହେଲେଣି। ସମସ୍ତ ଘଟଣାରେ ଅନୁରୂପ ଢ଼ଙ୍ଗରେ ଲୁଟେରା ନିଶା ଦେଇ ଲୁଟ୍‌ କରିଛି। ଭୋର୍‌ ସମୟରେ ଏଭଳି ଲୁଟ୍‌ପାଟ୍‌ ହେଉଛି। ବସ୍‌ ଓ ଟ୍ରେନ୍‌ ଯାତ୍ରୀମାନଙ୍କୁ ଲୁଟେରା ଟାର୍ଗେଟ୍‌ କରି ଲୁଟୁଛନ୍ତି। ବସ୍‌ କିମ୍ବା ଟ୍ରେନ୍‌ରେ ଆସିବା ବେଳେ ଲୁଟେରା ସହଯାତ୍ରୀ ହୋଇ ବନ୍ଧୁ ବାନ୍ଧିବା ପରେ ଲୁଟ୍‌ କରୁଛି। ବିଡ଼ମ୍ବନା ହେଲା, ମୋଟ ୧୫ମାମଲାରୁ ୧୩ଟି ମାମଲାରେ ରେଳବାଇ କିମ୍ବା କମିସନରେଟ୍‌ ପୁଲିସକୁ ସଫଳତା ମିଳିନାହିଁ।

ସମ୍ବନ୍ଧିତ ଖବର