ଓଡ଼ିଆ ଭାଷାରେ କୋର୍ଟ କାର୍ଯ୍ୟ ପାଇଁ ହାଇକୋର୍ଟଙ୍କ ଗୁରୁତ୍ବ: ନିଯୁକ୍ତ ହେବେ ୨୩ ଜଣ ଅନୁବାଦକ

ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟର ଚାଲିଛି ଓଡିଆ ଅନୁବାଦ, ଓଡ଼ିଶା ହାଇକୋର୍ଟର ରାୟ ହିନ୍ଦୀରେ ହେଉଛି ଅନୁବାଦ

ଭୁବନେଶ୍ବର: ଆଞ୍ଚଳିକ ଭାଷାରେ କୋର୍ଟ କାର୍ଯ୍ୟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ବାରୋପ ପରେ ଯୁଦ୍ଧକାଳୀନ ଭିତ୍ତିରେ ସେଦିଗରେ ଓଡିଶା ହାଇକୋର୍ଟରେ କାର୍ଯ୍ୟ ଚାଲିଛି। ଏକ ସମନ୍ବିତ ପ୍ରଣାଳୀରେ ଏହି କାର୍ଯ୍ୟ ଆଗକୁ ବଢୁଥିବା ଜଣାପଡିଛି। କୋର୍ଟଙ୍କ ଅନୂଦିତ ରାୟର ଓଡିଆ କପି ହିଁ କେବଳ ପକ୍ଷଭୁକ୍ତଙ୍କୁ ବୁଝିବା ପାଇଁ ପ୍ରଯୁଜ୍ୟ। କୋର୍ଟ କାର୍ଯ୍ୟ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ରାୟର ଇଂରାଜୀ କପି କେବଳ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୩ ଫେବ୍ରୁଆରି ମାସରୁ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଓଡ଼ିଆ ଅନୁବାଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟଗୁଡିକର ଓଡିଆ ଅନୁବାଦ ଏବେ କରାଯାଉଛି। ସୁପ୍ରିମକୋର୍ଟରେ ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ଓଡିଶା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟ୍ୟରୁ ୧୫୫ଟି ରାୟର ଏବେ ସୁଦ୍ଧା ଓଡିଆ ଅନୁବାଦ କରାଯାଇ ସାରିଲାଣି। ତନ୍ମଧ୍ୟ୍ୟରୁ ଓଡିଶା ବନାମ ଏମ୍‌ଜି ରୁଙ୍ଗ୍‌ଟା, ଅର୍ଜୁନ ଲାଧା, ଏମଏ ଟୁଲକ, ମହମ୍ମଦ ସିରାଜୁଦ୍ଦିନ, ଏସ୍‌ ଲାଲ, କଳିଙ୍ଗ ଟ୍ୟୁବ୍‌ସର ଆୟକର ମାମଲା, ମହାପ୍ରଭୁ ଲିଙ୍ଗରାଜ ବିଜେ ବନାମ ନିତ୍ୟାନନ୍ଦ ମିଶ୍ର, ବୃନ୍ଦାବନ ନାୟକ ବନାମ ଭାରତୀୟ ନିର୍ବାଚନ ଆୟୋଗ, ଖଣିଜ ରିହାତିକୁ ନେଇ ଓଡିଶା ବନାମ ଭାରତ ସରକାର, ମହନ୍ତ ଶ୍ରୀ ଜଗନ୍ନାଥ ରାମାନୁଜ ଦାସ ବନାମ ଓଡିଶା, ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ବନାମ ଓଡିଶା, ଲୋକାୟୁକ୍ତ ବନାମ ପ୍ରଦୀପ ପାଣିଗ୍ରାହୀ, ଦୀନବନ୍ଧୁ ସାହୁ ବନାମ ଯଦୁମଣି ମଙ୍ଗରାଜ ପ୍ରଭୁତି ଅନ୍ୟତମ। ସେହିଭଳି ଓଡିଶା ହାଇକୋର୍ଟର ୮୧ଟି ରାୟ ଓଡିଆରେ ଅନୁବାଦ ହୋଇ ସାରିଲାଣି। ସେଗୁଡିକ ମଧ୍ୟରେ ‘କିଟ୍‌’ ବନାମ ଆୟକର ବିଭାଗ, କେ ରବୀନ୍ଦ୍ର ପାତ୍ର ବନାମ ଓଡିଶା(ଭିଜିଲାନ୍ସ), ଭାରତ ସରକାର ବନାମ କଲିକତା ସ୍ପ୍ରିଙ୍ଗ ଲିମିଟେଡ ପ୍ରଭୃତି ରହିଛି।

ନିଯୁକ୍ତ ହେବେ ୨୩ ଜଣ ଅନୁବାଦକ
ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟର ଚାଲିଛି ଓଡିଆ ଅନୁବାଦ
ଓଡ଼ିଶା ହାଇକୋର୍ଟର ରାୟ ହିନ୍ଦୀରେ ହେଉଛି ଅନୁବାଦ
ନୂଆ ଓଡ଼ିଆ ଆଇନ ଶବ୍ଦକୋଷର ପ୍ରସ୍ତୁତି ମଧ୍ୟ ଚାଲିଛି

ଏହା ସହ ଓଡିଶା ହାଇକୋର୍ଟର ଅନେକ ଗୁରୁତ୍ବପୂର୍ଣ୍ଣ ରାୟର ହିନ୍ଦୀ ଅନୁବାଦ ସୁପ୍ରିମକୋର୍ଟଙ୍କ ପକ୍ଷରୁ କରାଯାଇ ଅଭିଲେଖାଗାରରେ ରଖାଯାଇଛି। ଏବେ ସୁଦ୍ଧା ଲଳିତା କୁମାରୀ ବନାମ ଉତ୍ତରପ୍ରଦେଶ ସରକାର, ଅର୍ଣ୍ଣେଶ କୁମାର ବନାମ ବିହାର ସରକାର ଭଳି ଦୁଇଟି ମାଇଲଖୁଣ୍ଟ ରାୟର ଓଡିଆ ଅନୁବାଦ କରି ରାଜ୍ୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା ପ୍ରାଧିକରଣକୁ ପଠାଯାଇଛି। ଏହା ଦ୍ବାରା କିଭଳି ଜନସଚେତନତା ସୃଷ୍ଟି ହେବ ସେ ଦିଗରେ କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ନୂଆ ଓଡିଆ ଆଇନ ଶବ୍ଦକୋଷର ପ୍ରସ୍ତୁତି ମଧ୍ୟ୍ୟ ଚାଲିଛି। ଖୁବ୍‌ ଶୀଘ୍ର ଏହା ବିଶାଳ ଆକାରରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ବର୍ତ୍ତମାନ ହାଇକୋର୍ଟ ପକ୍ଷରୁ ଗତ ଫେବୃଆରୀ ୨୯ ତାରିଖ ଦିନ ୨୩ଟି ଅନୁବାଦକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦବି ପାଇଁ ପ୍ରାୟ ୧୪୯ ଜଣ ଆଶାୟୀ ଆବେଦନ କରିଥିବା ଜଣାପଡିଛି। ଓଡିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ୨୦୨୩ ଜୁଲାଇ ୨୬ ତାରିଖରେ ଇତିହାସରେ ପ୍ରଥମ ଥର ପାଇଁ ଓଡିଆ ଭାଷାରେ ନିଜର ରାୟ ପ୍ରକାଶ କରିଥିଲେ। ସେତେବେଳେ ଏହା ଜାତୀୟ ସ୍ତରରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଦେଶ ସ୍ବାଧୀନ ହେବାର ପରବର୍ତ୍ତୀ ସମୟରେ ସମୟ ଅନୁଯାୟୀ ମୋଟ ୪୦୫୮ଟି ଅଧିନିୟମ ରଦ୍ଦ ବା ଖାରଜ ହୋଇଛି। ତାହା ମଧ୍ୟ୍ୟରୁ ଓଡିଶାର ୫ଟି ଅଧିନିୟମ ରହିଛି। ସେଗୁଡିକ ହେଲା ଦି ଟ୍ରିବ୍ୟୁଟାରି ମହଲାସ୍ ଅଫ ଓଡିଶା ଆକ୍ଟ-୧୮୯୩, ଦି ବେଙ୍ଗଲ ବିହାର ଆଣ୍ଡ ଓଡିଶା ଆଣ୍ଡ ଆସାମ ଲ ଆକ୍ଟ-୧୯୧୨, ଦି ଓଡିଶା ଷ୍ଟେଟ ଲେଜିସଲେଚର (ଡେଲିଗେସନ ଅଫ ପାୱାର)ଆକ୍ଟ-୧୯୬୧, ଦି ଓଡିଶା ଲେଜିସଲେଚର ଆସେଂବ୍ଲି (ଏଗଜିକ୍ୟୁସନ ଅଫ ଡ୍ୟୁରେସନ)ଆକ୍ଟ-୧୯୬୬ ଏବଂ ଦି ଓଡିଶା ଷ୍ଟେଟ୍‌ ଲେଜିସଲେଚର(ଡେଲିଗେସନ ଅଫ ପାୱାର)ଆକ୍ଟ-୧୯୭୩ ।

ଏହା ପରେ ବର୍ତ୍ତମାନ ଓଡିଶାରେ ୨୮୩ ଟି ଅଧିନିୟମ, ୩୬ଟି ବିଜ୍ଞପ୍ତି, ୨୧ଟି ନିୟମ(ରୁଲସ୍), ୨ଟି ଆଦେଶନାମା(ଅର୍ଡର) ରହିଛି। ତେବେ ଏ ସମସ୍ତ ଅଧିନିୟମକୁ ପର୍ଯ୍ୟାୟ କ୍ରମେ ଓଡିଆ ଅନୁବାଦ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୧ଟି ଅଧିନିୟମ ସମ୍ପୂର୍ଣ୍ଣ ଭାବେ ଅନୂଦିତ ହୋଇ ସର୍ବସାଧାରଣଙ୍କ ପାଇଁ ଇଣ୍ଡିଆ କୋଡ୍‌ ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି ବୋଲି ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଗୁଡିକ ହେଲା ଗଞ୍ଜାମ ଓ ବୌଦ୍ଧ(ଗ୍ରାମପଦ ଉଚ୍ଛେଦ)ଅଧିନିୟମ-୧୯୬୯, ଗଞ୍ଜାମ କ୍ଷୁଦ୍ରଧାରକ ଅନୁତୋଷ ଅଧିନିୟମ-୧୯୪୭, ଓଡିଶା ମୌଳିକ ଶିକ୍ଷା ଆଇନ-୧୯୫୧, ଓଡିଶା କନିନିକା ରୋପଣ ଅଧିନିୟମ-୧୯୬୦, ଓଡିଶା ବଂଶାନୁଗତ ଗ୍ରାମପଦ(ଉତ୍ସାଦକ)ଅଧିନିୟମ-୧୯୬୨, ଓଡିଶା ମିଶ୍ରିତ ରାଜ୍ୟକ୍ଷେତ୍ର(ଗ୍ରାମପଦ ଉତ୍ସାଦକ) ଅଧିନିୟମ-୧୯୬୩, ଓଡିଶା ଅବ୍ୟାପାରିକ କମ୍ପାନୀ ଅଧିନିୟମ-୧୯୫୯, ଓଡିଶା ରାଜସ୍ବ ପ୍ରଶାସନ(ୟୁନିଟ) ଅଧିନିୟମ-୧୯୬୩, ଓଡିଶା ବିକ୍ରିକର ବୈଧୀକରଣ ଅଧିନିୟମ-୧୯୬୧, ଓଡିଶା ସମ୍ପତ୍ତି (ଗ୍ରାମ ଶାସନ ଠାରେ)ନିଧାନ ଅଧିନିୟମ-୧୯୬୪, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର(ପ୍ରଶାସନ)ଅଧିନିୟମ-୧୯୫୨। ଓଡିଶା ଲୋକସେବା ଆୟୋଗ ଜରିଆରେ ଇଂଲିଶ୍‌ରୁ ଓଡିଆ ଅନୁବାଦକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର