ଜବରଦଖଲରେ ଇନ୍ଦ୍ରଧନୁ ମାର୍କେଟ୍‌

ଭୁବନେଶ୍ବର: ଇନ୍ଦ୍ରଧନୁ ମାର୍କେଟ୍‌କୁ ଇତିମଧ୍ୟରେ ୨୨ ବର୍ଷ ପୂରିଛି। ଏହାକୁ ନିର୍ମାଣ କରିବା ପରେ ଦୋକାନୀଙ୍କୁ ବିକି ଦେଇ ବିଡିଏ ଉଭାନ୍‌ ହୋଇଯାଇଛି। ରାସ୍ତା, ପାଣି, ନଳା ଓ ଲାଇଟ୍‌ କଥା ବୁଝୁଛି ବିଏମ୍‌ସି। ଏହି ସେବା ଯୋଗାଇବା ପାଇଁ ବେପାରୀଙ୍କ ଠାରୁ ଟ୍ରେଡ୍‌ ଲାଇସେନ୍ସ ଫି ଓ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି। ଏଣେ ଜବରଦଖଲକାରୀ ମାଡ଼ି ମାଡ଼ି ଗଲେଣି। ଯିଏ ଯେଉଁଠି ପାରିଲା ବସିଗଲାଣି। ଫଳରେ ଖାଲି ବ୍ୟବସାୟୀ ନୁହନ୍ତି ବରଂ ଆଖପାଖରେ ଥିବା ୧୦ରୁ ୧୨ଟି ୱାର୍ଡର ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପାର୍କିଂ ଜାଗାରେ କିଏ ପସରା ମେଲାଇ ଦେବାରୁ ଗାଡ଼ି ରଖିବା ପାଇଁ ଜାଗା ନାହିଁ। ସାମ୍ନାରେ ଠେଲା ଲଗାଇ ଦେବାରୁ ଦୋକାନ ଭିତରକୁ ପଶିବା ବାଟ ନାହିଁ। ଅଭିଯୋଗ ପରେ ଅଭିଯୋଗ ଗଦା ହେଲାଣି। ହେଲେ ପରିଚାଳନାରେ ଦୁଇ ଦୁଇଟି ସଂସ୍ଥା ଜଡ଼ିତ ଥିବାରୁ ଉଭୟ ଉଭୟଙ୍କ ଉପରକୁ ଦୋଷ ଠେଲି ବସି ଯାଇଛନ୍ତି। ଫଳରେ ବ୍ୟବସାୟୀ ଓ ଗ୍ରାହକଙ୍କ ସ୍ବାର୍ଥ ସାଧନ ହୋଇ ପାରୁ ନଥିବା ବେ‌ଳେ ଜବରଦଖଲକାରୀ ଫାଇଦା ନେଉଛି। ବିଏମ୍‌ସି ରାଜସ୍ବ ମଧ୍ୟ ହରାଉଛି। କେତେକ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ବ୍ୟବସାୟୀଙ୍କୁ ରାସ୍ତା ଉପରେ ଛିଡ଼ା କରି ଟଙ୍କା ନେଉଛନ୍ତି। ଯାହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ଦୋକାନ କରିଦେଇ ବିଡିଏ ଉଭାନ୍‌
ବିଏମ୍‌ସି ଜାଣିନି କେତେ ବେପାରୀ
ଫାଇଲ୍‌ ମିଳୁନି, ସର୍ଭେ ଆରମ୍ଭ

ୱାର୍ଡ ନମ୍ବର ୨୭ରେ ଏହି ମାର୍କେଟ୍‌ ରହିଛି। ବିଡିଏ ଏହି ମାର୍କେଟ୍‌ ନିର୍ମାଣ କରି ବିଭିନ୍ନ ବ୍ୟବସାୟୀଙ୍କୁ ବିକ୍ରି କରିଛି। ଗତ ୨୦୦୦ ମସିହା ଅକ୍ଟୋବର ୧୦ ତାରିଖରେ ଏହି ମାର୍କେଟ୍‌ର ‘କମନ୍‌ ଇନ୍ଫ୍ରାଷ୍ଟ୍ରକଚର’ ଯଥା; ରାସ୍ତା, ଡ୍ରେନ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରଭୃତି ବିଏମ୍‌ସିକୁ ହସ୍ତାନ୍ତର କରିଛି। ଏହା ଛଡ଼ା ବିଏମ୍‌ସି ଆଉ କିଛି ବୁଝୁନାହିଁ। ଏଣେ ବିଡିଏ ନିର୍ମାଣ କରିବା ପରେ ବିକ୍ରି କରି ଦେଇଥିବାରୁ ଏଥିରେ ବିଡିଏର ଆଉ କିଛି ଦାୟିତ୍ବ ନଥିବା କହିଛି। ଯେତେବେଳେ ଖାଲି ପଡ଼ିବ ବା ବିକାକିଣା ହେବ ସେତେବେଳେ ବିଡିଏ ହସ୍ତକ୍ଷେପ କରିବ ବୋଲି କହିଛି। ବିଏମ୍‌ସିକୁ ଏ ବାବଦରେ କୌଣସି ତଥ୍ୟ ମଧ୍ୟ ପ୍ରଦାନ କରିନାହିଁ। ବିଏମ୍‌ସି ନିଜେ ସର୍ଭେ କରି ବ୍ୟବସାୟୀଙ୍କୁ ହିସାବ କରିବା ସହ ହୋଲ୍ଡିଂ ସ୍ଥିର କରିବା ସହ ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ କରିଛି। ଏ ବାବଦରେ ଦେୟ ଆଦାୟ କରୁଛି।

ଏହାର ଫାଇଦା ନେଇ ଏହି ମାର୍କେଟ୍‌ରେ ଏବେ ଜବରଦଖଲ ବଢ଼ିବାରେ ଲାଗିଛି। ମାର୍କେଟ୍‌ ସାମ୍ନାରେ ଥିବା ପାର୍କିଂ ଜାଗା ସଙ୍କୁଚିତ ହୋଇଯାଇଛି। ଫଳରେ ଗ୍ରାହକ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବାକୁ ବାଧ୍ୟ ହେଉଛି। ପରିବା ତଥା ଅନ୍ୟାନ୍ୟ ବ୍ୟବସାୟ ପାଇଁ ଯେଉଁ ପିଣ୍ଡି ଆବଣ୍ଟନ ହୋଇଛି ଏହି ଦୁଇ ପିଣ୍ଡି ମଝିରେ ଉଠା ବ୍ୟବସାୟୀ ବସି ଯାଉଛନ୍ତି। ତା’ ଛଡ଼ା ଯେଉଁଠି ଫାଙ୍କା ଜାଗା ପାଉଛନ୍ତି ସେଠାରେ ବସି ଯାଉଛନ୍ତି। ଏଣୁ ଜାଗା ସଙ୍କୁଚିତ ହୋଇଯାଉଛି। ବିଶେଷକରି ସନ୍ଧ୍ୟାରେ ଭୟଙ୍କର ପରିସ୍ଥିତି ହେଉଛି। ସେହିଭଳି ଯେଉଁ ଦୋକାନ ଘର ଦିଆଯାଇଛି ସେ ବ୍ୟବସାୟୀମାନେ ଆଗକୁ ବଢ଼ାଇ ଜିନିଷପତ୍ର ଗଦା କରିଥିବାରୁ ସମସ୍ୟା ହୋଇଛି। ଅନେକ ସମୟରେ ଗ୍ରାହକମାନେ ପ୍ରଥମରୁ ଗୋଟିଏ ଦୁଇଟି ଦୋକାନ ଯିବା ପରେ ଆଉ ଭିତରକୁ ଯାଉନଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି।

ବିଏମ୍‌ସି ହିସାବ ମୁତାବକ, ସେଠାରେ ୨୨୪ ପିଣ୍ଡି ରହିଛି। ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ବାର୍ଷିକ ୩୧ ହଜାର ୩୬୦ ଟଙ୍କା ଆଦାୟ ହେଉଛି। ଦୋକାନ ଘର ୩୦୧ଟି ରହିଛି। ଏଥିରୁ ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ବାର୍ଷିକ ୫ ଲକ୍ଷ ୫୯ ହଜାର ୩୮୬ ଟଙ୍କା ଆସୁଛି। ସେହିଭଳି ଏହା ଭିତରେ ୪୭ ଆବାସିକ ଗୃହ ରହିଛି। ଏଥିରୁ ୯୪ ହଜାର ୪୪ ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ବାବଦରେ ଆସୁଛି। ସମୁଦାୟ ୫୬୫ ଜଣଙ୍କୁ ଟ୍ରେଡ୍‌ ଲାଇସେନ୍ସ ଦିଆଯାଇଛି। ଏ ବାବଦରେ ୯ ଲକ୍ଷ ୨୪ ହଜାର ୬୩୫ ଟଙ୍କା ରାଜସ୍ବ ଆସୁଛି। କିନ୍ତୁ ଅଭିଯୋଗ ମୁତାବକ ଏଠାରେ ୧ ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଛନ୍ତି। ଅତୀତରେ ବିଏମ୍‌ସି ଏଠାରେ ଉଠା ଦୋକାନୀଙ୍କର ସର୍ବେକ୍ଷଣ କରିଥିଲା। ସେତେବେଳେ ୧୯୭ ଜଣ ବ୍ୟବସାୟୀ ଥିଲେ। କିନ୍ତୁ ଜଣଙ୍କ ଠାରୁ ମଧ୍ୟ ବିଏମ୍‌ସି ଟ୍ରେଡ୍‌ ଲାଇସେନ୍ସ ଆଦାୟ କରୁନଥିବା କହିଛି।

ଏ ନେଇ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କର୍ପୋରେସନକୁ ଅବଗତ କରାଇଥିଲେ। ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଏଠାରୁ ଜବରଦଖଲ ହଟାଯିବା ସହ ବ୍ୟବସାୟୀଙ୍କୁ ଶୃଙ୍ଖଳିତ କରାଯିବ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଏହି ମାର୍କେଟ୍‌ର ବ୍ୟବସାୟୀ ଓ ଦୋକାନ ଘରର ବିବରଣୀ ସମ୍ବଳିତ ଫାଇଲ ବିଡିଏରୁ ଗାୟବ ହୋଇଯାଇଥିବା ଜଣାପଡ଼ିଛି। ଏଥିପାଇଁ ବିଡିଏ ଦୋକାନ ଦୋକାନ ବୁଲି ସର୍ଭେ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର