ବିଏମ୍‌ସି ତଣ୍ଟିରେ ଜାଗା ମିସନ କଣ୍ଟା

ଟେଣ୍ଡର ନାହିଁ କି ୱାର୍କ ଅର୍ଡର ନାହିଁ ,ସିଟି ଇଞ୍ଜିନିୟର ଦେଇଛନ୍ତି ୨ କୋଟିର ଠିକା

ଭୁବନେଶ୍ବର: ବିଏମ୍‌ସି ତଣ୍ଟିରେ ଏବେ ଜାଗା ମିସନ କଣ୍ଟା ଲାଗିଛି। ଇଞ୍ଜିନିୟର-ଠିକାଦାର ମଧୁଚନ୍ଦ୍ରିକା ଯୋଗୁ ହୋଇଥିବା କୋଟି କୋଟି ଟଙ୍କାର କେଳେଙ୍କାରୀ ସାମ୍ନାକୁ ଆସିଛି। ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବିନା ଟେଣ୍ଡରରେ ଜାଗା ମିସନ୍‌ ହୋର୍ଡିଂ ଲଗାଇବାକୁ ଦୁଇ କୋଟି ଟଙ୍କାର ଠିକା ଦେଇ ସିଟି ଇଞ୍ଜନିୟର ଫସିଛନ୍ତି। ବିନା ଟେଣ୍ଡରରେ କେମିତି ଏତେ ପରିମାଣର କାମ ଦେଇ ଦେଲେ ସେ ନେଇ ତନାଘନା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ସେକ୍ସନରେ ୫୪ କୋଟିର ଭାଉଚର ଗାଏବ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ନୂଆ କେଳେଙ୍କାରୀ ଏବେ ଅଧିକାରୀଙ୍କ ନିଦ ହଜାଇଛି।

ଠିକା ଦିଆଯିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି(ମେୟର ଓ କର୍ପୋରେଟର) ନଥିଲେ କିମ୍ବା ବର୍ତ୍ତମାନର କମିସନର ମଧ୍ୟ ନଥିଲେ। ଏତେ ପରିମାଣର(୨ କୋଟି) ଟଙ୍କା ମଞ୍ଜୁର କରିବାକୁ କର୍ପୋରେସନ ରାଜି ନ ହେବାରୁ ଅଭିଯୁକ୍ତ ଅଧିକାରୀଙ୍କ ପିଠିରେ କେହି ପଡ଼ିନାହାନ୍ତି। ଏଣୁ ଏହି ଅର୍ଥ ପ୍ରଦାନ କରାଯାଇପାରୁନି। କର୍ପୋରେସନ ବୈଠକରେ ପକାଇ ପାର୍‌ କରିନେବାକୁ ସିଟି ଇଞ୍ଜିନିୟର ଯୋଜନା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି। କେବଳ ଏହି ହୋର୍ଡିଂ ନୁହେଁ, ବରଂ ଜାଗା ମିସନ ଅଧୀନରେ ହେଉଥିବା ସମସ୍ତ ଠିକା କାମରେ କେଳେଙ୍କାରୀ ହେଉଥିବା ଅଭିଯୋଗ ହୋଇଛି। ସରକାର ଏହି ଜାଗା ମିସନକୁ ଗୁରୁତ୍ବ ଦେଇଥିବା ବେଳେ ଏଥିରେ ହେଉଥିବା କେଳେଙ୍କାରୀ ଏବେ ବିଏମ୍‌ସିକୁ ଭାରି ପଡ଼ିବାକୁ ଯାଉଛି।

ଦୀର୍ଘ ତିନିବର୍ଷ କାଳ ବିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନଥିଲେ। ଏହି ସମୟରେ ଅଧିକାରୀମାନଙ୍କର ରାଜ୍‌ ଚାଲିଥିଲା। ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ଅଧିକାରୀମାନେ ନିଜ ନିଜ କ୍ଷମତାକୁ ମନଇଚ୍ଛ‌ା ବ୍ୟବହାର କରୁଥିଲେ। ସବୁଠାରୁ ବେଶି କେଳେଙ୍କାରୀ ହୋଇଥିଲା ଇଞ୍ଜିନିୟରିଂ ସେକ୍ସନରେ। ନିର୍ବାଚନ ଘୋଷଣା ହେବା ପୂର୍ବରୁ କୋଟି କୋଟି ଟଙ୍କାର କାମ ଠିକା ଦିଆଯାଇଥିଲା। ନିର୍ବାଚିତ ପ୍ରତିନିଧିମାନେ ଆସିଲେ କାମରେ ହସ୍ତକ୍ଷେପ କରିବା ଆଶଙ୍କା କରି ତରବରିଆ ଭାବରେ ୱାର୍କ ଅର୍ଡର ବାଣ୍ଟି ଚାଲିଲେ। ଏହି କ୍ରମରେ ସିଟି ଇଞ୍ଜିନିୟର ଅରୁଣ ନାୟକ ଜାଗା ମିସନ୍‌ ହୋର୍ଡିଂ ଲଗାଇବାକୁ ଦୁଇଟି ସଂସ୍ଥାକୁ ଚୟନ କରିଥିଲେ।

କିନ୍ତୁ ଟେଣ୍ଡର୍‌ କରି ନଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ଗତବର୍ଷ ନଭେମ୍ବର ମାସରେ ସହରରେ ଥିବା ୪୩୬ ବସ୍ତିରେ ଜାଗା ମିସନ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସଂସ୍ଥାମାନେ ତରବରିଆ ଭାବରେ ଏହି ହୋର୍ଡିଂ ଲଗାଇଥିଲେ। ବସ୍ତି ୪୩୬ ଥିବା ବେଳେ ୪୫୦ ହୋର୍ଡିଂ ଲାଗିଥିବା ସଂସ୍ଥାମାନେ ହିସାବ ଦେଖାଇଥିଲେ। ଏହି ଖର୍ଚ୍ଚ ବାବଦକୁ ହୋର୍ଡିଂ ପିଛା ୬୦ ହଜାର ଦେଖାଇ ସଂସ୍ଥାମାନେ ୨ କୋଟିରୁ ଊର୍ଦ୍ଧ୍ବ ବିଲ୍‌ ଉପସ୍ଥାପନ କରିଥିଲେ। କିନ୍ତୁ ଏଥିରେ ମାତ୍ର ୧୨ରୁ ୧୫ ହଜାରେ ଖର୍ଚ୍ଚ ହେଉଥିବାରୁ ଏହି ବିଲ୍‌ ପାସ୍‌ ହୋଇ ପାରିନଥିଲା। ଏହା ପରେ ହୋର୍ଡିଂ ପିଛା ୪୫ ହଜାର ହିସାବରେ ବିଲ୍‌ ଉପସ୍ଥାପନ କରିଥିଲେ। କିନ୍ତୁ ଏହି ହୋର୍ଡିଂ ଗୁଡ଼ିକ ଏସ୍‌ଡିଏ(ସ୍ଲମ୍‌ ଡୁଏଲର୍ସ ଆସୋସିଏସନ)ମାନେ ଲଗାଇବା କଥା। ଏହି କେଳେଙ୍କାରୀ ଖବର ସେମାନେ ଜାଣିବା ପରେ ପ୍ରତିବାଦ କରିଥିଲେ। ବିଏମ୍‌ସି ଅଡ଼ୁଆରେ ପଡ଼ିଥିଲା। ସେବେଠାରୁ ଆଉ ଏହି ବିଲ୍‌ ପାସ୍‌ କରିବା ସମ୍ଭବ ହେଲାନାହିଁ। ଏବେ ଠିକାଦାର ସିଟି ଇଞ୍ଜିନିୟରଙ୍କ ଚାମ୍ବର ଛାଡ଼ୁନି। କିନ୍ତୁ ସିଟି ଇଞ୍ଜିନିୟର ବି ଟଙ୍କାଟିଏ ଦେଇ ନପାରି ହରଡ଼ଘଣାରେ ପଡ଼ିଛନ୍ତି।

ପୁରୀରେ ଏହି ହୋର୍ଡିଂ ପିଛା ୪୨ ହଜାର ହିସାବରେ ବିଲ୍‌ ହୋଇଛି। ଜେଇଙ୍କ ଜରିଆରେ ବିଲ୍‌ କରି ସେମାନେ ଏସ୍‌ଡିଏମାନଙ୍କୁ ବୁଝାଇ ଦେଇଥିବାରୁ ବିବାଦ ହୋଇନାହିଁ। କଟକରେ ହୋର୍ଡିଂ ପିଛା ୬୦ ହଜାର ଖର୍ଚ୍ଚ ହୋଇଛି। ବିବାଦ ହେବା ପୂର୍ବରୁ ସେମାନେ ଏସ୍‌ଡିଏ ଜରିଆରେ କାମ କରାଇ ନେଇଛନ୍ତି। ଏଠାରେ କିନ୍ତୁ ବିଏମ୍‌ସି ତଣ୍ଟିରେ ଏହି କଣ୍ଟା ଲାଗିଛି।

ସମ୍ବନ୍ଧିତ ଖବର