ରୋଚକ ମୋଡ଼ରେ ଜଟଣୀ ରାଜନୀତି: ପୁଅ ପାଇଁ ଅଡ଼ୁଆରେ ସୁର

ବିଭୂତିଙ୍କୁ ପୁଣି ଭରସା କଲା ବିଜେଡି

ଜଟଣୀ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଜଟଣୀ ରାଜନୀତି ସେତିକି ରୋଚକ ମୋଡ଼କୁ ଯାଉଛି। ଆଜି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ଜଟଣୀ ରାଜନୀତିକୁ ସରଗରମ କରିଦେଇଛି। ଗୋଟିଏ ପଟେ ବିଜେଡି ପୁଣି ଥରେ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ପଟେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେଇଛନ୍ତି। ଆଉ ସଙ୍ଗେ ସଙ୍ଗେ ବିଜେଡି ତାଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିଛି। ସୁରଙ୍କ ପରେ କିଏ କଂଗ୍ରେସ ମଙ୍ଗ ଧରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଆଉ ସୁର ନିଜ ପୁଅ ପାଇଁ ବିଜେଡି ସପକ୍ଷରେ ପ୍ରଚାର କରିବେ ନା କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ମାଗିବେ, ତାହାକୁ ସାରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର୍‌ ଧରିଛି।

ଜଟଣୀ ନିର୍ବାଚନମଣ୍ଡଳୀରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସୁରେଶ ରାଉତରାୟ। ତାଙ୍କର ଲୋକପ୍ରିୟତା ଥିଲେ ମଧ୍ୟ ବୟସ ଦୃଷ୍ଟିରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ। ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ହେବ ବୋଲି ସେ କହିସାରିଥିଲେ। କିନ୍ତୁ ଏବେ ରାଜନୈତିକ ସମୀକରଣ ବଦଳିଯାଇଛି। ମନ୍ମଥ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହ ବହୁ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଶଙ୍ଖ ଭବନ ଯାଇଥିବା ଦେଖିବାକୁ ମିଳିଥିଲା। ତେଣୁ ସୁର କଂଗ୍ରେସ ଛାଡ଼ି ନଥିଲେ ବି ତାଙ୍କ ସହ ଥିବା କଂଗ୍ରେସର ବହୁ ନେତା ଓ କର୍ମୀ ଯେ ବିଜେଡି ମୁହାଁ ହୋଇଛନ୍ତି, ତାହା ଜଣାପଡ଼ିଗଲାଣି। କିଛି କଂଗ୍ରେସ କର୍ମୀ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।

ରୋଚକ ମୋଡ଼ରେ ଜଟଣୀ ରାଜନୀତି
ବିଭୂତିଙ୍କୁ ପୁଣି ଭରସା କଲା ବିଜେଡି
ସୁରଙ୍କ ପରେ କଂଗ୍ରେସ ମଙ୍ଗ ଧରିବ କିଏ?
ବିଜେପିରେ ବହୁ ଆଶାୟୀ, ନିଷ୍ପତ୍ତି ନେବେ ଅପରାଜିତା

କଂଗ୍ରେସ ଟିକେଟ୍‌ ପାଇଁ ଜଟଣୀରୁ ୬/୭ ଜଣ ଆଶାୟୀ ଆବେଦନ କରିଥିବା ଜଣାପଡ଼ିଛି। ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ସୁରଙ୍କ ପୁତୁରା ତଥା ଜଟଣୀ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ। ସେ ଆଜିର ଘଟଣା ପାଇଁ ବିଧାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିଧାୟକଙ୍କ ଚାପରେ କଂଗ୍ରେସ କର୍ମୀମାନେ ବାଧ୍ୟବାଧକତାରେ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ବୋଲି ସେ ଆରୋପ ଲଗାଇଛନ୍ତି। ତେଣୁ ସୁର ଓ ତାଙ୍କ ସମର୍ଥକମାନଙ୍କ ଉପରେ ଏବେ ସବୁ ଦଳର ନଜର ରହିଛି। ବିଜେଡିରୁ ବିଭୂତି ବଳବନ୍ତରାୟ ଟିକେଟ୍‌ ପାଇବେ ବୋଲି ପୂର୍ବାନୁମାନ କରାଯାଉଥିଲା। ତାହା ହିଁ ସତ ହୋଇଛି। ଏହାକୁ ନେଇ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଆଜି ଟିକେଟ୍‌ ଘୋଷଣା ହେଲା ପରେ ବିଜେଡିର ରାଜନୈତିକ କାର୍ଯ୍ୟ ଜୋର୍‌ଦାର ହୋଇଛି। କିନ୍ତୁ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହେଲା ପରେ ହିଁ ବିଜେଡିର ରଣନୀତି ସ୍ପଷ୍ଟ ହେବ।

ଏଠାରେ ବିଜେପିରୁ ମଧ୍ୟ ଏକାଧିକ ପ୍ରାର୍ଥୀ ଟିକେଟ୍ ଆଶାରେ ରହିଛନ୍ତି। ସେମାନେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସଭାସମିତି ଆୟୋଜନ କରି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସୁଦୀପ୍ତ ରାୟ, ବିଶ୍ବରଞ୍ଜନ ବଡ଼ଜେନା ଓ ଅର୍ଦ୍ଧେନ୍ଦୁ ଦାସ ପ୍ରମୁଖ। ଜଟଣୀରେ ବିଜେପି ପ୍ରାର୍ଥୀ ଚୟନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ହିଁ ମୁଖ୍ୟ ଭୂମିକା ରହିବ ବୋଲି କୁହାଯାଉଛି। ଲୋକସଭା ପାଇଁ ଅପରାଜିତାଙ୍କ ନାମ ଘୋଷଣା ସରିଲାଣି। ତେଣୁ ଜଟଣୀ ପାଇଁ ସେ କାହାକୁ ବାଛୁଛନ୍ତି, ତାହା ଦିନେ ଦୁଇ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର