ପଙ୍ଖା ପରଖା

ପଙ୍ଖା ହେଉଛି ଆମ ସମସ୍ତଙ୍କର ଏକ ଅତ୍ୟାବଶ୍ୟକ ଗୃହୋପକରଣ। ଛାତରେ ଗୋଟେ ପଙ୍ଖା ଖଞ୍ଜିଦେଲେ ଆମେ ବର୍ଷ ବର୍ଷ ଧରି, ଏପରିକି ଦଶନ୍ଧି ଦଶନ୍ଧି ଧରି ତାହାର ଉପଯୋଗିତାକୁ ଉପଭୋଗ କରିଥାଉ। କେବଳ ଯାହା ମଝିରେ ମଝିରେ ତାହାର ବ୍ଳେଡ୍‌ଗୁଡ଼ିକୁ ସଫା କରିବା ଓ ଆବଶ୍ୟକ ସ୍ଥଳେ ତାହାର କାପାସିଟର୍‌କୁ ବଦଳାଇବା ପରି ସାମୟିକ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡ଼ିଥାଏ। ତେବେ ସରଳ ଦେଖାଯାଉଥିବା ଏହି ଗୃହୋପକରଣକୁ ନିଜ ପସନ୍ଦ ମୁତାବକ ବାଛିବା ସେତେ ସହଜ ନୁହେଁ। ନିଜର ଆବଶ୍ୟକତା ଓ ଘରର ଆକାର ଅନୁଯାୟୀ କିଭଳି ପଙ୍ଖାଟିଏ ଘରକୁ ଆଣିବା ଠିକ୍ ହେବ, ସେ ବାବଦରେ ଆଲୋଚନା କରିବା।

 ଗୋଟେ ବିରାଟ ଘର ପାଇଁ ଛୋଟ ପଙ୍କାଟିଏ କୋଉ କାମକୁ ଆସିବନି କି ଏକ ଛୋଟ ଘର ପାଇଁ ବିରାଟ ପଙ୍ଖାଟିଏ ବାୟୁ ସଞ୍ଚାଳନରେ ବିଭ୍ରାଟ ଆଣିବ। ତେଣୁ ବଜାରରେ ଉପଲବ୍‌ଧ ୬୦୦ମି.ମି., ୯୦୦ ମି.ମି. ଓ ୧୨୦୦ ମି.ମି. ଭଳି ବିଭିନ୍ନ ଆକାରର ପଙ୍ଖା ମଧ୍ୟରୁ ଠିକ୍ ଆକାରକୁ ପ୍ରଥମେ ବାଛିବାକୁ ହେବ।

 ଛୋଟ ଶୟନକକ୍ଷ କି ଅଭ୍ୟର୍ଥନା ପ୍ରକୋଷ୍ଠ କି ରୋଷେଇ ଘର ପରି ଏକ ୧୦୦ ବର୍ଗଫୁଟ ପରିମିତ ଘର ପାଇଁ ୬୦୦ ମି.ମି. ପଙ୍କାଟିଏ ଠିକ୍‌ ହେବ।

 ସେହିପରି ୨୦୦ ବର୍ଗଫୁଟ ଘର ପାଇଁ ୯୦୦ ମି.ମି. ପଙ୍ଖା ଯଥେଷ୍ଟ ହେବ ଏବଂ ତା’ଠାରୁ ବଡ଼ ସ୍ଥାନ ପାଇଁ ୧୨୦୦ ମି.ମି. ପଙ୍କା ଉପଯୁକ୍ତ ହୋଇପାରିବ।

 ଅତି ବିରାଟ ସ୍ଥାନରେ ୧୪୦୦ ମି.ମି. କି ୧୬୦୦ ମି.ମି. ପଙ୍ଖା ଲଗାଇବା ଅପେକ୍ଷା ତାହା ବଦଳରେ ଦୁଇଟି ଛୋଟ ପଙ୍ଖା ଉତ୍ତମ ବାୟୁ ସଞ୍ଚାଳନ କରିପାରିବ। ସେହିପରି ପଙ୍ଖାରେ ଲାଗିଥିବା ବ୍ଲେଡ୍‌ର ସଂଖ୍ୟା ତାହାକୁ ସୁନ୍ଦର କରିବା ସହ ତାହାର କାର୍ଯ୍ୟକାରିତାରେ ମଧ୍ୟ ସହାୟକ ହୋଇଥାଏ।

ଅଳ୍ପସଂଖ୍ୟକ ବ୍ଲେଡ୍‌ ଥିବା ପଙ୍ଖା ଜୋର୍‌ରେ ଘୂରିବା ସହ ଅଧିକ ପବନ ଯୋଗାଇଥାଏ। ଅପରପକ୍ଷେ, ଅଧିକ ବ୍ଳେଡ୍‌ ବିଶିଷ୍ଟ ପଙ୍ଖାଗୁଡ଼ିକ ଯଦିଓ ଅପେକ୍ଷାକୃତ କମ୍‌ ଶବ୍ଦଯୁକ୍ତ ହୋଇଥା’ନ୍ତି, ତେବେ ସେଗୁଡ଼ିକ ଅଧିକ ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ କରିଥା’ନ୍ତି। ଅଧିକାଂଶ କ୍ଷେତ୍ରରେ ତିନିଟି ବ୍ଲେଡ୍‌ଯୁକ୍ତ ପଙ୍ଖା ଉପଯୋଗୀ ହେବା ସହ ପକେଟ୍‌କୁ ମଧ୍ୟ ସୁହାଇଥାଏ।

 ଏଥି ସହିତ ପଙ୍ଖାର ମୋଟର ଆଲୁମିନିୟମ୍‌ ଵାଇଣ୍ଡିଂ ହେବା ଅପେକ୍ଷା କପର ଵାଇଣ୍ଡିଂ ହେଲେ ଭଲ। କାରଣ ଏହା କମ୍‌ ବିଦ୍ୟୁତ୍‌ଶକ୍ତି ଲୋଡ଼ିଥାଏ ଓ ତାହା ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ।

 ପଙ୍ଖାର ବ୍ଲେଡ୍‌ରେ ଲାଗିଥିବା ଧୂଳି ବା ଅଳନ୍ଧୁକୁ ନିୟମିତ ସଫା କରିବା ଏକ କଷ୍ଟକର ବ୍ୟାପାର। ତେଣୁ ଆଜିକାଲି ମିଳୁଥିବା ନନ୍-ଡଷ୍ଟ୍‌ ପଙ୍ଖା ସେ ସମସ୍ୟା ଦୂର କରିପାରିବ। ତାହାର ବ୍ଲେଡ୍‌ଗୁଡ଼ିକରେ ଦିଆଯାଇଥିବା ନାନୋ-ପେଣ୍ଟ୍‌ ପ୍ରଲେପ ଯୋଗୁଁ ତହିଁରେ ୫୦ ପ୍ରତିଶତ କମ୍‌ ଧୂଳି ଲାଗିଥାଏ। ଏ ସବୁ ବାଦ୍‌ ଆଜିକାଲିର ବିଳାସୀ ଚଳଣି ପାଇଁ ବିଭିନ୍ନ ପ୍ରକାର ରିମୋଟ୍‌ ନିୟନ୍ତ୍ରିତ ଏବଂ ଏଲ୍‌ଇଡି ଲାଇଟ୍‌ଯୁକ୍ତ ପଙ୍ଖା ମଧ୍ୟ ବଜାରରେ ଉପଲବ୍‌ଧ।

ସମ୍ବନ୍ଧିତ ଖବର