କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ, ଏବେ ୪ଦିନ ଧରି ସଂଧ୍ୟା ପରେ କାଳ‌ବୈଶାଖୀ

୧୬ ଯାଏ ରାଜଧାନୀରେ ଥଣ୍ଡା ପାଗ

ଭୁବନେଶ୍ବର : ବର୍ଷ ଆରମ୍ଭରୁ ରାଜଧାନୀରେ ପ୍ରାୟ ବର୍ଷା ହୋଇ ନ ଥିଲା। ଗତବର୍ଷ ଡିସେମ୍ବରରେ ବି ବର୍ଷା ରାଜଧାନୀରୁ ଏକରକମ ଗାଏବ ଥିଲା। ପ୍ରାୟ ୧୦୦ ଦିନର ବ୍ୟଧାନ ପରେ ମାର୍ଚ୍ଚ ୨୭ ତାରିଖରେ ରାଜଧାନୀ ଏ ବର୍ଷ ବର୍ଷାର ପହିଲି ସ୍ପର୍ଶ ପାଇଥିଲା। ଅଳ୍ପ ସମୟର ବର୍ଷା ହେଉ ପଛେ ରାଜଧାନୀବାସୀଙ୍କୁ ଏହା ତାତିରୁ କିଛିଟା ଆଶ୍ବସ୍ତ କରିଥିଲା। ସେବେଠୁ ପୁଣି ୧୦ ଦିନ ଧରି ରାଜଧାନୀରୁ ବର୍ଷା ଉଭାନ ହୋଇଯାଇଥିଲା। କିନ୍ତୁ ସାମୁଦ୍ରିକ ପବନର ପ୍ରବାହ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଗୁରୁବାର ରାତିରେ କାଳବୈଶାଖୀ ବର୍ଷା ପରେ ଏବେ ରାଜଧାନୀ ଟିକେ ଥଣ୍ଡା ପଡ଼ିଛି। ଆଗାମୀ ୪ ଦିନ ମଧ୍ୟ ରାଜଧାନୀ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭବନା ରହିଥିବା ଜଣାପଡ଼ିଛି।

ଏ ନେଇ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦୁଇ ଦିନ ହେଲା ଚିଲିକାର ଉତ୍ତରକୁ ବାଲେଶ୍ବର ପର୍ଯ୍ୟନ୍ତ ସାମୁଦ୍ରିକ ପବନ ସମୁଦ୍ର କୂଳେକୂଳେ ବହୁଛି। ଗତକାଲିଠାରୁ ଉତ୍ତର ଆନ୍ଧ୍ର ଉପକୂଳଠାରୁ ଦକ୍ଷିଣ ଓଡ଼ିଶା ଯଥା ଗଜପତି, ରାୟଗଡ଼ା ଓ ଆଭ୍ୟନ୍ତରୀଣ ଗଞ୍ଜାମ ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ବର୍ଷା ପାଇଁ ଆମକୁ ଆର୍ଦ୍ର ପବନର ଆବଶ୍ୟକତା ରହିଛି। ୧୦ ତାରିଖ ପରଠାରୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅତିକ୍ରମ କରି ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ପ୍ରବାହିତ ହେବ। ସାମୁଦ୍ରିକ ପବନର ଆର୍ଦ୍ରତା ଅଧିକ ଥିବାରୁ କାଳବୈଶାଖୀ ବର୍ଷାର ସମ୍ଭାବନା ବଢ଼ିବ। ଫଳରେ ୧୨ ତାରିଖ ଦିନ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସହ କିଛି କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇପାରେ। ୧୩ ଓ ୧୪ ତାରିଖ ଦିନ ଭୁବନେଶ୍ବର ସମେତ ସମ୍ପୂର୍ଣ୍ଣ ଉପକୂଳରେ ପାଗ ମେଘୁଆ ରହିବା‌ ସହ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ତାପମାତ୍ରାରେ ବି କମିବ। ୧୩ ଓ ୧୪ ତାରିଖରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ଡ. ପଶୁପାଳକ କହିଛନ୍ତି।

ପାଣିପାଗ ବିଶାରଦ ଶରତ ସାହୁ କହିଛନ୍ତି, ସାମୁଦ୍ରିକ ପବନ ପ୍ରଭାବରେ କାଳବୈଶାଖୀ ବର୍ଷା ହୋଇଥାଏ। ଏହି ବର୍ଷା ଉପକୂଳଠାରୁ ଦୂରରେ ସୃଷ୍ଟି ହୋଇଥାଏ। ସେଠାରେ କିଛି ଟ୍ରଫ୍ ଲାଇନ୍‌ ରହିଲେ ତାହା ସ୍ଥଳଭାଗ ଆଡ଼କୁ ମୁହାଁଏ ଓ କାଳବୈଶାଖୀ ବର୍ଷା ହୁଏ। ସାମୁଦ୍ରିକ ପବନ ପ୍ରବାହ ଆରମ୍ଭ ହୋଇଯାଉଥିବାରୁ ଏବେ କାଳବୈଶାଖୀ ବର୍ଷା ପ୍ରାୟ ପ୍ରତିଦିନ ହେବ। ଆସନ୍ତା ୧୫, ୧୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ବଢ଼ିବାର ସମ୍ଭାବନା ନାହିଁ। କେବଳ ରାଜଧାନୀ ନୁହେଁ; ୧୦ ତାରିଖ ପରଠାରୁ ଉପକୂଳ ଅଞ୍ଚଳରେ ମଧ୍ୟ କାଳବୈଶାଖୀ ସୃଷ୍ଟି ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଅପରାହ୍ନରେ ହେବ। କିନ୍ତୁ ରାଜଧାନୀରେ ସଂଧ୍ୟା ବା ସଂଧ୍ୟା ପରେ ହିଁ ଆସନ୍ତା କିଛି ଦିନ ଧରି କାଳବୈଶାଖୀ ବର୍ଷା ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର