ଭୁବନେଶ୍ୱର: ନରଣପୁରସ୍ଥିତ କେଏମ୍ବିବି କ୍ୟାମ୍ପସ-୨ରେ ପାଞ୍ଚଦିନ ଧରି ଚାଲିଥିବା ଜାତୀୟ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ଏଥିରେ ସିଏସଆଇଆର, ଆଇଆଇଏମ୍ଟି, ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର ଏସ୍. ବସୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ନାୟୁବିଜ୍ଞାନର ବିଶେଷତ୍ୱ ସମ୍ପର୍କରେ କହିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ନାୟୁବିଜ୍ଞାନ ସମ୍ପର୍କରେ ଗବେଷଣା କରିବାକୁ ଉତ୍ସାହିତ କରିଥିଲେ। ଆଇଆଇଟି, ଦିଲ୍ଲୀର ବୈଜ୍ଞାନିକ ତପନ ଗାନ୍ଧୀ ଏହି କର୍ମଶାଳାର ବିଶେଷତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି କର୍ମଶାଳାରେ ଆଇଆଇଟି ମୁମ୍ବାଇ, ଆଇଆଇଟି ଦିଲ୍ଲୀର ଗବେଷଣାରତ ଛାତ୍ରଛାତ୍ରୀ, ଡିଆର୍ଡିଓ ବୈଜ୍ଞାନିକ ପ୍ରମୁଖ ଯୋଗ ଦେଇଥିଲେ । ‘ସମ୍ବାଦ’ ଶିକ୍ଷାନୁଷ୍ଠାନ ସମୂହର ନିର୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କେଏମ୍ବିବି ଡିନ୍(ଏକାଡେମିକ୍ସ) ଡ. ବିଜୁନି ଚରଣ ସୂତାର ଅତିଥି ପରିଚୟ ଦେଇଥିଲେ। କେଏମ୍ବିବି ଜୁନିୟର ସାଇନ୍ସ କଲେଜ ଅଧ୍ୟକ୍ଷ ଡ. ଚିତ୍ତ ରଞ୍ଜନ ଭୋଇ ଧନ୍ୟବାଦ ଦେଇଥିଲେ। ଉଦ୍ଯାପନୀ ଦିବସରେ ଅର୍କେଷ୍ଟ୍ରା ସୁର ଝଙ୍କାରର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।