ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା : ପୁଲିସ ପାଉନି, ହାଇକୋର୍ଟରେ ବିକ୍ରମ

ଭୁବନେଶ୍ବର : ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାରେ ପୁଲିସ ଡାଳେ ଡା‌ଳେ ଗଲେ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ପତ୍ରେ ପତ୍ରେ ଯାଉଛନ୍ତି। ପୁଲିସ ତାଙ୍କୁ ପଳାତକ ଘୋଷଣା କରିବାକୁ ଯୋଜନା କରିଥିବା ବେଳେ ସେ ଆଗୁଆ ଜାମିନ୍‌ରେ ଯିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି। ଗତକାଲି ସେ ହାଇକୋର୍ଟରେ ଏଭଳି ଆବେଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏଭଳି ସ୍ଥଳରେ ପୁଲିସ ତାଙ୍କୁ କେମିତି ଓ କେଉଁ ଢ଼ଙ୍ଗରେ ଖୋଜୁଛି ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ବିକ୍ରମକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ରାଜ୍ୟ ବାହାରକୁ ଏକାଧିକ ଟିମ୍ ଯାଇ ଖାଲି ହାତରେ ଫେରି ଆସିଛନ୍ତି। ବିକ୍ରମଙ୍କ ପରିବାରଲୋକ, ସାଙ୍ଗସାଥୀମାନଙ୍କୁ ମଧ୍ୟ ତାଙ୍କ ସମ୍ପର୍କରେ ପଚରାଉଚରା କରାଯାଇଥିଲା। କିନ୍ତୁ କେଉଁଠି ବି ତାଙ୍କ ପତ୍ତା ମିଳିଲା ନାହିଁ। ଶେଷରେ ପୁଲିସ ବିକ୍ରମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ି ବିକ୍ରମଙ୍କୁ ପଳାତକ ଘୋଷଣା କରି ପୁଲିସ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବାକୁ ଯୋଜନା କରିଛି। କିନ୍ତୁ ପୁଲିସଠାରୁ ଦୁଇ ପାଦ ଆଗରେ ଥାଇ ବିକ୍ରମ ଆଗୁଆ ଜାମିନରେ ଯିବାକୁ ଯୋଜନା କରିଛନ୍ତି। ପୁଲିସ ତାଙ୍କୁ ପଳାତାକ ଘୋଷଣା କରିବା ପୂର୍ବରୁ ସେ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ଯିବା ସମ୍ଭାବନା ରହିଛି।

ଏଠାରେ ପ୍ରକାଶଥାଉକି, ଧଉଳି ଥାନା ଅଧୀନ ଇନ୍ଦିରା କଲୋନିରେ ରହୁଥିବା ମହିଳା ଆଇନଜୀବୀ ଦୀପାଳିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା ପୁଲିସ। ଘଟଣା ପରଠାରୁ ତାଙ୍କ ସାଥୀରେ ଥିବା ପୁରୁଷ ବନ୍ଧୁ ବିକ୍ରମଙ୍କ ପତ୍ତା ମିଳୁନାହିଁ। କାହିଁକି ଓ କେଉଁ କାରଣରୁ ଦୀପାଳି ଆତ୍ମହତ୍ୟା କଲେ, ତାହା କେବଳ ବିକ୍ରମ ହିଁ ଜାଣିଛନ୍ତି। ବିକ୍ରମଙ୍କ ପତ୍ତା ମିଳୁ ନ ଥିବାରୁ ଏହି ମାମଲାର ତଦନ୍ତରେ ପୁଲିସ ସେତେଟା ଆଗେଇ ପାରୁନାହିଁ।

ସମ୍ବନ୍ଧିତ ଖବର