ମଣିଷ ସୃଷ୍ଟି ଦିଗରେ ଶିକ୍ଷା ଅଭିପ୍ରେତ ହେଉ: ରାଜ୍ୟପାଳ

‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ପକ୍ଷରୁ ଗୁରୁବ୍ରହ୍ମା ସମ୍ମାନ

ଭୁବନେଶ୍ୱର: ମୂଲ୍ୟବୋଧରହିତ ଶିକ୍ଷା ବ୍ୟବସ୍ଥା ମଣିଷକୁ ମାନବବାଦରୁ ଦୂରେଇ ଦେଇ ବ୍ୟକ୍ତିକୈନ୍ଦ୍ରିକ କରିଦେଇଛି। ସାରା ବିଶ୍ୱରେ ଆଜି ଶିକ୍ଷା ବ୍ୟବସ୍ଥା ଦିଶାହୀନ ହୋଇଯାଇଛି। ପ୍ରକୃତ ଶିକ୍ଷାର ଅଭାବରୁ ଉତ୍ତମ ମାନବ ସୃଷ୍ଟି ହୋଇପାରୁ ନାହାନ୍ତି। ପରସ୍ପରକୁ ଭଲ ପାଇବାଠାରୁ ମଣିଷ ସମାଜ ଦୂରେଇ ଯାଉଛି। ତେଣୁ ବ୍ୟକ୍ତିକୈନ୍ଦ୍ରିକ ପରିବର୍ତ୍ତେ ଆମକୁ ମଣିଷ ହେବାକୁ ପଡ଼ିବ। ଏହି ମଣିଷ ଗଢ଼ିବା ଦାୟିତ୍ୱ ଶିକ୍ଷକମାନଙ୍କର। ବ୍ୟକ୍ତି ନୁହେଁ; ପ୍ରକୃତ ମଣିଷ ସୃଷ୍ଟି ଦିଗରେ ଆଜିର ଶିକ୍ଷା ଅଭିପ୍ରେତ ହେଉ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆୟୋଜିତ ଗୁରୁବ୍ରହ୍ମା ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୧୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗୁରୁବ୍ରହ୍ମା ସମ୍ମାନ ୨୦୨୨ରେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସିଭି ରମଣ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂ ପନୱର, ‘ସକାଳ’ର ସିଇଓ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ରଞ୍ଜିତ ମହାନ୍ତି, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୁଶ୍ରୀ ସଙ୍ଗୀତା ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର