ଜୀବନ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ମିଳନୀ

ଭୁବନେଶ୍ବର: ଭୁବନେଶ୍ବର ଡିଭିଜନ୍ ଜୀବନ ବୀମା କର୍ମଚାରୀ ସଂଘର ଏକାଦଶ ବାର୍ଷିକ ସାଧାରଣ ସମ୍ମିଳନୀ ସୂର୍ଯ୍ୟନଗରସ୍ଥିତ ଡିଭିଜନ୍ ଅଫିସ୍ ପ୍ରାଙ୍ଗଣରେ ଗତକାଲି ଓ ଆଜି ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ ବୀମା କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦିକା ଏମ୍‌ ଗିରିଜା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଲ୍‌ଆଇସିର ଅଭୂତପୂର୍ବ ଅଭିବୃଦ୍ଧି ପାଇଁ ସେ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବ-ମଧ୍ୟ ଅଞ୍ଚଳ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିଶ୍ର କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଶିଳ୍ପ ବିରୋଧୀ ମନୋଭାବକୁ ନିନ୍ଦା କରିଥିଲେ। ଏଲ୍‌ଆଇସିକୁ ଘରୋଇକରଣ କରିବା ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ସଜାଗ ରହିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସିଆଇଟିୟୁ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି କେନ୍ଦ୍ର ସରକାରଙ୍କ ଶ୍ରମିକ, କର୍ମଚାରୀ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୀମା କର୍ମଚାରୀ ନେତା ଗଜେନ୍ଦ୍ରନାଥ ମହାନ୍ତି, ରବି ନାରାୟଣ ମଲ୍ଲିକ, ଦୁଷ୍ମନ୍ତ ଦାସ, ଅଭୟ ଦାସ, ମୀନ ରଞ୍ଜନ ବିଶି ଓ ସନ୍ତୋଷ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଘର ସାଧାରଣ ସମ୍ପାଦକ ଭାରତ ଭୂଷଣ ନାୟକ ସମ୍ମିଳନୀର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ସଂଗଠନ ସମ୍ପାଦକ ରୂପ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର