ସିଂହୀ ‘ରେବା’ର ୩ ଶାବକ ଅଣ୍ଡିରା: ଅମର, ଆକବର, ଆନ୍ଥୋନୀ

ବାରଙ୍ଗ: ରବିବାର ନନ୍ଦନକାନନରେ ଏସୀୟ ସିଂହୀ ରେବା ଗର୍ଭରୁ ଜନ୍ମ ନେଇଥିବା ୩ ଶାବକ ଅଣ୍ଡିରା ବୋଲି ସ୍ପଷ୍ଟ ହୋଇଛି। ବିଧିବଦ୍ଧ ଭାବେ ସେମାନଙ୍କ ନାମକରଣ କରାଯାଇନାହିଁ। କିନ୍ତୁ ୩ ଅଣ୍ଡିରା ଛୁଆଙ୍କୁ ଏବେ ଅମର, ଆକବର ଓ ଆନ୍ଥୋନୀ ବୋଲି କୁହାଗଲାଣି। ପିସିସିଏଫ୍‌ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ଏଭଳି ନାମକରଣ କରିବା ପରେ ଏହି ନାଁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅବଶ୍ୟ ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ନାମକରଣ ଏକ ସ୍ବତନ୍ତ୍ର ପ୍ରକ୍ରିୟାରେ ହୋଇଥାଏ ଏବଂ ପରେ ସେହି ଧାରାରେ ୩ ସିଂହ ଛୁଆଙ୍କ ନାମକରଣ ହେବ ବୋଲି ଜଣାପଡ଼ିଛି। କିନ୍ତୁ ରେବାର ଏହି ୩ ଅଣ୍ଡିରା ଛୁଆଙ୍କ ପାଇଁ ଅମର, ଆକବର ଓ ଆନ୍ଥୋନୀ ନାଁ ବେଶ୍‌ ଭଲ ଲାଗୁଛି ବୋଲି ଅନେକ ମତ ଦେଇଛନ୍ତି।

ସିଂହ ଜିତ୍‌ ଓ ସିଂହୀ ରେବା ମିଳନରୁ ପ୍ରଥମେ ୪ ଛୁଆ ଜନ୍ମ ହୋଇଥିଲେ। ସେଥିରୁ ୨ଟି ଛୁଆ ମରିଯାଇଥିଲେ। ବଞ୍ଚିଥିବା ୨ ଛୁଆ ମାୟା ଓ ଶୁଭମ୍‌ ଏବେ ବଡ଼ ହୋଇଗଲେଣି। ଏବେ ପୁଣି ଥରେ ରେବା ଓ ଜିତ୍‌ ମିଳନରୁ ୩ ଅଣ୍ଡିରା ଶାବକ ଜନ୍ମ ହୋଇଛନ୍ତି। ପ୍ରଥମ ଥର ଭଳି ଶାବକମାନଙ୍କୁ ରେବା ହତାଦର କରିବାରୁ ସେମାନଙ୍କୁ ଅଲଗା କରି ପ୍ରାଣୀ ଚିକିତ୍ସାକେନ୍ଦ୍ରର ଲାଳନପାଳନ କକ୍ଷରେ ରଖାଯାଇଛି। ଜନ୍ତୁରକ୍ଷକମାନେ ୩ ଛୁଆଙ୍କ ଖିଆପିଆ ଆଦି ସବୁ କଥାର ଯତ୍ନ ନେଉଛନ୍ତି।

ସମ୍ବନ୍ଧିତ ଖବର