ସମ୍ବଲପୁରରେ ବୋମାମାଡ଼, ୩ ଆହତ: ବୋମାକୁ ଡବାରେ ଖଞ୍ଜାଯାଇଥିଲା

ଘଟଣାପଛରେ ବ୍ୟକ୍ତିଗତ ଶତ୍ରୁତା, ଅଭିଯୁକ୍ତ ଗିରଫ, ସାମାଜିକ ଗଣମାଧ୍ୟମରେ ସକ୍ରିୟ ସମ୍ବଲପୁର ମାଫିଆ ଗ୍ୟାଙ୍ଗ୍‌

ସମ୍ବଲପୁର: ଗତକାଲି ସମ୍ବଲପୁରର ବ୍ୟସ୍ତବହୁଳ ପୀରବାବା ଛକ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୈଳୀରେ ପ୍ରସ୍ତୁତ ପ୍ରେସର୍‌ ବୋମାମାଡ଼ କରାଯାଇଥିଲା, ଯେଉଁଥିରେ ୩ ଜଣ ବ୍ୟକ୍ତି ଆହତ ହେବାସହିତ ଗୋଟିଏ ବୁଲେଟ୍‌(ଓଡ଼ି୧୫-୬୪୮୬) ବି କ୍ଷତିଗ୍ରସ୍ତ ହୋଇଥିଲା। ତେବେ, ଘଟଣାର ୨୦ ଘଣ୍ଟା ଭିତରେ ଏକମାତ୍ର ଅଭିଯୁକ୍ତ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର(୧୯)କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୨୪ ସମୟ। ସମ୍ବଲପୁର ସହର ଫ୍ଲାଇଓଭର ଉପରୁ ପୀରବାବା ଛକରେ ଥିବା ସଦର ମସ୍‌ଜିଦ ସମ୍ମୁଖକୁ ବୋମା ଫିଙ୍ଗାଯାଇଥିଲା। ବୋମାକୁ ଏକ ଡବାରେ ଖଞ୍ଜା ଯାଇଥିଲା। ଗୋଲବଜାରର ମହମ୍ମଦ କାସିମ ଓ ମୋତିଝରଣ ଅଂଚଳର ମହମ୍ମଦ ସାହିଦ ଏହି ଡବାକୁ ଖୋଲିବାସମୟରେ ଏହା ଫାଟିଥିଲା। ଏଥିରେ ଏସ୍‌ବିପି ମାଫିଆ ଗ୍ୟାଙ୍ଗ ଏବଂ ସୁଶୀଳ ପାଇକା ନାମ ଉଲ୍ଲେଖ ରହିଥିଲା। ବୋମା ଫାଟିବା ଯୋଗୁଁ ମହମ୍ମଦ କାସିମ, ମହମ୍ମଦ ସାହିଦ ଏବଂ ପାଖରେ ଥିବା ଜଣେ ରିକ୍ସାଚାଳକ ସିଓଲ ନାୟକ ଆହତ ହୋଇଥିଲେ।

ବୋମା ଫାଟିବାପରେ ‌ପୀରବାବା ଛକରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶହଶହ ଲୋକ ଏକାଠି ହୋଇଯାଇଥିଲେ। ଭାଇଚାରାର ସହର ସମ୍ବଲପୁରରେ ପୁଣି ଶାନ୍ତିଭଙ୍ଗ ଉଦ୍ୟମ ହେଉଥିବା ଆଶଙ୍କା କରି ଲୋକେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଆଇଜି ହିମାଂଶୁ ଲାଲ, ଏସ୍‌ପି ମୁକେଶ ଭାମୁଙ୍କ ସହିତ ବହୁ ସଂଖ୍ୟାରେ ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ପୁଲିସକୁ ବହୁସମୟ ଲାଗି ଯାଇଥିଲା। ଉତ୍ତେଜନା ନିୟନ୍ତ୍ରଣାଧୀନ ହେବାପରେ ରାତିଅଧରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ସନ୍ଧ୍ୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଇଟିଆଇ ଦ୍ବିତୀୟ ବର୍ଷର ଛାତ୍ର ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର ବ୍ୟକ୍ତିଗତ ଶତ୍ରୁତା ଥିବା ସୁଶୀଳ ପାଇକା ଉପରେ ପ୍ରତିଶୋଧ ନେବା ନିମନ୍ତେ ଏଭଳି କାଣ୍ଡ ଭିଆଇଥିଲା। ଏସ୍‌ପି ମୁକେଶ ଭାମୁ କହିଲେ ଯେ, ସୁଶୀଳ ପାଇକା ସାମାଜିକ ଗଣମାଧ୍ୟମ(ଇନ୍‌ଷ୍ଟାଗ୍ରାମ)ରେ ସମ୍ବଲପୁରରେ ସକ୍ରିୟ ଥିବା ‘ଏସ୍‌ବିପି ମାଫିଆ ଗ୍ୟାଙ୍ଗ’ର ସଦସ୍ୟ ଅଟେ।

ସୁଶୀଳ ପାଇକା ଏବଂ ଅଭିଯୁକ୍ତ ଅଭିଳାଷ ମିଶ୍ରର ପିତା ଦିଲୀପ ମିଶ୍ରଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଦିଲୀପଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା ସୁଶୀଳ। ତେଣୁ, ସୁଶୀଳକୁ ଫସାଇବା ପାଇଁ ଅଭିଳାଷ ଯୋଜନା ପ୍ରସ୍ତୁତ କରିଥିଲା। ୟୁଟ୍ୟୁବ୍‌ରୁ ବୋମା ତିଆରି କୌଶଳ ଶିଖିଥିଲା। ଆତଙ୍କ ସୃଷ୍ଟି ନିମନ୍ତେ ଜନଗହଳିପୂର୍ଣ୍ଣ ଜାଗା, ସିସିଟିଭି କ୍ୟାମେରା ନଥିବା ଏବଂ ଫ୍ଲାଇଓଭର ଦେଇ ସହଜରେ ଖସି ପଳାଇବା ବାଟ ଥିବା ଯୋଗୁଁ ସେ ପୀରବାବା ଛକକୁ ବାଛିଥିଲା ବୋଲି ଏସ୍‌ପି ଶ୍ରୀ ଭାମୁ କହିଛନ୍ତି। ଅଭିଳାଷଠାରୁ ଘଟଣାରେ ବ୍ୟବହୃତ ଧଳା ରଙ୍ଗର ସାଇକେଲ, ଧଳା ହୁଡି ଟି-ସାର୍ଟ, ମୋବାଇଲ ଫୋନ୍‌, ସ୍କୁଟି, ବୋମା ତିଆରିରେ ବ୍ୟବହୃତ ବୈଦ୍ୟୁତିକ ସାମଗ୍ରୀ ସହିତ ମୋଟ ୧୬ଟି ସାମଗ୍ରୀ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗଙ୍କ ସହିତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର