ସିନ୍ଧିଚୋରଙ୍କ ଟାର୍ଗେଟରେ ସରକାରୀ କ୍ୱାର୍ଟର୍ସ

୧୦ ମାସରେ ଶହେ କ୍ୱାର୍ଟର୍ସରୁ ଚୋରି, ନିଶା କାରବାରରୁ ନୂଆ ଚୋର

ଭୁବନେଶ୍ୱର : ପୂର୍ବରୁ ସହରର ପରିସୀମା ସଂଲଗ୍ନ କଲୋନି ବା ଆବାସିକ କେନ୍ଦ୍ରକୁ ଟାର୍ଗେଟ୍‌ କରୁଥିଲେ ସିନ୍ଧିଚୋର। ପୁଲିସ ପାଟ୍ରୋଲିଂ ଦୁର୍ବଳ ଥିବା ଅଞ୍ଚଳରେ ସେମାନଙ୍କ ପ୍ରାଦୁର୍ଭାବ ଥିଲା। କିନ୍ତୁ ଏବେ ସେମାନଙ୍କ ନଜରରେ ରହିଛି ସହର ଭିତରେ ଥିବା ସରକାରୀ କ୍ବାର୍ଟର୍ସ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେବା ଭଳି ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଜନଗହଳି ଅଞ୍ଚଳରେ ଥିବା ସରକାରୀ କ୍ବାର୍ଟର୍ସରୁ କଳାକନା ବୁଲାଇ ଦେଉଛନ୍ତି। କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା, ଖାରବେଳନଗର ଥାନା ଭଳି ଅଞ୍ଚଳରେ ମାତିଛନ୍ତି ସିନ୍ଧିଚୋର। ବଡ଼ କଥା ହେଉଛି, ଦିନ ହେଉ କି ରାତି ହେଉ, ଘରେ କେହିନଥିବା ସମୟରେ ଝରକା କବାଟ ତାଡ଼ି ସବୁ ଲୁଟି ନେଉଛନ୍ତି। ଫଳରେ ରାଜଧାନୀ ଏବେ ସିନ୍ଧିଚୋରଙ୍କ ସହର ପାଲଟିଛି।

ଗତ ୧୦ ମାସରେ ସିନ୍ଧିଚୋରମାନେ ପାଖାପାଖି ଶହେ ସରକାରୀ କ୍ବାର୍ଟର୍ସରୁ ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଛି। ୟୁନିଟ୍-୧ କ୍ବାର୍ଟର୍ସ ନମ୍ବର ଭିଆଇଆର ୯/୩ରେ ରୁହନ୍ତି ଜୟଶ୍ରୀ ମିଶ୍ର। ନଭେମ୍ବର ୩ ଅପରାହ୍ନରେ ସେ ଅଫିସରୁ କ୍ବାର୍ଟର୍ସକୁ ଫେରିବା ବେଳକୁ ଘରେ କଳାକନା ବୁଲି ସାରିଥିଲା। ସିନ୍ଧିଚୋର କବାଟ ତାଲା କାଟି ଘର ଭିତରୁ ନଗଦ ଟଙ୍କା ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଆଦି ଲୁଟି ଚମ୍ପଟ ମାରିଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା ଓ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ୟୁନିଟ୍-୧ରେ ରହୁଥିବା ଆଉ ଜଣେ ମହିଳାଙ୍କ ଘରୁ ଗତ ୧୧ ତାରିଖ ଅପରାହ୍ନରେ ଦୁର୍ବୃତ୍ତମାନେ ଚୋରି କରିଥିଲେ। ଇଏ ଦୁଇଟି ଉଦାହରଣ ମାତ୍ର। ଏମିତି ଦେଖିଲେ ବହୁ ଚୋରି ଅଭିଯୋଗ ରହିଛି ଓ ବହୁ ଛୋଟମୋଟ ଚୋରିକୁ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ବହୁ ମାମଲାରେ ଦୁର୍ବୃତ୍ତମାନେ ପାଣି ଟ୍ୟାପ୍‌ ବି ଲୁଟି ନେଉଛନ୍ତି। ଏମିତି ବହୁ ମାମଲା ଥାନାକୁ ଆସୁନାହିଁ। ତେଣୁ ୟୁନିଟ୍-୧, ୟୁନିଟ୍-୨ ଏବଂ ୟୁନିଟ୍-୬ର ସରକାରୀ କ୍ବାର୍ଟର୍ସ ଏବେ ସିନ୍ଧିଚୋରଙ୍କ ଟାର୍ଗେଟରେ ରହିଛି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ବଡ଼ବଡ଼ ସିନ୍ଧିଚୋରଙ୍କୁ ବାନ୍ଧି ପାରୁନାହିଁ। ତେବେ ସରକାରୀ କ୍ବାର୍ଟର୍ସର ବାଥ୍‌ରୁମ୍‌ରୁ ପାଣି ଟ୍ୟାପ୍ ଲୁଟୁଥିବା ଚୋରକୁ ଗିରଫ କରି ଜେଲ୍ ପଠାଇଛି।


ଗତ ଅଗଷ୍ଟ ମାସରେ ଡେଲ୍‌ଟା କଲୋନିରୁ ପ୍ରଶାସନିକ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ ସରକାରୀ କ୍ବାର୍ଟର୍ସରୁ ଲାଗଲାଗ ଦୁଇ ଥର ଚୋରି ହେଲା। ଦିନରେ ସେ ଅଫିସ ଯାଇଥିବା ମଉକାରେ ସିନ୍ଧିଚୋର ତାଙ୍କ ଘର କବାଟ ଝରକା ତାଡ଼ି ଲୁଟ୍‌ପାଟ୍‌ କରିଥିଲେ। ନଗଦ ଟଙ୍କା ଓ ସୁନାଗହଣା ଚୋରି କରି ନେଇଥିଲେ। ଅବଶ୍ୟ ଏହି ମାମଲାରେ ବିଳମ୍ବରେ ହେଉ ପଛେ ଖଣ୍ଡଗିରି ଥାନା ପୁଲିସ ସିନ୍ଧିଚୋରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଓ ତା’ଠାରୁ କିଛି ଗହଣା ମଧ୍ୟ ଜବତ କରିଥିଲା। ସିନ୍ଧିଚୋରି ଛଡ଼ା ବହୁ ଛିନ୍‌ତାଇ ଓ ଲୁଟେରାମାନେ ମଧ୍ୟ ଏବେ ସରକାରୀ କ୍ବାର୍ଟର୍ସକୁ ଟା‌ର୍ଗେଟ୍‌ କରୁଛନ୍ତି। ସକାଳୁ ସକାଳୁ ମର୍ଣ୍ଣିଂୱାକ୍‌ ବେଳେ ଦୁର୍ବୃତ୍ତମାନେ ସରକାରୀ କ୍ବାର୍ଟର୍ସରୁ ଲୁଟୁଛନ୍ତି।

ଏବେ ବି ପୂର୍ବର ବହୁ ପେସାଦାର ସିନ୍ଧିଚୋର ରାଜଧାନୀରେ ସକ୍ରିୟ ଅଛନ୍ତି। କିନ୍ତୁ ସେମାନେ ପୂର୍ବଭଳି ସହର ବାହାର ଅଞ୍ଚଳରେ ସେମାନଙ୍କ କାଣ୍ଡ କରୁଛନ୍ତି। କେହି ଘର ଛାଡ଼ି ବାହାରକୁ ଯାଉଥିବା ସୁଯୋଗ ଉଣ୍ଡି ସେମାନେ କବାଟ ଝରକା ତାଡ଼ି ଲୁଟ୍‌ପାଟ୍‌ କରୁଛନ୍ତି। କିନ୍ତୁ ସହର ଭିତରେ ସିନ୍ଧିଚୋରି ବଢ଼ିବା ପଛରେ ରହିଛି ବ୍ରାଉନ୍‌ସୁଗାର ଭଳି ନିଶା କାରବାର। ରାଜଧାନୀରେ ବ୍ରାଉନ୍‌ସୁଗାର କବଳରେ ପଡ଼ୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା କ୍ରମଶଃ ବଢ଼ୁଛି। ନିଶାଡ଼ିମାନେ ନିଶା ଖର୍ଚ୍ଚ ଉଠାଇବା ପାଇଁ ଚୋରି କରିବାକୁ ପଛାଉନାହାନ୍ତି। ନିଶା କାରବାର ବୃଦ୍ଧି ନୂଆ ନୂଆ ସିନ୍ଧିଚୋର ସୃଷ୍ଟି କରିଛି। ବିଶେଷକରି ସରକାରୀ କ୍ବାର୍ଟର୍ସ ନିକଟବର୍ତ୍ତୀ ବସ୍ତି ଅଞ୍ଚଳର ନିଶାଡ଼ିମାନେ ସରକାରୀ କ୍ବାର୍ଟର୍ସକୁ ସେମାନଙ୍କ ନିଶାଣ ବନାଉଛନ୍ତି। ଅଧିକ କିଛି ନପାଇଲେ ବି ପାଣି ଟ୍ୟାପ୍‌ ଖୋଲି ଶହେ ଦୁଇ ଶହରେ ବିକି ଦେଉଛନ୍ତି ଓ ସେଥିରେ ନିଶା ଖର୍ଚ୍ଚ ଉଠାଉଛନ୍ତି। ୟୁନିଟ୍-୬ ଅଞ୍ଚଳରେ ଏଭଳି ମାଳମାଳ ଘଟଣା ଘଟୁଛି। ଏହି ଅଞ୍ଚଳର ହାଇସ୍କୁଲ, କାଳୀମନ୍ଦିର ନିକଟରେ ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ବେପାରୀଙ୍କ ଆଡ଼ା ରହିଛି। ଏଠାରେ ୧୦ରୁ ଅଧିକ ବେପାରୀ ସକ୍ରିୟ ଅଛନ୍ତି। ବହୁ ନିଶାଡ଼ି ସେମାନଙ୍କ କବଳରେ ପଡ଼ିଛନ୍ତି ଓ ସେମାନେ ସରକାରୀ କ୍ବାର୍ଟର୍ସକୁ ହିଁ ଟାର୍ଗେଟ୍‌ କରୁଛନ୍ତି। ଯେଉଁ କ୍ବାର୍ଟର୍ସରେ କମ୍ ଲୋକ ରହୁଛନ୍ତି ଓ ଦିନ ବେଳା ଘର ଖାଲି ରହୁଛି, ସେଭଳି ଘରକୁ ଉଣ୍ଡି ସେମାନେ କଳାକନା ବୁଲାଉଛନ୍ତି। ଉଲ୍ଲେଖନୀୟ କଥା ହେଲା ସେହି ଅଞ୍ଚଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ କ୍ବାର୍ଟର୍ସରେ ରହୁଛନ୍ତି। ଅଥଚ ସେଇଠି ମାଳମାଳ ସିନ୍ଧିଚୋର ଓ ନିଶା ବେପାରୀ। ‘ବସ୍ତିକୁ ଚାଲ’ ଓ ‘ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡର୍’ ଭଳି ପୁଲିସ ଅଭିଯାନ ସତ୍ତ୍ବେ ସିନ୍ଧିଚୋରି ବଢ଼ିବା ପୁଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର