ପୋଷ୍ଟାଲ୍‌ ଆସିଷ୍ଟାଣ୍ଟଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଲକର୍‌ ଭାଙ୍ଗି ୨୦ଲକ୍ଷ ଟଙ୍କାର ସୁନାଗହଣା ଚୋରି

ଭୁବନେଶ୍ବର : ରାଜଧାନୀରେ ଲୁଟେରା ଗ୍ୟାଙ୍ଗ କମିସନରେଟ୍‌ ପୁଲିସକୁ ଚ୍ୟା‌ଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଉଛନ୍ତି। ପୁଲିସ ଅପରାଧୀଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ଟେର୍‌ ପାଉନି। ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା, ଜୋରଦାର ପାଟ୍ରୋଲିଂ କରାଯାଉଛି ବୋଲି ଅଧିକାରୀ କହୁଥିବା ବେଳେ ଏହା କେବଳ କଥା ସୀମିତ ରହିଯାଉଛି।

ଓୟୁଏଟି ଗେଷ୍ଟହାଉସ୍‌ ନିକଟରେ ଥିବା ଜଣେ ଆଇଏଏସ୍‌ ଅଧିକାରୀଙ୍କ ଘରୁ ଲୁଟ୍‌ ଘଟଣା ସପ୍ତାହେ ନପୂରୁଣୁ ଆଜି ଦୁର୍ବୃତ୍ତମାନେ ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ ଅବିନାଶ ସାହୁଙ୍କ ଘରେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ଦିନ ଦ୍ବିପ୍ରହରରେ ଶ୍ରୀ ସାହୁଙ୍କ ଘରୁ ପାଖାପାଖି ୨୦ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ନେଇଯାଇନ୍ତି। ନୂଆ ପୁଲିସ କମିସନରଙ୍କ ଯୋଗଦେବାର ୧୦ଦିନ ମଧ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ କାଣ୍ଡ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମୁତାବକ, କିଛିଦିନ ହେବ ଶ୍ରୀ ସାହୁ ନୟାଗଡ଼ରୁ ଆସି ଭୁବନେଶ୍ବର ପୋଷ୍ଟାଲ୍‌ରେ ଯୋଗଦେଇଥିଲେ। ସେ ଏଠାରେ ଝାରପଡ଼ା ଜଗନ୍ନାଥ ନଗର ଲେନ୍‌-୧ଥିବା ଏକ ୪ମହଲା କୋଠାର ତଳ ଓ ପ୍ରଥମ ମହଲାରେ ପରିବାର ସହ ରହୁଥିଲେ। ଆଜି ସାଢ଼େ ୯ଟା ବେଳେ ସେ ଅଫିସ ଯାଇଥିଲେ। ପତ୍ନୀ ପ୍ରଥମ ମହଲାରେ ତାଲା ପକାଇ ରୋଷେଇ ପାଇଁ ତଳ ମହଲାକୁ ଆସିଥିଲେ। ଶ୍ରୀ ସାହୁ ଅପରାହ୍ନ ୨ଟାରେ ଖାଇବା ପାଇଁ ଘରକୁ ଆସିଥିଲେ। ଉଭୟ ଖାଇ ସାରିବା ପରେ ପାଖାପାଖି ୩ଟା ବେଳେ ପ୍ରଥମ ମହଲାକୁ ଯାଇଥିଲେ। ହେଲେ ଘର ତାଲା ଭଙ୍ଗା ଯାଇଥିବା ଦେଖି ଚକିତ ହୋଇପଡ଼ିଥିଲେ। ଘର ଭିତରକୁ ପଶିବା ବେଳକୁ ଜିନିଷପତ୍ର ଏପଟ ସେପଟ ହୋଇପଡ଼ି ଥାଏ। ଅଲ୍‌ମିରା ଖୋଲାପଡ଼ିଥାଏ। ଲକର୍ ଭାଙ୍ଗି ଦୁର୍ବୃତ୍ତମାନେ ପାଖାପାଖି ୩ଟି ହାର, ୨୦ଟି ମୁଦି, ବ୍ରେସଲେ୍‌ଟ୍‌, ବାହୁଟି, ଚୁଡ୍‌ ପାଖାପାଖି ସାଢ଼େ ୪ଶହ ଗ୍ରାମର ସୁନାଗହଣା ନେଇଯାଇଛନ୍ତି। ଏନେଇ ଶ୍ରୀ ସାହୁ ଲକ୍ଷ୍ମୀସାଗର ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସେହିପରି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଝାରପଡ଼ା ଗଣେଶ ମଣ୍ଡପ ନିକଟରୁ ଦୁର୍ବୃତ୍ତମାନେ ଝିଲ୍ଲିରାଣୀ ଚାନ୍ଦ ନାମକ ଜଣେ ଯୁବତୀଙ୍କ ଠାରୁ ସୁନାହାର ଝାମ୍ପି ନେଇଛନ୍ତି। ଦୁଇ ଜଣ ଯୁବକ ଏକ ନାଲି ରଂଗର ପଲସରରେ ଆସି ତାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ନେଇଥିଲେ। ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର