ଟେଲିଗ୍ରାମ୍‌ ଗ୍ରୁପ୍‌ ଓ ମ୍ୟୁଲ୍‌ ଆକାଉଣ୍ଟରେ ଲୁଟ୍‌: ଖଣ୍ଡଗିରିରୁ ୩ ସାଇବର ଲୁଟେରା ଗିରଫ

ଏକାଧିକ ପାସ୍‌ବୁକ ଓ ପରିଚୟପତ୍ର ଜବତ

ଭୁବନେଶ୍ବର: ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଯୋଡ଼ିବା ପରେ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ଟଙ୍କା ଲୁଟି ନେଉଥିବା ଏକ ସାଇବର ଠକ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଅଞ୍ଚଳରୁ ଠାବ କରାଯାଇଛି। ଭୁବନେଶ୍ବର ସାଇବର ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ମାର୍ଗ ଅଞ୍ଚଳର ବାଳଗୋପାଳ ବାରିକ(୨୮), ଘାଟିକିଆ ଅଞ୍ଚଳର ଦେବେନ୍ଦ୍ର ସେଠୀ(୨୮) ଓ ସନ୍ଦୀପ ରାଉତ(୨୩)। ସେମାନଙ୍କଠାରୁ ବହୁ ବ୍ୟାଙ୍କ ପାସ୍‌ବୁକ, ପରିଚୟପତ୍ର, ସଂସ୍ଥାର ଜାଲ୍‌ କାଗଜପତ୍ର ଆଦି ଜବତ କରାଯାଇଛି। ଏହି ରୢାକେଟ୍‌ର ଆହୁରି କିଛି ସଦସ୍ୟଙ୍କୁ ଠାବ କରିବାକୁ ଯୋଜନା ଚାଲିଛି ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ କିଛିଦିନ ତଳେ ଏକ ଅଜଣା ନମ୍ବରରୁ ପଟିଆ ଷ୍ଟେସନ ଅଞ୍ଚଳର ଅଜୟ କୁମାର ପଣ୍ଡାଙ୍କ ହ୍ବାଟ୍‌ସଆପ୍‌କୁ ଏକ ମେସେଜ୍‌ ଆସିଥିଲା। ହୋଟେଲ୍‌, ରେସ୍ତୋରାଁ, ଛୋଟ ଛୋଟ ଶିଳ୍ପକୁ ରେଟିଂ ଦେବା ଲାଗି ମେସେ‌ଜ୍‌ରେ କୁହାଯାଇଥିଲା। ରେଟିଂ ଦେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଉଲ୍ଲେଖ ଥିଲା। ଅଜୟ ତଥ୍ୟ ମୁତାବକ ରେଟିଂ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା କ୍ରେଡିଟ୍‌ ହୋଇଥିଲା। ବିନା ମୂଳଧନରେ ଏହି କାରବାର ଅଜୟଙ୍କ ମନକୁ ଛୁଇଁଥିଲା। ସେ ଏମିତିରେ କିଛିଦିନ ରେଟିଂ କରି କିଛି ପଇସା ରୋଜଗାର କରିଥିଲେ। ଏହା ଭିତରେ ଉକ୍ତ ଗ୍ରୁପ୍‌ର କିଛି ସଦସ୍ୟ ତାଙ୍କୁ ପୁଞ୍ଜିନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ସେମାନେ ନିବେଶ କରି ଭଲ ଉପାର୍ଜନ କରିଛନ୍ତି ବୋଲି କହି ଅଜୟଙ୍କ ମୁଣ୍ଡରେ ଭର୍ତ୍ତି କରିଦେଇଥିଲେ। ଏହା ଭିତରେ ଅଜୟ ଉକ୍ତ ଗ୍ରୁପ୍‌କୁ ବିଶ୍ବାସ କରି ଯାଇଥିଲେ। ତେଣୁ ସେ ଅଧିକ ରିଟର୍ଣ୍ଣ ପାଇବା ଲୋଭରେ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ବିଭିନ୍ନ ପର୍ଯ୍ୟାୟରେ ୪ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ପରେପରେ ଅଜୟଙ୍କୁ ଗ୍ରୁପ୍‌ରୁ ବାହାର କରିଦେବା ସହ ତାଙ୍କ ଫୋନ୍‌ ନମ୍ବରକୁ ବ୍ଲକ୍‌ କରିଦେଇଥିଲେ। ଠକେଇର ଶିକାର ହେବା ନିଶ୍ଚିତ ହେବା ପରେ ଅଜୟ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ଟେଲିଗ୍ରାମ୍‌ ଗ୍ରୁପ୍‌ର କିଛି ଫୋନ୍‌ ନମ୍ବର ଓଡ଼ିଶାରେ ବ୍ୟବହୃତ ସିମ୍‌ କାର୍ଡର ଓ ଭୁବନେଶ୍ବରରେ ସକ୍ରିୟ ଥିବା ଜଣାପଡ଼ିବା ପରେ ସାଇବର ଥାନା ପୁଲିସ ତୁରନ୍ତ ସେମାନଙ୍କୁ ଠାବ କରିବାକୁ ଲାଗିପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ସାଇବର ଲୁଟେରା ଗ୍ୟାଙ୍ଗ୍‌ ଆକାଡିଫାଏ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଖୋଲିଥିଲେ। ସେହି ସଂସ୍ଥା ସହ କିଛି କରେଣ୍ଟ ଆକାଉଣ୍ଟ ଲିଙ୍କ୍‌ କରାଯାଇଥିଲା। ଲୋକଙ୍କ ଟଙ୍କା କରେଣ୍ଟ ଆକାଉଣ୍ଟ ମାଧ୍ୟମରେ ନେଇ ପରେ ନିଜ ଆକାଉଣ୍ଟକୁ ନେଉଥିଲେ। ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କଲା ବେଳେ ସବୁ ସତ ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର