ବାଲିପାଟଣା ଅଞ୍ଚଳରେ ଦୋକାନ ଭାଙ୍ଗି ସାମଗ୍ରୀ ଲୁଟି ନେଲା ଚୋର

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ, ରାହାଜାନୀ ଥମିବାର ନାଁ ଧରୁନି। ପୁଲିସର ନିଷ୍କ୍ରୟତା ଯୋଗୁ ଚୋର ଚୋରି କରି ଖସି ଯାଉଛି। ହେଲେ ସାଧାରଣ ଜନତାଙ୍କ ନିଦ ହଜି ଗଲାଣି। ଗତକାଲି ସରାଟ ମୌଜା ଗଡ଼ବନ୍ତପୁରସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର ନିକଟରେ ଥିବା ହୃଦାନନ୍ଦ ଜେନାଙ୍କ ଦୋକାନ ଭାଙ୍ଗି ନଗଦ ଟଙ୍କା ଏବଂ ବହୁ ସାମଗ୍ରୀ ଲୁଟ୍‌ ହୋଇଛି। ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁଯାଇ, ଗଡ଼ବନ୍ତପୁରସ୍ଥିତ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପାଖରେ ହୃଦାନନ୍ଦଙ୍କ ଏକ ଭେରାଇଟ ଷ୍ଟୋର ଅଛି। ଗତକାଲି ବିଳମ୍ବିତ ରାତିରେ ସେ ଦୋକାନ ତାଲା ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ଦୋକାନ ଖୋଲିବା ସମୟରେ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନ ଭିତରୁ ନଗଦ ୯ ହଜାର ଟଙ୍କା , ଗୋଟିଏ ଗ୍ୟାସ ଟାଙ୍କି , ୧୦ ଲିଟର ପେଟ୍ରୋଲ , କ୍ୟାମେରା, ପେନ , ହେଲମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋର ଲୁଟି ନେଇଥିବା ଜାଣିବାକୁ ପାଇଛନ୍ତି। ଏନେଇ ହୃଦାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉ କି ବିଗତ ଦିନରେ ବାଲିପାଟଣା ଅଞ୍ଚଳରେ ଅନେକ ଚୋରି , ଲୁଟ , ରାହାଜାନି ଭଳି ମାମଲା ଦେଖିବାକୁ ମିଳିଛି। ଲୁଟପାଟର ଶିକାର ହେଉଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ ଚୋରଙ୍କ ଟେର ପାଉନାହିଁ। ପୁଲିସ ତଦନ୍ତ ଶିଥିଳତା ଯୋଗୁ ଜନଅସନ୍ତୋଷ ବୃଦ୍ଧି ପାଉଛି। ଏସବୁ ଘଟଣା ପଛରେ ବ୍ୟାପକ ଚୋରା ନିଶା କାରବାର ମୁଖ୍ୟ କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର