ସାବଧାନ : ଓଏଲଏକ୍ସରେ ଚୋରା ଗାଡ଼ି! ଆପାର୍ଟମେଣ୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ଓଏଲ୍‌ଏକ୍ସ୍‌ରେ ମିଳୁଛି ଚୋରା ଗାଡ଼ି। ନମ୍ବର ପ୍ଲେଟ୍, କାଗଜପତ୍ର ବି ଜାଲ୍। ଚୋରା ଗାଡ଼ି କାରବାର ଅଭିଯୋଗରେ ରାଜଧାନୀ ଉପକଣ୍ଠ ସୁନ୍ଦରପଦାସ୍ଥିତ ହାଇଟେକ୍ ପ୍ଲାଜାରୁ ଜଣେ ଯୁବକଙ୍କୁ ଧରି ନିସ୍ତୁକ ପିଟିବା ପରେ ପୁଲିସ ଜିମା ଦେଇଛନ୍ତି ଲୋକେ। ଏହି ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଗୋଟିଏ ଗାଡ଼ିରେ ଅନ୍ୟ ଏକ ଗାଡ଼ିର ନମ୍ବର ପ୍ଲେଟ୍‌କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ ଓଏଲଏକ୍ସରୁ ଏହି ଗାଡ଼ି କିଣିଥିବା ପୁଲିସ ନିକଟରେ କହିଛନ୍ତି। ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଯୁବକଜଣକ ଗତ କିଛି ଦିନ ହେଲା ଭଳିକି ଭଳି କେତେକ ଗାଡ଼ି ଆଣୁଛନ୍ତି। କିଛି ଦିନ ହେଲା ଯୁବକଙ୍କ ଏକ ପଲସର୍ ଓ ୟାମାହା ଏଫ୍ ୨ ଗାଡି ଚେନ୍ ଲକ୍ ହୋଇ ପଡ଼ି ରହିଛି। ଏହାସହ ଗୋଟିଏ ଖୋଲା ଜିପ୍ ଓ ମାରୁତି ୮୦୦ କାର୍‌ ମଧ୍ୟ ରହିଛି। ଗୋଟିଏ ବାଇକ୍‌ରେ ଅନ୍ୟ ଏକ ଗାଡ଼ିର ନମ୍ବର ପ୍ଲେଟ୍ ଲାଗିଥିବା ବାସିନ୍ଦା ଜାଣିବା ପରେ ସନ୍ଦେହ ବଢ଼ିଥିଲା। ଯୁବକଙ୍କୁ ଧରି ଲୋକେ ପ୍ରଥମେ ତାଙ୍କ ହାତକୁ ବାନ୍ଧି ପକାଇଥିଲେ। ନିସ୍ତୁକ ମାଡ଼ ମାରିବା ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ପୁଲିସ ବି ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ନ ଥିଲା। ଏୟାରଫିଲ୍ଡ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଯୁବକଜଣକ ଓଏଲ୍‌ଏକ୍ସରୁ କିଣିଥିବା କଥାର ସତ୍ୟତାକୁ ଅନୁସନ୍ଧାନ କରୁଛି ପୁଲିସ। ଯାହାଠାରୁ କିଣିଥିବା କଥା କହୁଛନ୍ତି ତାଙ୍କୁ ପୁଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର