ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟୁଛନ୍ତି ସରକାରୀ ସମ୍ପତ୍ତି, ରାଜମହଲ ଓଭରବ୍ରିଜ୍ ତଳୁ ଲୁହାବାଡ଼ ଭାଙ୍ଗିନେଲା

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌, ପୁଲିସ କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର : ଥାନାର ଦୂରତା ମାତ୍ର ତିନି ଶହ ମିଟର। କୋଭିଡ କଟକଣା ଲାଗି ରାଜରାସ୍ତାରେ କୁଆଡ଼େ ପୁଲିସ ଗାଡ଼ି ପଇଁତରା ମାରୁଛି। କିନ୍ତୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟି ଚାଲିଛି ସରକାରୀ ସମ୍ପତ୍ତି। ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଘଟିଛି। କ୍ୟାପିଟାଲ ଥାନା ଅଞ୍ଚଳର ଏହି ଅଭାବନୀୟ ଚିତ୍ର ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ପୋଷ୍ଟିଂରେ କମିସନରେଟ ପୁଲିସକୁ ତୀବ୍ର ସମାଲୋଚନା କରାଯାଉଛି। ପୁଲିସ କାର୍ଯ୍ୟଦକ୍ଷତା ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।

ଏହି ଭିଡିଓରୁ ଜଣାପଡ଼ିଛି, ଜଣେ ଯୁବକ ରାଜମହଲ-କଳ୍ପନା ଯିବା ରାସ୍ତାର ଓଭରବ୍ରିଜ୍ ତଳେ ଲାଗିଥିବା ଲୁହାବାଡ଼କୁ ସ୍ପଷ୍ଟ ଦିବାଲୋକରେ ଭାଙ୍ଗି ଚାଲିଛି। ଆଉ ଭଙ୍ଗା ଲୁହା ଗ୍ରିଲକୁ ରାସ୍ତାର ଅପରପାର୍ଶ୍ବକୁ ବୋହି ନେଇ ଉପରୁ ତଳକୁ ଫିଙ୍ଗି ଦେଉଛି। ଏଥିରେ କେତେଜଣ ସାମିଲ ଅଛନ୍ତି, ତାହା ଜଣାପଡ଼ୁ ନଥିଲେ ମଧ୍ୟ ସେଠାରେ ଆଉ ଜଣେ ଉପସ୍ଥିତ ରହି ଏହି ଲୁହାବାଡ଼କୁ ବୋହି ନେଉଥିବା ଅନୁମାନ କରାଯାଉଛି। ଏମିତି ଏକାଧିକ ଲୁହାବଡ଼ ଭାଙ୍ଗି ଲୁଟି ନେଉଥିବା ବେଳେ କେତେକ ବ୍ୟକ୍ତି ଠିଆ ହୋଇ ଦେଖିବାରୁ ଯୁବକର ନଜର ସେମାନଙ୍କ ଉପରେ ପଡ଼ିଯାଉଛି। ଆଉ ଯୁବକ ଜଣକ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଉଛି। କେବଳ ରାଜମହଲ ଓଭରବ୍ରିଜ୍ ନୁହେଁ; ସେହି ରାସ୍ତାରେ ଫଳ ମାର୍କେଟ ସାମ୍ନାରେ ଲାଗିଥିବା ଲୁହାବାଡ଼ ମଧ୍ୟ ଚୋରି ହେଉଛି। ଅନେକ ସ୍ଥାନରେ ଲୁହା ବାଡ଼ ନ ଥିବା ଦେଖିବାକୁ ମିଳୁଛି। ୟୁନିଟ୍-୬ ଅଞ୍ଚଳରେ ଏକାଧିକ ସରକାରୀ କ୍ବାର୍ଟର୍ସ, ବରିୁଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରୁ ପୂର୍ବରୁ ଚୋରି ହୋଇଥିବା ନଜିର୍ ରହିଛି। ପୂର୍ବରୁ ନଅ ତାଲାରୁ ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି।

ପୁଲିସ ହାତରେ ବିଦ୍ୟୁତ ତାର ଚୋର
ଆଜି ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିବା ସହ ତା ନିକଟରୁ ଚୋରି ବିଦ୍ୟୁତ ତାର କଏଲ୍ ଜବତ କରିଛି। ଗିରଫ ଯୁବକ ଜଣକ ଏନଏସି କଲୋନି ନିକଟରେ ରହୁଥିବା ମୁନା ଡିସୌଜା ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ, ଏହି ବିଦ୍ୟୁତ ତାରକୁ ସେ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଖବର ପାଇ ପୁଲିସ ଗିରଫ କରିଥିଲା। ଜଟଣୀ ଅଞ୍ଚଳର କୌଣସି ଏକ ଇଲେକ୍‌ଟ୍ରିକ୍ ଅଫିସରୁ ସେ ତାର ଚୋରି କରୁଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର