‘ପ୍ରେମ ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଭଗବାନ ବୁଦ୍ଧ’

ମହାବୋଧି ସୋସାଇଟି ପକ୍ଷରୁ ୨୫୬୬ତମ ବୁଦ୍ଧ ଜୟନ୍ତୀ

ଭୁବନେଶ୍ୱର: ପ୍ରେମ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଭଗବାନ ବୁଦ୍ଧ। ବର୍ତ୍ତମାନ ବିଶ୍ବରେ ଯୁଦ୍ଧର ଯେଉଁ କରାଳ ଛାୟା ଦେଖାଯାଉଛି, ସେଥିରୁ ମୁକ୍ତି ପାଇଁ ବୁଦ୍ଧଙ୍କ ଅହିଂସା, ସତ୍ୟ, ପ୍ରେମ, କରୁଣା ହିଁ ଏକମାତ୍ର ମାର୍ଗ। ବୁଦ୍ଧଙ୍କ ଜନ୍ମ ସମୟରେ ଭାରତବର୍ଷର ପାରିପାର୍ଶ୍ବକ ଅବସ୍ଥାକୁ ଯଦି ଆମେ ଚିନ୍ତା କରିବା, ତେବେ କିଭଳି ପରିସ୍ଥିତିରେ ସେ ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଥିଲେ, ଆମେ ଆଜି ତା’ର ପରିକଳ୍ପନା କରିପାରିବା ନାହିଁ। ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଭଗବାନ ବୁଦ୍ଧଙ୍କ ୨୫୬୬ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟବକ୍ତା ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କହିଲେ, ଗୌତମ ବୁଦ୍ଧଙ୍କ ସମସ୍ତ ବାଣୀ ବିଶ୍ବର ତଥା ବ୍ୟକ୍ତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ମଣିଷ ଆଚରଣ ସିଦ୍ଧ ହେଲେ ସବୁ କିଛି ସମ୍ଭବ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ‘ପୌରୁଷ’ର ସମ୍ପାଦକ ଅସିତ୍ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ‘କଳିଙ୍ଗ’ ସ୍ମରଣିକାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। କାର୍ଯକ୍ରମରେ ସଭାପତି ତଥା ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଭଗବାନ ବୁଦ୍ଧଙ୍କ ପଞ୍ଚଶୀଳ ନୀତି କଥା କହିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଦେବୀପ୍ରସନ୍ନ ପଟ୍ଟନାୟକ, ତ୍ରିବିକ୍ରମ ମହାନ୍ତି, ପ୍ରଫେସର୍‌ ବେଦବତୀ ମହାନ୍ତି, ସିଦ୍ଧାର୍ଥ ପଣ୍ଡା, ନବୀନ ସାହୁ, କରୁଣାକର ପ୍ରଧାନ, ନରେନ୍ଦ୍ର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କେନ୍ଦ୍ରୀୟ କମିଟିର ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କେନ୍ଦ୍ରୀୟ କମିଟିର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର