ହାୟରେ କି ପ୍ରେମ! : ଜଣେ ଯୁବତୀ,୨ ନାବାଳିକା ଉଦ୍ଧାର

ଖଣ୍ଡଗିରି : ସୋମବାର ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରୁ ଭିନ୍ନ ଭିନ୍ନ ମାମଲାରେ ଜଣେ ଯୁବତୀଙ୍କ ସମେତ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି। ସେଥିମଧ୍ୟରୁ ୨ଟି ଏକତରଫା ପ୍ରେମର ବିଫଳତାକୁ ନେଇ ଅପହରଣ ମାମଲା ହୋଇଥିବାବେଳେ ଗୋଟିଏ ନିଖୋଜ ବୋଲି ଜଣାପଡ଼ିଛି। କିନ୍ତୁ ନିଖୋଜ ପଛରେ ବି ପ୍ରେମ ସମସ୍ୟା ଥିବା ସନ୍ଦେହ କରାଯାଉଛି। ଖଣ୍ଡଗିରି ଥାନା ପୁଲିସ ମାମଲାଗୁଡ଼ିକୁ ନୟାଗଡ଼ ରଣପୁର ଥାନା, ଖୋର୍ଧା ଟାଉନ୍‌ ଥାନା ଓ ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ପୁଲିସକୁ ହସ୍ତାନ୍ତର କରିଛି।

ବିୟୁଟି ପାର୍ଲର୍‌ରୁ ଫୋନ୍‌
ସୂଚନାନୁସାରେ ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ହଂସରା ଗାଁର ଶାନ୍ତନୁ ବରାଳ ସେହି ଅଞ୍ଚଳର ରାନୀ(ଛଦ୍ମନାମ)ଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲା। ରାନୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନିରେ କାମ କରନ୍ତି ଓ ବହୁ ସମୟରେ ସେ ବସ୍‌ ଯୋଗେ ଯା’ଆସ କରନ୍ତି। ତେଣୁ ଶାନ୍ତନୁ ତାଙ୍କୁ ବାଟରୁ ଅପହରଣ କରିନେଇ ବଦ୍‌ନାମ କରାଇବା ସହ ଜୋର୍‌ ଜବରଦସ୍ତ ବିବାହ କରିବ ବୋଲି ଯୋଜନା କରିଥିଲା। ଯୋଜନା ଅନୁସାରେ ସେ ଗତ ୨୮ ତାରିଖରେ ରାନୀ ବସ୍‌ରେ ଭୁବନେଶ୍ୱର ଆସୁଥିବାବେଳେ ଶାନ୍ତନୁ ତାଙ୍କୁ ଏକ କାର୍‌ରେ ପିଛା କରିଥିଲା। ସାମନ୍ତରାୟପୁର ଛକ ପୂର୍ବରୁ ଶାନ୍ତନୁ ବସ୍‌କୁ ଅଟକାଇ ରାନୀଙ୍କୁ ଜବରଦସ୍ତ ଉଠାଇ ନେଇଥିଲା। ରାନୀଙ୍କ ବୟାନ୍‌ ଅନୁସାରରେ ବସ୍‌ରେ ଏତେ ଲୋକ ଥିଲେ ବି କେହି ପାଟି ଫିଟାଇ ନଥିଲେ। ଶାନ୍ତନୁ ଓ କାର୍‌ରେ ଥିବା ଷଣ୍ଢ ନାମକ ସାଙ୍ଗକୁ ଡରି ସମସ୍ତେ ଚୁପ୍‌ ରହିଥିଲେ। କାର୍‌ରେ ବସାଇବା ପରେ ଶାନ୍ତନୁ ରାନୀଙ୍କଠାରୁ ଫୋନ୍‌ ଛଡ଼ାଇ ନେଇ ତାଙ୍କୁ ଚୁପ୍‌ ରହିବାକୁ ଧମକ ଦେବା ସହ ହତ୍ୟା କରିବ ବୋଲି ଚେତାବନୀ ଦେଇଥିଲା। ପୁରୀରେ ତା ଭଉଣୀ ଘରେ ନଜରବନ୍ଦୀ କରି ରଖିଲା ଓ ବିବାହ ନ କଲେ, ଆନ୍ଧ୍ରପ୍ରଦେଶରେ ବିକ୍ରି କରିଦେବ କିମ୍ବା ଜୀବନରେ ମାରି କେଉଁଠି ଫିଙ୍ଗି ଦେବ ବୋଲି କହିଥିଲା। ଖସିବାକୁ ବାଟ ଖୋଜୁଥିବା ରାନୀ ଚତୁରତାର ସହ ସେମାନଙ୍କ କଥାରେ ରାଜି ହୋଇ ଯାଇଥିଲା। ତେଣୁ ଭୁବନେଶ୍ୱରରେ ଏକ ମନ୍ଦିରରେ ବିବାହ କରିବାକୁ ଶାନ୍ତନୁ ସବୁ ପ୍ରସ୍ତୁତି ସାରି ଦେଇଥିଲା। ପ୍ରସ୍ତୁତି ଅନୁସାରେ ଆଜି ରାନୀଙ୍କୁ ସେମାନେ ଖଣ୍ଡଗିରି ଧର୍ମବିହାରସ୍ଥିତ ଏକ ବିୟୁଟି ପାର୍ଲରକୁ ଆଣିଥିଲେ। ସେଠାରୁ ତାଙ୍କୁ ସଜାଇବା ପରେ ମନ୍ଦିରକୁ ନେଇଥାନ୍ତେ। କିନ୍ତୁ ମେକ୍‌ଅପ୍‌ ନେବା ଭିତରେ ରାନୀ ବିୟୁଟି ପାର୍ଲର୍‌ ମାଲିକାଣୀଙ୍କ ସହଯୋଗରେ ଘରକୁ ଫୋନ୍‌ କରି ସବୁ କଥା ଜଣାଇ ଦେଇଥିଲେ। ୨୮ ତାରିଖରୁ ରାନୀ ନିଖୋଜ ହୋଇଥିବା ନେଇ ତାଙ୍କ ମା’ ରଣପୁର ଥାନାରେ ଅଭିଯୋଗ କରିଥିଲେ। ତେଣୁ ସେ ତୁରନ୍ତ ରଣପୁର ଥାନା ଅଧିକାରୀଙ୍କୁ ଜଣାଇଥିଲେ। ରଣପୁର ଥାନା ଅଧିକାରୀ ସଙ୍ଗେସଙ୍ଗେ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଫଳରେ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ରାନୀଙ୍କୁ ଉଦ୍ଧାର କରିବା ସହ ଶାନ୍ତନୁକୁ କାବୁ କରି ନେଇଥିଲା। ପରେ ରଣପୁର ଥାନା ପୁଲିସ ସେମାନଙ୍କୁ ନେଇଥିଲା। ଆଜି ଶାନ୍ତନୁକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛିି।

ମାଲିକଙ୍କ ଝିଅକୁ ଚାକର କରିଥିଲା ଅପହରଣ
ସେହିଭଳି ଆଜି ଖଣ୍ଡଗିରି ଥାନା ପୁଲିସ ଗତ ସପ୍ତାହରେ ଖୋର୍ଧାରୁ ନିଖୋଜ ହୋଇଥିବା ଜଣେ ନାବାଳିକା(୧୪)କୁ ଭରତପୁର ଅଞ୍ଚଳରୁ ଉଦ୍ଧାର କରିଛି। ନାବାଳିକା ଜଣଙ୍କ ଖୋର୍ଧାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ। ତାଙ୍କୁ ତାଙ୍କ ଘରର ଚାକର ଅପହରଣ କରିଥିବା ନେଇ ଖୋର୍ଧା ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ନାବାଳିକା ସହ ଅଭିଯୁକ୍ତ ଚାକରକୁ ଧରି ଖୋର୍ଧା ପୁଲିସ ଜିମା ଦେଇଛି। ସୂଚନାନୁସାରେ ନାବାଳିକା ନିଖୋଜ ହେବା ଦିନଠାରୁ ଚାକର ବି ନିଖୋଜ ଥିଲା। ତେଣୁ ଚାକର ହିଁ ତାଙ୍କ ଝିଅକୁ ଅପହରଣ କରି ନେଇଛିି ବୋଲି ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ। ସେମାନେ ଭୁବନେଶ୍ୱରରେ ଥିବାରୁ କମିସନରେଟ୍‌ ପୁଲିସର ସହଯୋଗ ନିଆଯାଇଥିଲା। ଆଜି ସକାଳୁ ଏକ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଭରତପୁରରେ ସେମାନଙ୍କୁ ଠାବ କରିଥିଲା।

ପ୍ରେମିକର ଠିକଣା ବରମୁଣ୍ଡା ବସ୍‌ଷ୍ଟାଣ୍ଡ
ରବିବାର ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସ୍ଥାନୀୟ ପୁଲିସ ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଜଣେ ନାବାଳିକା(୧୩)କୁ ଉଦ୍ଧାର କରି ଆଜି ଗଞ୍ଜାମ ପୁଲିସକୁ ହସ୍ତାନ୍ତର କରିଛି। ନାବାଳିକା ଜଣଙ୍କ ଗତ ସପ୍ତାହରେ ନିଖୋଜ ହୋଇଥିବା ନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଥିଲା। ସେ ଏକୁଟିଆ ସନ୍ଦେହଜନକ ଅବସ୍ଥାରେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ଦେଖି ଫାଣ୍ଡି ପୁଲିସର ସନ୍ଦେହ ହୋଇଥିଲା। ତେଣୁ ତାକୁ ଥାନାକୁ ଅଣାଯାଇଥିଲା। ପ୍ରଥମେ ନିଜର ପରିଚୟ ଓ ଠିକଣା ଲୁଚାଇବା ସହ ସେ ଘରୁ ରାଗିକି ପଳାଇ ଆସିଛି ବୋଲି ସେ କହିଥିଲା। କିନ୍ତୁ ପରେ ସେ ନିଜର ଠିକଣା ବତାଇବା ସହ ପ୍ରେମିକକୁ ଖୋଜିବା ପାଇଁ ଘରୁ ଲୁଚିକି ବରମୁଣ୍ଡା ଚାଲି ଆସିଥିଲା ବୋଲି ପରୋକ୍ଷରେ ମାନି ଯାଇଥିଲା।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ତାର କେତେକ ସହଯୋଗୀ ଅପହରଣ କରି ନେଇଛନ୍ତି। ଏ ନେଇ ଛାତ୍ରୀଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶିବୁ ପ୍ରଧାନ ଓରଫ୍‌ ମୁନା ସମେତ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ଶିବୁ ପ୍ରଧାନ ଓ ତାର ସହଯୋଗୀକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଛାତ୍ରୀଙ୍କ ମା’ ଥାନାରେ କରିଥିବା ଅଭିଯୋଗ ମୁତାବକ, ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିବାବେଳେ ତାକୁ ଅପହରଣ କରାଯାଇଛି। ତେବେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତମାନେ ଓଲଟି ଛାତ୍ରୀଙ୍କ ମା’ ଓ ବାପାଙ୍କୁ ଧମକଚମକ ଦେଉଛନ୍ତି। କହୁଛନ୍ତି ତୁରନ୍ତ ଏତଲା ଉଠାଇ ଦିଅ ନଚେତ ତୁମ ଝିଅ ଜୀବନ ପ୍ରତି ବିପଦ ରହିଛି। ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନା ଇନ୍‌ସପେକ୍ଟର ଦୟାନିଧି ନାୟକ କହିଛନ୍ତି, ମୁନା ଓ ତାର ସହଯୋଗୀଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର