ଧୋକ୍କା, ପରକୀୟା ପାଇଁ ଗଡ଼ୁଛି ମୁଣ୍ଡ: ୫ ବର୍ଷରେ ଗଲାଣି ୨୫୦ରୁ ଅଧିକ ଜୀବନ

‘କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଦରକାର’

ଭୁବନେଶ୍ବର: ଜଣଙ୍କ ସହ ସମ୍ପର୍କ ଅଛି, କିନ୍ତୁ ମନ ଆଉ ଜଣଙ୍କ ସାଙ୍ଗରେ ଯୋଡ଼ି ହୋଇଯାଉଛି। କେଉଁଠି ତୁରନ୍ତ ଜଣାପଡ଼ୁଛି ତ ଆଉ କେଉଁଠି ମାସ ମାସ ବର୍ଷ ବର୍ଷ ଧରି ଚାଲୁଛି। ଘଟଣା ସାମ୍ନାକୁ ଆସିବା ପରେ ପବିତ୍ର ସମ୍ପର୍କ, ହିଂସାର ରୂପ ନେଉଛି। ଏଥିପାଇଁ ମୁଣ୍ଡ ବି ଗଡ଼ୁଛି। ଆପଣା ଲୋକର ପ୍ରତାରଣା ସହି ନପାରି କିଏ ଆତ୍ମହତ୍ୟା କରୁଛି ତ ଆଉ କିଏ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ଭଳି ଜଘନ୍ୟ ଅପରାଧ କରି ବସୁଛି। ଭୁବନେଶ୍ବର ଇନ୍‌ଫୋସିଟି ନନ୍ଦନବିହାର ଅଞ୍ଚଳରେ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା, ଏହାର ସଦ୍ୟତମ ଉଦାହରଣ।

ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପ୍ରେମିକାଙ୍କର ବହୁ ଦିନର ସମ୍ପର୍କ ରହିଥିଲା। କିନ୍ତୁ ଯୁବତୀଜଣଙ୍କ ଅନ୍ୟ ଜଣଙ୍କୁ ପ୍ରେମ କରିବା ପରେ ସେମାନଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା। ଏଥିରେ ସୌମ୍ୟରଞ୍ଜନ ମାନସିକସ୍ତରରେ ଏତେ ଭାଙ୍ଗି ପଡ଼ିଲେ ଯେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। ଏପରିକି ସୁଇସାଇଡ୍ ନୋଟ୍‌ରେ ଯୁବତୀଙ୍କ ବିରୋଧରେ ତଦନ୍ତ ପାଇଁ ଉଲ୍ଲେଖ କରିଥିଲେ। ସେହିପରି କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ ନେଇ ନୂଆ ପ୍ରେମିକ ପୁରୁଣା ପ୍ରେମିକକୁ ଛୁରି ଭୁସି ଦେବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭରତପୁର ତାରିଣୀ ବସ୍ତିରେ ବିବାହ କରିବାକୁ ଜିଦ୍ ଧରି ସୁରେଖା ନାମକ ଜଣେ ଯୁବତୀ ବି ଏଇବର୍ଷ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଆତ୍ମହତ୍ୟା ପାଇଁ ଉସୁକାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଭରତପୁର ପୁଲିସ ତିନି ଜଣଙ୍କୁ ବାନ୍ଧିଥିଲା। ତେବେ ଖାଲି ଏଇ ତିନି, ଚାରିଟି ଘଟଣା ନୁହେଁ; ପ୍ରେମକୁ ନେଇ ମୁଣ୍ଡ ଗଡ଼ିବାର ଏମିତି ବହୁ ଅଲୋଡ଼ା ଅଧ୍ୟାୟ ରାଜଧାନୀ ଇତିହାସକୁ କଳଙ୍କିତ କରିଛି। ପ୍ରେମ ସମ୍ପର୍କକୁ ନେଇ ନିଜ ନିଜ ଭିତରେ ଝଗଡ଼ା, ପରକୀୟା ସମ୍ପର୍କକୁ ନେଇ କଳିରୁ ହତ୍ୟା, ଆତ୍ମହତ୍ୟା ଭଳି ବହୁ ଅଘଟଣ ଘଟିଛି। ରାଜ୍ୟରେ ମଧ୍ୟ ପ୍ରତିବର୍ଷ ପ୍ରେମକୁ ନେଇ ଏକାଧିକ ହତ୍ୟାକାଣ୍ଡ ଘଟୁଛି। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଗତ ୫ବର୍ଷ ଭିତରେ ପ୍ରେମକୁ କେନ୍ଦ୍ରକରି ୨୫୦ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୧୭ରୁ ୨୦୨୦, ୪ବର୍ଷ ଭିତରେ ପ୍ରେମଜନିତ ୨୦୩ ହତ୍ୟାକାଣ୍ଡ ଘଟିଛି। ୨୦୨୧ରେ ଏହି ସଂଖ୍ୟା ୫୦ରୁ ଅଧିକ ହେବ ବୋଲି ଜଣାପଡ଼ିଛି।

‘କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଦରକାର’
ଗୋଟିଏ ସମ୍ପର୍କ ଏତେ ଗଭୀର ହୋଇଯାଉଛି ଯେ ଯୁବକଯୁବତୀମାନେ ସେଥିରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ବାପା, ମା’ ଓ ପରିବାର ଲୋକଙ୍କ ସାଙ୍ଗରେ କଥା ହେବା ଦରକାର। ଅତି ଅନ୍ତରଙ୍ଗ ବନ୍ଧୁଙ୍କ ସହ ମଧ୍ୟ ଆଲୋଚନା କରିପାରିବେ। ସେହିପରି ଯଦି କୌଣସି ସମୟରେ ସମ୍ପର୍କ ଭାଙ୍ଗି ଯାଉଛି, ତାହେଲେ ନିଶା ସେବନଠାରୁ ଦୂରେଇ ରହିଲେ ଭଲ। ନିଶା ସେବନ କଲେ ମାନସିକ ସନ୍ତୁଳନ ବିଗିଡ଼ିଯାଏ ଓ ମଣିଷ ନିଷ୍ପତ୍ତି ନେବାରେ ଭୁଲ୍‌ କରିବସେ। ସମ୍ପର୍କ ଭାଙ୍ଗିଲେ, କୌଣସି ଚରମ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ତତଃ ଥରେ ଭଲ ଭାବେ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍‌ ଡ. ଅମ୍ରିତ ପାଟ୍ଟଯୋଶୀ।

କିଛି ଚର୍ଚ୍ଚିତ ଘଟଣା

୨୦୨୧ ଜାନୁଆରି ୨୭
ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ। ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଖଣ୍ଡଗିରି ଜାଗମରା ଅଞ୍ଚଳର ହୋଟେଲରେ ଝରାଫୁଲଙ୍କୁ ହତ୍ୟା କରିବା ପରେ ସହଯୋଗୀଙ୍କ ସହ ମିଶି ମୃତଦେହକୁ ନେଇ ଯାଜପୁରରେ ଫିଙ୍ଗି ଦେଇଥିଲା।

୨୦୨୧ ଫେବ୍ରୁଆରି ୪
ରାଜଧାନୀ ଉପକଣ୍ଠ ଚନ୍ଦକା-ଦାସପୁର ରାସ୍ତାର ଦାସପୁରଠାରେ ମହିଳା ପୁଷ୍ପଲତା ରାଉଳଙ୍କ ମୁଣ୍ଡବିହୀନ ଶବ ମିଳିଥିଲା। ପ୍ରେମିକ ଅଙ୍ଗଦ ଓ ସହଯୋଗୀକୁ ଗିରଫ କରିଥିଲା ପୁଲିସ। ପରକୀୟା ପ୍ରୀତି ପାଇଁ ପୁଷ୍ପଲତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
୨୦୨୧ ଜୁଲାଇ ୭
ପ୍ରେମରେ ବିଫଳ ହେବାରୁ ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂବୋର୍ଡ କଲୋନିରେ ମହିଳାଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା।

୨୦୨୧ ସେପ୍ଟେମ୍ବର ୭
ରୁଚିକା ମାର୍କେଟ୍‌ ମହାବୀର ବସ୍ତିରୁ ସନ୍ଧାରାଣୀ ସେଠୀ ଓରଫ୍‌ ଗୀତାଙ୍କ ଗଳିତ ମୃତଦେହ ମିଳିଥିଲା। ପ୍ରେମିକ ଏହି ହତ୍ୟାକାଣ୍ଡ ଘଟାଇଥିଲା।

୨୦୧୮ ଜୁନ୍‌
ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ବୁଦ୍ଧନଗରରେ ଜଗତ୍‌ସିଂହପୁର ରଘୁନାଥପୁର ଅଞ୍ଚଳର ବୈଜୟନ୍ତ ପ୍ରସାଦ ମହାନ୍ତି ଓରଫ୍ ବିଟୁଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ପ୍ରେମିକା ଓ ତାଙ୍କ ନୂଆ ପ୍ରେମିକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର