ଓକିଲଙ୍କୁ ଆକ୍ରମଣ ଘଟଣାରେ ଆଇନଜୀବୀଙ୍କ ଆନ୍ଦୋଳନ

ପୁରୁଣା ଭୁବନେଶ୍ୱର: କଟକ ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। କୋର୍ଟରେ କାର୍ଯ୍ୟ ବନ୍ଦ ସହ ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା। ରାଜ୍ୟ ଆଇନଜୀବୀ ପରିଷଦର ଆନ୍ଦୋଳନ ଡାକରାରେ ସଂଘ ପକ୍ଷରୁ ଗତକାଲି ଏକ ଜରୁରୀ ବୈଠକ ଡକାଯାଇ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ବହୁ ଆଇନଜୀବୀ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ କଳ୍ପନା ଛକଠାରୁ ପାନ୍ଥ ନିବାସ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ସଂପୃକ୍ତ ବ୍ୟକ୍ତି ଓ ପୁଲିସ ଅଧିକାରୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ଆନ୍ଦୋଳନ ଯୋଗୁଁ ଆଜି ଭୁବନେଶ୍ୱର କୋର୍ଟରେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା। ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ନଦେଇ କୋର୍ଟ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥିରେ ସଂଘର ସଭାପତି ଦୁର୍ଗା ମାଧବ ମିଶ୍ର, ସଂପାଦକ ଅଞ୍ଜନ କୁମାର ସାମନ୍ତରାୟ, ଅଶୋକ କୁମାର ବେହେରା, ଭାଗ୍ୟବତୀ ରାଉତରାୟ ଓ ସଂଘର ସଭ୍ୟ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର