ରାତି ପାହିଲେ ମହାଶିବରାତ୍ରି, ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ଶିବାଳୟଗୁଡ଼ିକ ଚଳଚଞ୍ଚଳ ଦେଖାଯାଇଛି। ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଜାଗରଯାତ୍ରା ଅବସରରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଶିବମନ୍ଦିର ଗୁଡ଼ିକରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏକାମ୍ର କ୍ଷେତ୍ର ସମେତ ଲିଙ୍ଗରାଜ ମନ୍ଦିର ପରିସରରେ ପୁଲିସ ମୁତୟନ ହୋଇଛନ୍ତି। ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଛି।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ କାମ ଶେଷ ହୋଇଥିବା ବେଳେ ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ଵରେ ଚେୟାର ପକାଯାଇଛି। ସେହିପରି ୩ହଜାର ଫୁଲ କୁଣ୍ଡ ଓ ଛୋଟ ଗଛ ରଖାଯାଇଛି।
ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହାଶିବରାତ୍ରି ଅବସରରେ ଆଜି ରାତି ଅଢେଇଟା ପରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ଏହାପରେ ସାହାଣମେଲା ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି ହୋଇ ପୁଣି ଅପରାହ୍ନ ୩ଟା ୪୫ରୁ ୪ଟା ୪୫ମିନିଟ୍ ପର୍ଯ୍ୟନ୍ତ ଏବଂ ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ।
ପୂର୍ବ ବର୍ଷରେ ନୀତି ବିଳମ୍ବ ହୋଇଥିବାରୁ ଚଳିତ ବର୍ଷ ଯେପରି ଠିକଣା ସମୟରେ ଅର୍ଥାତ୍ ରାତି ୧୦ଟାରେ ମହାଦୀପ ଉଠିବ ସେନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି। ଏଣୁ ଅଧିକ ସଂଖ୍ୟକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି।