ରାଜଧାନୀରେ ମୋ ସାଇକେଲ୍‌ ଯୋଜନା କାହିଁକି ସଫଳ ହେଲାନି?

ଭୁବନେଶ୍ୱର :  ରାଜଧାନୀରେ ମୋ ସାଇକେଲ୍‌ ଯୋଜନା ଫେଲ୍‌ ମାରିବା ନେଇ ଜଣେ ବରିଷ୍ଠ ଇଞ୍ଜିନିୟର କହିଛନ୍ତି ଯେ ଭୁବନେଶ୍ବରର ଟପୋଗ୍ରାଫି ରାଜ୍ୟର ଅନ୍ୟ ସବୁ ସହରଠାରୁ ସଂପୂର୍ଣ୍ଣ ଭିନ୍ନ। ଏଠାରେ ହଠାତ୍‌ ଉଚ୍ଚା, ହଠାତ୍ ଖାଲ ରାସ୍ତା ଦେଖିବାକୁ ମିଳେ। ଉଦାହରଣ ସ୍ବରୂପ, ଶିଶୁଭବନ ଛକ ଯେଉଁ ପତ୍ତନରେ ଅଛି, ରାଜମହଲ ଛକ ତାହାଠାରୁ ୨୦ମିଟର ଉଚ୍ଚରେ। ରୁପାଲି ଛକ ଯେଉଁ ପତ୍ତନରେ ଅଛି ରାମମନ୍ଦିର ତା’ଠାରୁ ୨୦ମିଟର ଉଚ୍ଚରେ ଅଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଆରମ୍ଭ କରି କଳ୍ପନା, ସାମନ୍ତରାପୁର ପର୍ଯ୍ୟନ୍ତ ଜୟଦେବ ବିହାରରୁ ଖଣ୍ଡଗିରି ପର୍ଯ୍ୟନ୍ତ, ସିଆରପି ଛକରୁ ଆଇଆରସି ହୋଇ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ସବୁଠି ରାସ୍ତା ବହୁତ ଉଚ୍ଚାନୀଚ୍ଚ‌ା‌ ଅଛି। ଏପରିକି ଜାତୀୟ ରାଜପଥ ଉପରେ ଯେଉଁ ଫ୍ଲାଏଓଭର୍‌ ନିର୍ମାଣ କରାଯାଇଛି ସେଥିରେ ବି ଉଠାଣିଗଡ଼ାଣି ରହିଛି। ଏଥିରେ ସାଇକେଲ୍‌ ଚଳାଇବା କଷ୍ଟକର। ସବୁ ଅଞ୍ଚଳରେ ସାଇକେଲ୍‌ ଚଳାଇବା ପାଇଁ ପ୍ରଯୁଜ୍ୟ ରାସ୍ତା‌ ନାହିଁ। ଯେଉଁଥିପାଇଁ କଟକ, ପୁରୀ ଭଳି ସହରରେ ଏବେ ବି ରିକ୍ସା ଥିବା ବେଳେ ଭୁବନେଶ୍ବରରେ ବହୁ ବର୍ଷ ହେଲା ରିକ୍ସ‌ା ଚଳାଚଳ ବନ୍ଦ ହୋଇଗଲାଣି। ଭୁବନେଶ୍ବରରେ ସାଇକେଲ୍‌ ଚଲାଇଲେ ଜଣେ କମ୍‌ ସମୟରେ ଥକି ଯିବ। ତେଣୁ ଲୋକଙ୍କର ଆଗ୍ରହ ରହୁନି। ସେହିପରି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ବରରେ ତାପମାତ୍ରା ଦିନବେଳା ଅଧିକ ରହିଥାଏ। ଏଠାରେ ଖରାଦିନେ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ହାରାହାରି ତାପମାତ୍ରା ୩୮ଡିଗ୍ରି ରହିଥାଏ। ଏଠାରେ ଅଧିକାଂଶ ଦିନ ତାପମାତ୍ରା ୪୦ଡିଗ୍ରି ଉପରେ ରହିଥାଏ। ତେଣୁ ଲୋକ ସାଇକେଲ୍‌ ଚଲାଇବାକୁ ଅଧିକ ପସନ୍ଦ କରନ୍ତିନି।

ଟାଉନ୍‌ ପ୍ଲାନର୍‌ଙ୍କ କହିବାନୁଯାୟୀ, ରାଜଧାନୀର ରାସ୍ତା, ପାଣିପାଗ ଯାହା, ସେଥି‌ରେ ଲୋକ ସାଇକେଲ୍‌ ଚଲାଇବା କଷ୍ଟକର। ଯାହାର ଗାଡ଼ି ଚଳାଇବାକୁ ସମ୍ବଳ ନାହିଁ, ସେମାନେ ସାଇକେଲ୍‌ ଚଲାଉଛନ୍ତି। କିନ୍ତୁ ଯେଉଁମାନେ ଶାରୀରିକ ବ୍ୟାୟାମ ପାଇଁ ସାଇକେଲ୍‌ ଚଲାଉଛନ୍ତି, ସେମାନେ ଜନପଥ, ଚନ୍ଦ୍ରଶେଖରପୁର ରାସ୍ତା ଜାତୀୟ ରାଜପଥରେ ସାଇକେଲ୍‌ ଚଲାଉ ନାହାନ୍ତି। ଯଦି ଚଲାଉଛନ୍ତି ସେମାନ ବିଭିନ୍ନ ଗଳିକନ୍ଦି ବୁଲି ଚଲାଉଛନ୍ତି। ଯାହାଦ୍ବାରା ଅଧିକ ଉଠାଣି, ଗଡ଼ାଣି ପଡ଼ିବନି। ସେହିପରି ରାଜଧାନୀରେ ଜଣେ ସାଇକେଲ୍‌ ଚଲାଇଲେ ସେ ସୁରକ୍ଷିତ ଭାବେ ଚଲାଇବା ଭଳି କିଛି ବ୍ୟବସ୍ଥା ନାହିଁ। ସ୍ବତନ୍ତ୍ର ଟ୍ରାକ୍‌ ନାହିଁ। ହକି ବିଶ୍ବକପ୍‌ ପୂର୍ବରୁ ରାସ୍ତାରେ ନାଲି ଗାର ମାରି ତିଆରି କରାଯାଇଥିବା ଟ୍ରାକ୍‌‌ରେ ସାଇକେଲ୍‌ ଚଲାଇଲେ ଅଧିକ ଦୁର୍ଘଟଣା ହେଉଛି। ସ୍ମାର୍ଟ ଜନପଥରେ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍ ହେଉଥିଲେ ହେଁ ରାସ୍ତା କାମ ଅଧପନ୍ତରା ହୋଇପଡ଼ିଛି।

ସମ୍ବନ୍ଧିତ ଖବର