ରିମାଣ୍ଡରେ ଆସିଲା ମୋଷ୍ଟୱାଣ୍ଟେଡ୍‌ ଠକ ତୃପ୍ତି, ଆଉ ୬ ନୂଆ ଠକେଇ ଅଭିଯୋଗ

ତଦନ୍ତ ପାଇଁ ଜିଲ୍ଲା ବାହାରକୁ ଯିବ ପୁଲିସ

ଭୁବନେଶ୍ବର : ଓଏଲ୍‌ଏକ୍ସରେ ଗାଡ଼ି ବିକ୍ରି ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ଠକେଇ କରୁଥିବା ମୋଷ୍ଟଵାଣ୍ଟେଡ୍‌ ଠକ ତୃପ୍ତି ରଞ୍ଜନ ଦାସକୁ ଆଜିଠାରୁ ୭ ଦିନିଆର ରିମାଣ୍ଡରେ ଆଣି ବଡ଼ଗଡ଼ ଥାନା ମାରାଥନ୍‌ ଜେରା ଚଳାଇଛି। ଜେରା ବେଳେ ପୁଲିସ ତୃପ୍ତିଠାରୁ ଅନେକ ତଥ୍ୟ ହାସଲ କରିଛି। ରାଜ୍ୟ ବାହାରେ ମଧ୍ୟ ସେ ବିଛାଇଥିବା ଠକାମିର ଜାଲ ସମ୍ବନ୍ଧରେ ପୁଲିସ ସୁରାକ ପାଇଛି। ବାକି ରହିଥିବା ୬ ଦିନ ରିମାଣ୍ଡ ଅବଧିରେ ପୁଲିସ ତାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତା’ ଛଡ଼ା ଠକେଇରୁ ପାଇଥିବା ମୋଟା ଅଙ୍କର ଟଙ୍କା ସେ ଅନ୍ୟ ବ୍ୟବସାୟରେ ଲଗାଇଥିବା ପୁଲିସ ସୁରାକ ପାଇଛି। ସେନେଇ ଖୋଳତାଡ଼ ଚାଲିଥିବା ପୁଲିସ କହିଛି।

ଅନ୍ୟପଟେ ତୃପ୍ତି ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଆଜି ଆଉ ୬ଟି ନୂଆ ଅଭିଯୋଗ ଆସିଛି। ସେମାନଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ତୃପ୍ତି ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀମାନେ ହେଉଛନ୍ତି, କଳାହାଣ୍ଡିର ଅହମ୍ମଦ ମହମ୍ମଦ ଓ ମହେନ୍ଦ୍ର ପଟେଲ, ଢେଙ୍କାନାଳର ନିର୍ମଳ ସାହୁ, କେନ୍ଦୁଝରର ଭିକାରୀ ଦାସ, ସମ୍ବଲପୁରର ଅନିଲ ପଟେଲ ଓ ଯାଜପୁରର ମଙ୍ଗଳ ଜାମ୍‌ଦା। ଏମାନଙ୍କୁ ଗାଡ଼ି ଦେବାକୁ କହି ଓଏଲ୍‌ଏକ୍ସରେ ଗାଡ଼ି ଦେଖାଇଥିଲା। ସେମାନେ ଗାଡ଼ି ପସନ୍ଦ କରିବା ପରେ ଭୁବନେଶ୍ବର ଆସି ଟେଷ୍ଟ ଡ୍ରାଇଭ୍‌ ମଧ୍ୟ କରିଥିଲେ। ଗାଡ଼ି ବାବଦକୁ ଅଗ୍ରୀମ ଦେବା ପରେ ଆଜି କାଲି କହି ସମୟ ଗଡ଼ାଇ ଦେଉଥିଲା ତୃପ୍ତି। ଅହମ୍ମଦ ୩ ଲକ୍ଷ ଟଙ୍କା ଦେଇଥିବା ବେଳେ ମହେନ୍ଦ୍ର ୪ ଲକ୍ଷ, ନିର୍ମଳ ୩ଲକ୍ଷ, ଭିକାରୀ ଲକ୍ଷେ, ଅନିଲ ଓ ମଙ୍ଗଳ ୪ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ଏମାନେ ଅନେକ ଥର ଭୁବନେଶ୍ବର ଆସି ହତାଶ ହୋଇ ଫେରୁଥିଲେ। ଶେଷରେ ‘ଗାଡ଼ି ଦେବିନି, ଯାହା କରୁଛ କର, ଭୁବନେଶ୍ବର ଆସିଲେ ଶବ ମିଳିବନି’ ବୋଲି ଧମକ ଦେଇଥିଲା। ତେଣୁ ଭୟରେ ଏମାନେ ଅଭିଯୋଗ କରିପାରୁ ନ ଥିଲେ। ତୃପ୍ତି ଗିରଫ ହେବା ନେଇ ଗଣମାଧ୍ୟମରୁ ଜାଣିବା ପରେ ସେମାନେ ଆଜି ବଡ଼ଗଡ଼ ଥାନା ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ଆଉ ୬ଟି ମାମଲା ରୁଜୁ କରିଛି। ଏହାକୁ ମିଶାଇ କେବଳ ବଡ଼ଗଡ଼ ଥାନାରେ ୧୨ଟି ମାମଲା ରୁଜୁ ହୋଇଥିବା ବେଳେ ତୃପ୍ତି ନାମରେ ମୋଟ ମାମଲା ସଂଖ୍ୟା ୫୨ରେ ପହଞ୍ଚିଛି। ପୂର୍ବରୁ ସେ ୩ ଥର ଗିରଫ ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି। ତେବେ ଅଭିଯୋଗ ଫର୍ଦ୍ଦ ଆହୁରି ଲମ୍ବା ହେବ ବୋଲି ପୁଲିସ ଅନୁମାନ କରୁଛି। ଅଭିଯୋଗ ବଢ଼ୁଥିବାରୁ ଠକେଇ ପରିମାଣ ମଓ୍ୟ ଦୁଇକୋଟି ପାର ହେବ ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ଚାରିଚକିଆ ଗାଡ଼ି ବିକ୍ରି ନାଁରେ ଲୋକଙ୍କଠାରୁ ଅଗ୍ରୀମ ବାବଦରେ କୋଟି କୋଟି ଟଙ୍କା ଠକିଥିବା ତୃପ୍ତି ନାମରେ ଅଭିଯୋଗ ରହିଥିଲା। ଦୁଇ ଦିନ ତଳେ ବଡ଼ଗଡ଼ ଥାନା ପୁଲିସ ତାକୁ କୋଲକାତାରୁ ଗିରଫ କରିବା ସହ ତା ଠାରୁ ୯ଟି ବୋଲେରୋ ଓ ଗୋଟିଏ କାର୍‌ ଜବତ କରିଥିଲା।

ସମ୍ବନ୍ଧିତ ଖବର