ମୁକ୍ତ ଚିନ୍ତନ ମଞ୍ଚର ଆଲୋଚନାଚକ୍ର: ‘ପରିଚୟ ପାଇଁ ପ୍ରତିବାଦ ଆବଶ୍ୟକ’

ଭୁବନେଶ୍ବର: ଓଡ଼ିଆମାନେ ସ୍ବାର୍ଥ ଛାଡ଼ି କିଛି ସମୟ ନିଜ ଜାତି ବିଷୟରେ ଚିନ୍ତା କଲେ ଏ ଓଡ଼ିଆ ଜାତି ପ୍ରଗତି ପଥରେ ଆଗେଇ ପାରିବ। ନିଜ ପରିଚୟ ପାଇଁ କଠୋର ପ୍ରତିବାଦ କଲେ ଯାଇ ନିଜ ଗୌରବ ଓ ପରିଚୟ ଫେରି ପାଇବ। ‘ମୁକ୍ତ ଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଆନୁକୂଲ୍ୟରେ ଆଜି ଆୟୋଜିତ ‘ଉଠରେ ଉଠରେ ଉତ୍କଳ ସନ୍ତାନ’ ଶୀର୍ଷକ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ଏପରି ମତ ରଖିଥିଲେ।

ଭାରତୀୟ ବିଦ୍ୟାଭବନ ପରିସରରେ ଆୟୋଜିତ ମଞ୍ଚର ଏହି ୧୫୭ତମ ଆଲୋଚନାଚକ୍ରରେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ମଣିଷର ଚେତନାର ୪ଟି ସ୍ତର ରହିଛି; ମାନ, ଅଭିମାନ, ଗର୍ବ ଓ ସ୍ବାଭିମାନ। ଯେତେବେଳେ ମଣିଷ ସ୍ବାଭିମାନ ଛାଡ଼ି ଅଭିମାନ କରିବା ଆରମ୍ଭ କରିଦିଏ, ସେତେବେଳେ ପ୍ରଗତି ସୁପ୍ତ ହୋଇଯାଏ। ନିଜ ପାଖରେ ସବୁ କିଛି ଅଛି ‌ଭାବି ଓଡ଼ିଆ ଜାତି ଅଭିମାନରେ ଶୋଇ ରହିଛି। କିନ୍ତୁ ସମୟ ଆସିଛି, ଆତ୍ମ ବିଶ୍ଲେଷଣର। ନିଜ କଥା ଛାଡ଼ି ଜାତି ପାଇଁ କିଛି କରିବାର। ଏଥିପାଇଁ ନିଜର ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ନିଜ ସାମର୍ଥ୍ୟ ବାହାରକୁ ଯାଇ କାମ କରିବା ସହ ନିଜକୁ ସମୃଦ୍ଧ କରିବା ଆବଶ୍ୟକ। ତେବେ ଯାଇ ଏ ଜାତି ଓ ଏ ରାଜ୍ୟ ସମୃଦ୍ଧ ହୋଇପାରିବ ବୋଲି ଡାକ୍ତର ମହାପାତ୍ର କହିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସାହିତ୍ୟିକ ଦାଶ ବେନହୁର ସମ୍ମାନିତ ବକ୍ତା ଭାବେ ଯୋଗଦେଇ କହିଲେ, ଓଡ଼ିଆ ଜାତି ଏବେ ବି ଶୋଇଛି ବା ବସି ଶୋଇଛି। ବିଭିନ୍ନ ସମୟରେ ଏ ଜାତି ଉପରେ ବାରମ୍ବାର କୁଠାରଘାତ କରି ଏହାର ମନୋବଳକୁ ଭାଙ୍ଗି ଦିଆଯାଇଛି। ଏହି ଜାତି ଉଠି ଠିଆ ହେବାକୁ ୪ଟି ଉପାଦାନ ଆବଶ୍ୟକ। ଓଡ଼ିଶାର ଇଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଆ ଭାବ, ନିଜର ଭାଷା ଓ ଐତିହ୍ୟ। ଏସବୁ ନେଇ ସଚେତନ ହେଲେ, ଏହାର ପ୍ରଚାର ପ୍ରସାର କଲେ ଓ ଏ ସବୁକୁ ନେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ ହିଁ ଓଡ଼ିଆ ଜାତିର ଉନ୍ନତି ସମ୍ଭବ ବୋଲି ସେ କହିଥିଲେ।

ଅନ୍ୟତମ ବକ୍ତା ସ୍ତମ୍ଭକାର ଅସିତ ମହାନ୍ତି ଓଡ଼ିଆ ଜାତି ପ୍ରତି ବିଭିନ୍ନ ସମୟରେ ବଙ୍ଗାଳିମାନେ କରିଥିବା ଚକ୍ରାନ୍ତର ବିସ୍ତୃତ ବିବରଣୀ ଦେଇଥିଲେ। ରସଗୋଲାଠାରୁ ଆରମ୍ଭ କରି ଜୟଦେବଙ୍କ ପର୍ଯ୍ୟନ୍ତ ନିଜର ବୋଲି ପ୍ରମାଣ କରିବାକୁ ବଙ୍ଗାଳିମାନେ ନୂଆ ଇତିହାସ ଗଢ଼ିଛନ୍ତି। ୱିକିପିଡ଼ିଆରେ ଓଡ଼ିଶାର ରଥଯାତ୍ରାକୁ ପୃଥିବୀର ଦ୍ବିତୀୟ ରଥଯାତ୍ରା ଭାବେ ଉଲ୍ଲେଖ କରିବା ପୁଣି କୋଣାର୍କକୁ ବଙ୍ଗାଳି କାରିଗର ଗଢ଼ିଥିବା ଦାବି କରିବା ଆଦି ବିଭିନ୍ନ ଉପାୟରେ ବଙ୍ଗାଳିମାନେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି। କିନ୍ତୁ ଈଶ୍ବର ଓଡ଼ିଆ ଜାତିକୁ ଐତିହ୍ୟସମ୍ପନ୍ନ କରିବା ସହ ଆମ ପୂର୍ବପୁରୁଷମାନେ ଆମ ପାଇଁ ଗୌରବ ସାଜିଛନ୍ତି। ଆମକୁ ଏହି ପରିଚୟକୁ ଅକ୍ଷୁଣ୍ଣ ରଖିବାକୁ ପଡ଼ିବ। କେହି ଆମ ପରିଚୟକୁ ଚକ୍ରାନ୍ତ କରି ଆମଠାରୁ ଛଡ଼ାଇନେବାକୁ ଚାହିଁଲେ କଠୋର ପ୍ରତିବାଦର ସହ ତାକୁ ଛଡ଼ାଇ ଆଣିବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ଅବସରରେ ମଞ୍ଚର ବିଷୁବ ସଂଖ୍ୟା ‘ଦିଗ୍‌ବଳୟ’ ଲୋକାର୍ପିତ ହୋଇଥିଲା। ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଓ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର