ନିଶା ପାଇଁ ସ୍ତ୍ରୀ ହତ୍ୟା, ଘାଟିକିଆ ସ୍ତବ୍ଧ

ଅଲୋଡ଼ା ହେଲା କନ୍ୟାରତ୍ନ, ଝିଅ ଜନ୍ମ ଚିନ୍ତା ନିଶାକୁ ବଳିଗଲା

ଭୁବନେଶ୍ବର: ଗୁରୁବାର ସକାଳୁ ସକାଳୁ ଘାଟିକିଆ ଗାଁ ସ୍ତବ୍ଧ ହୋଇଯାଇଥିଲା। ଘାଟିକିଆ ସାଇମନ୍ଦିର ନିକଟସ୍ଥ ପ୍ଲଟ୍ ନମ୍ବର ୬୧୭୭ ନିକଟକୁ ଲୋକଙ୍କ ସୁଅ ଛୁଟିଥିଲା। କନକଲତା ଦାଶଙ୍କ ପରିବାର କାନ୍ଦବୋବାଳିରେ ଫାଟିପଡ଼ୁଥିଲା। ୪ ଦିନ ପୂର୍ବେ ଝିଅଟିଏ ଜନ୍ମ ଦେଇଥିବା କନକଲତାଙ୍କ ମଝିଆ ବୋହୂର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଶୋଇବା ଘରେ ପଡ଼ିଥିଲା। କନକଲତାଙ୍କ ନିଶାଡ଼ି ମଝିଆ ପୁଅ ସଞ୍ଜିତ ନିଜେ ଛୁରି ଭୁସି ସ୍ତ୍ରୀ ସରସ୍ବତୀଙ୍କୁ ହତ୍ୟା କରିଥିଲା। ଏମିତିକି ନରପିଶାଚ ସଞ୍ଜିତ କବଳରୁ ବର୍ତ୍ତିନଥିଲା ୫ ବର୍ଷର ବଡ଼ଝିଅ ପରୀ। ସଞ୍ଜିତ ଛୁରିରେ ପରୀର ବେକକୁ କାଟି ପକାଇଥିଲା। କିନ୍ତୁ ଭାଗ୍ୟକୁ ସେ ବଞ୍ଚିଥିଲା। ନିଶା ପାଇଁ ପୂର୍ବରୁ ସରସ୍ବତୀଙ୍କୁ ମାରଧର୍‌ କରୁଥିବା ସଞ୍ଜିତ ଶେଷରେ ଏଭଳି ନାରକୀୟ କାଣ୍ଡ ଘଟାଇବ ବୋଲି କେହି ବିଶ୍ବାସ କରୁନଥିଲେ ମଧ୍ୟ କଥା ସତ ଥିଲା।

ବଡ଼ ଭୟଙ୍କର ଥିଲା ଆକ୍ରମଣ


ସୂଚନାନୁସାରେ ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଥିଲା। କୌଣସି କାରଣରୁ ସଞ୍ଜିତ ସ୍ତ୍ରୀ ସରସ୍ବତୀଙ୍କୁ ଛୁରିରେ ଆକ୍ରମଣ କରିଥିଲା। ସରସ୍ବତୀଙ୍କ ମୃତଦେହରୁ ମିଳିଥିବା କ୍ଷତ ଚିହ୍ନରୁ ଏହା ସ୍ପଷ୍ଟ ହୋଇଛି। ମୃତଦେହଟି ଏକ ସୋଫା ତଳେ ପଡ଼ି ରହିଥିବା ବେଳେ ହାତ, ଗୋଡ଼, ପେଟ, ପିଠି, ମୁହଁରେ ଗଭୀର କ୍ଷତ ଚିହ୍ନ ରହିଛି। ପ୍ରାୟ ୧୦ରୁ ଅଧିକ କ୍ଷତ ଚିହ୍ନ ଥିବାରୁ ସଞ୍ଜିତ କେତେ ଭୟଙ୍କର ଭାବେ ଆକ୍ରମଣ କରିଛି, ଜଳଜଳ ହୋଇ ଦେଖାଯାଉଛି। ସେହିଭଳି ମୃତଦେହ ସୋଫା ତଳେ ପଡ଼ିଥିବାରୁ ଜୀବନ ବଞ୍ଚାଇବାକୁ ବିକଳରେ ସରସ୍ବତୀ ଘୁଷୁରି ଘୁଷୁରି ଯାଇଥିବା ଜଣାପଡ଼ିଛି। ୪ ଦିନର ଛୁଆଟି କୋଳରେ ଥିଲେ ବି ନିଶାଡ଼ି ସଞ୍ଜିତ ମନରେ ଦୟାମାୟା ଆସିନଥିଲା। ସେହି ଘର ଭିତରେ ବଡ଼ ଝିଅ ପରୀ ଥିଲା। ସଞ୍ଜିତ ତା ବେକକୁ କାଟି ପକାଇଛି। ମାତ୍ର ସୌଭାଗ୍ୟକୁ ସେ ବଞ୍ଚିଯାଇଥିଲା ଓ ସକାଳୁ ପରିବାର ଲୋକେ ଦେଖିବା ବେଳକୁ ସେ ନବଜାତ ଭଉଣୀ ପାଖରେ ବସିଥିଲା। ତା’ ବେକରୁ ରକ୍ତ ବହୁଥିଲେ ବି ସେ ୪ ଦିନର ଭଉଣୀକୁ କମ୍ବଳ ଘୋଡ଼ାଇ ପାଖରେ ନିରବ ହୋଇ ବସିଥିଲା।

ହତ୍ୟା କରି ସେହି ଘରେ ଥିଲା ଜହ୍ଲାଦ ସ୍ବାମୀ

ପ୍ରସୂତି ଅବସ୍ଥାରେ ଥିବାରୁ ସରସ୍ବତୀଙ୍କ ପାଇଁ ଶାଶୁ କନକଲତା ଓ ଦିଅର ମନ୍‌ଜିତଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ତେବେ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସଞ୍ଜିତ ସେମାନଙ୍କ ପାଇଁ ଖାଇବା ନେବାକୁ ଆସିନଥିଲା। କନକଲତା ତାକୁ ଓ ସରସ୍ବତୀଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କେହି କିଛି ଜବାବ୍ ଦେଇନଥିଲେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସନ୍ଦେହ କରି କନକଲତା କିଛି ସମୟ ଅପେକ୍ଷା କରିଥିଲେ ଓ ୧୧ଟା ପରେ ବାଧ୍ୟ ହୋଇ ଦ୍ବିତୀୟ ମହଲାରେ ରହୁଥିବା ସଞ୍ଜିତ ଘରକୁ ଯିବାକୁ ବାହାରିଥିଲେ। ଠିକ୍‌ ସେତିକିବେଳେ ସଞ୍ଜିତ ସିଡ଼ିରେ ତଳକୁ ଓହ୍ଲାଉଥିଲା। ମା’ କନକଲତାଙ୍କୁ ଦେଖି ସେ ସରସ୍ବତୀକୁ ହତ୍ୟା କରିଥିବା ଓ ପରୀର ବେକକୁ ଛୁରିରେ କାଟି ଦେଇଥିବା କହିଥିଲା। ସଞ୍ଜିତ କଥା ଶୁଣିବା ପରେ କନକଲତାଙ୍କ ମୁଣ୍ଡ ଘୁରାଇ ଦେଇଥିଲା। ସେ ଚିତ୍କାର କରି ଉପରମହଲରେ ରହୁଥିବା ବଡ଼ବୋହୂ ଓ ତଳ ମହଲାରେ ରହୁଥିବା ସାନ ବୋହୂଙ୍କୁ ଡାକ ପକାଇଥିଲେ। ପରିବାର ଲୋକେ ଧାଇଁ ଆସି ସଞ୍ଜିତ ଘରକୁ ଯିବା ପରେ ଯାହା ଦେଖିଥିଲେ, ସମସ୍ତଙ୍କୁ ଗୋଡ଼ ତଳୁ ମାଟି ଖସିଯାଇଥିଲା। ସେମା‌ନେ ତୁରନ୍ତ ପରୀ ଓ ୪ ଦିନର ଛୁଆକୁ ଉଠାଇ ନେଇଥିଲେ। ଖବର ପାଇ କନକଲତାଙ୍କ ଦୁଇ ପୁଅ ଘରକୁ ‌ଆସିଥିଲେ ଓ ପୁଲିସକୁ ଖବର ଦେବା ସହ ତୁରନ୍ତ ପରୀକୁ ନେଇ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ହତ୍ୟା ପରେ କାଉଣ୍ଟର୍‌ରୁ ମଦ କିଣି ପିଇଥିଲା ସଞ୍ଜିତ


ପତ୍ନୀ ସରସ୍ବତୀକୁ ହତ୍ୟା କରିବା ପରେ ସଞ୍ଜିତ ଏ ବାବଦରେ ମା କନକଲତାଙ୍କୁ ଜଣାଇଥିଲା। କହିଥିଲା, ‘ତୋ ବଡ଼ ବୋହୂକୁ ହତ୍ୟା କରିଦେଇଛି, ପରୀର ଗଳା କାଟିଦେଇଛି। କିନ୍ତୁ ସେ ବଞ୍ଚିଛି’। କନକଲତା ଦିଅର ଓ ଅନ୍ୟ ପରିବାର ଲୋକଙ୍କୁ ଡାକିବା ଦେଖି ସଞ୍ଜିତ ଘର ଛାଡ଼ି ସିଧା ଘାଟିକିଆରେ ଥିବା ମଦ ଦୋକାନ ଆଡ଼କୁ ଯାଇଥିଲା। କାଉଣ୍ଟର୍‌ରୁ ମଦ କିଣି ପିଇବା ପରେ ସେ ଟେଲିକମ୍ ଟାଵାର୍ ଆଡ଼କୁ ପଳାଇଥିଲା। ଭରତପୁର ଥାନା ପୁଲିସ ସ୍ଥାନୀୟ ଲୋକଙ୍କୁ ସଞ୍ଜିତ କୁଆଡ଼େ ଯାଇଛି ବୋଲି ପଚାରିଥିଲା ଏବଂ ଖୋଜି ଖୋଜି ଘାଟିକିଆ ମଦ କାଉଣ୍ଟର୍ ନିକଟରେ ପହଞ୍ଚିଥିଲା। ପରେ ସେଠାରୁ ସିସିଟିଭି ଫୁଟେଜ୍ ଦେଖି ଜାଣିବାକୁ ପାଇଥିଲା ଯେ ସେ ଟେଲିକମ୍ ଟାଵାର୍ ଆଡ଼କୁ ଯାଇଛି। ଟେଲିକମ୍ ଟାଵାର୍ ପାଚେରି ନିକଟରେ ବସିଥିବା ବେଳେ ପୁଲିସ ତାକୁ ମାଡ଼ିବସିଥିଲା।

ନିଶା ଉଜାଡ଼ିଲା ପରିବାର

ଗତକାଲି ରାତିରେ କେଉଁ କାରଣରୁ ସଞ୍ଜିତ ଏଭଳି ଅଭାବନୀୟ କାଣ୍ଡ ଭିଆଇଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପରିବାର ଲୋକେ ଓ ଗାଁ ଲୋକଙ୍କ ସୂଚନାନୁସାରେ ଏହା ସଞ୍ଜିତର ନିଶାସକ୍ତ କାରଣରୁ ଘଟିଛି। ମା’ କନକଲତା, ବଡ଼ଭାଇ ରଞ୍ଜିତ ଓ ସାନଭାଇ ମନ୍‌ଜିତ୍ ଏବଂ ସରସ୍ବତୀଙ୍କ ଭାଇ ଶଶିକାନ୍ତଙ୍କ କଥାରୁ ଏହି ସଞ୍ଜିତର ନିଶାଖିଆ କାରଣରୁ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଦୀର୍ଘ ବର୍ଷ ହେଲା ସଞ୍ଜିତ ନିଶାସକ୍ତ ହୋଇପଡ଼ିଥିଲା। ମଦ, ବ୍ରାଉନ୍‌ସୁଗାର ଓ ଚରସ୍ ଭଳି ନିଶା ଖାଉଥିଲା। ବଡ଼ଭାଇ ରଂଜିତ ତାକୁ ଦୁଇ ଦୁଇ ଥର କୋଳଥିଆ ଓ ଗଣ୍ଡମୁଣ୍ଡାସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସଞ୍ଜିତ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ନିଶା ଖାଇବା ପାଇଁ ସେ ନିଜ ଭାଗ ସମ୍ପତ୍ତି ବିକିବା ସହ ଘରୁ ଗାଡ଼ି ଓ ଗହଣା ସବୁ ବିକି ଦେଇଥିଲା। ୨୦୧୫ ମସିହାରେ ସେ ସରସ୍ବତୀଙ୍କୁ ବିବାହ କରିଥିଲା। ବଡ଼ ଝିଅ ପରୀ ଜନ୍ମ ନେଲା। ତଥାପି ସେ ନିଶା ସେବନରୁ ବିରତ ହେଲା ନାହିଁ। ସରସ୍ବତୀ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ବ୍ରାଉନ୍‌ସୁଗାର ଖାଇବାକୁ ସରସ୍ବତୀ ଟଙ୍କା ନଦେବାରୁ ସଞ୍ଜିତ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲା। ଏମିତିକି ଜୋର୍ ଜବରଦସ୍ତ ତାଙ୍କ ଏଟିଏମ୍ କାର୍ଡ ଛଡ଼ାଇ ନେଇଥିଲା। ତେଣୁ ସେମିତି କିଛି କାରଣରୁ ଗତ ରାତିରେ ସେ ଉତ୍‌କ୍ଷିପ୍ତ ହୋଇ ପିଶାଚ ପାଲଟିଯାଇଥିବା କୁହାଯାଉଛି।

ପରୀ ପାଇଁ ବଞ୍ଚିଗଲା ଭଉଣୀ

ମା’କୁ ବଞ୍ଚାଇବାକୁ ଯାଇ ପରୀ ଆକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି। ସଞ୍ଜିତ ଯେତେବେଳେ ସରସ୍ବତୀଙ୍କୁ ଆକ୍ରମଣ କରୁଥିଲା, ପରୀ ପ୍ରତିରୋଧ କରିଛି। ତେଣୁ ରାଗରେ ସଞ୍ଜିତ ପରୀ ଗଳାରେ ଛୁରି ଲଗାଇ ଦେଇ ଭୟଭୀତ କରାଇଛି। ଏହା ପରେ ପରୀ ନବଜାତ ଭଉଣୀ ପାଖରେ ବସି ତାକୁ କମ୍ବଳ ଘୋଡ଼ାଇ ଦେଇଛି ଓ ନିଜେ ଆହତ ହେବା ସତ୍ତ୍ବେ ଜଗି ବସିଛି। ତେଣୁ ସରସ୍ବତୀଙ୍କୁ ହତ୍ୟା କରିବା ପରେ ସଞ୍ଜିତ ପରୀକୁ ଦେଖି ନିଜକୁ ସମ୍ଭାଳି ନେଇଛି ଓ ଆଉ କାହାକୁ ଆକ୍ରମଣ କରିବା ପାଇଁ ଚିନ୍ତା କରିନାହିଁ। ଫଳରେ ଯେଉଁ ଦ୍ବିତୀୟ ଝିଅ ପାଇଁ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା, ତା’ର ବି କିଛି କ୍ଷତି କରିନାହିଁ। ତେଣୁ ପରୀ ପାଇଁ ଭଉଣୀର ଜୀବନ ରକ୍ଷା ହୋଇପାରିଛି ବୋଲି ଗାଁରେ ଆଲୋଚନା ହେଉଛି।

ଦ୍ବିତୀୟ କନ୍ୟା କାଳ ହେଲା!


ବିବାହର ବର୍ଷକ ପରେ ଅର୍ଥାତ୍ ୨୦୧୬ରେ ସରସ୍ବତୀ ବଡ଼ ଝିଅ ପରୀକୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ହେବାରୁ ସରସ୍ବତୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା ସଞ୍ଜିତ। କାହିଁକି ଝିଅ ଜନ୍ମ ହେଲା ବୋଲି କହି ମାରଧର୍ କରୁଥିଲା। ଏବେ ପୁଣି ଏକ ଝିଅ ଜନ୍ମ ହେବାରୁ ସଞ୍ଜିତର ମୁଣ୍ଡ ବିଗିଡ଼ିଯାଇଥିଲା। ବାପଘର ଲୋକେ ଏହି ଝିଅକୁ ନେଇଯାଆନ୍ତୁ ବୋଲି ସେ ସରସ୍ବତୀଙ୍କୁ କହୁଥିଲା ଓ ଝଗଡ଼ା କରୁଥିଲା। ଏମିତିକି ଏହି ଦ୍ବିତୀୟ ଝିଅକୁ ନନେଲେ, ସେ ସରସ୍ବତୀକୁ ଜୀବନରୁ ମାରିଦେବ ବୋଲି ଶ୍ବଶୁର ଘର ଲୋକଙ୍କୁ ଧମକ ଦେଇଥିଲା। ମାତ୍ର ସରସ୍ବତୀ ଏହାକୁ ବିରୋଧ କରୁଥିଲେ। ତେଣୁ ପୂର୍ବରୁ ଦେଇଥିବା ହତ୍ୟା ଧମକ ଅନୁସାରେ ସଞ୍ଜିତ ଏଭଳି କାଣ୍ଡ କରି ବସିଲା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର