ଓଡ଼ିଶା ଖଦି ମେଳା ହୋର୍ଡିଂ ହଟାଇଲା ବିଏସ୍‌ସିଏଲ୍‌

ଟ୍ରାନ୍‌ସ୍‌ଫର୍ମର କଡ଼ରୁ ହଟିବ କେବେ?

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆୟୋଜିତ ହୋଇଥିବା ଓଡ଼ିଶା ଖଦି ମେଳାର ବିଜ୍ଞାପନ ଫଳକ ସ୍ମାର୍ଟ ଜନପଥରେ ଲାଗିଥିଲା। ଖଦି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବୋର୍ଡ ପରିସରରେ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୨୩ ଯାଏ ଚାଲିବାକୁ ଏହି ବୋର୍ଡରେ ସୂଚନା ଦିଆଯାଇଥିଲା। ଜନପଥ ମେଡିଆନ୍‌ରେ ଏଗୁଡ଼ିକ ବେଆଇନ ଭାବରେ ଲାଗିଥିବାରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଏଗୁଡ଼ିକୁ ଆଜି ହଟାଇ ଦିଆଯାଇଥିବା ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ତା’ ସହିତ ଏଭଳି ବେଆଇନ ଭାବେ ହୋର୍ଡିଂ ନ ଲଗାଇବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଟ୍ବିଟ୍‌ ଯୋଗେ ସୂଚନା ଦିଆଯିବା ପରେ ଅନେକେ ଏହାକୁ ପ୍ରସଂଶା କରିଛନ୍ତି। କେତେକ ଖଦି ବୋର୍ଡ ନାମରେ ଏତଲା ଦେବା ସହ ମୋଟା ଅଙ୍କର ଜରିମାନା କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି ହେଲେ କେହି ରାତି ଅଧିଆ ବେଆଇନ ଭାବରେ ହୋର୍ଡିଂ ଲଗାଇ ସହରକୁ ଅସୁନ୍ଦର କରିବାକୁ ସାହସ କରିବେ ନାହିଁ ବୋଲି କହିଛନ୍ତି। କେତେକ ବିଏମ୍‌ସିର ଦୃଷ୍ଟାନ୍ତ ଦେଇଛନ୍ତି। ବିଏମ୍‌ସି ଯେଭଳି କାନ୍ଥବାଡ଼ରେ ପୋଷ୍ଟର ଲଗାଇଲେ ଏତଲା ଦେଉଛି ଠିକ୍‌ ସେହିଭଳି ତୁରନ୍ତ ବୋର୍ଡ ନାମରେ ଏତଲା ଦିଆଯାଉ ବୋଲି ଲେଖିଛନ୍ତି। ବଡ଼କଥା ହେଉଛି ଖୋଦ୍‌ ବିଏସ୍‌ସିଏଲ୍‌ ବେଆଇନ ଭାବରେ ବିନା ଟେଣ୍ଡରରେ ଜନପଥରେ ବେଆଇନ ହୋର୍ଡିଂ ଲଗାଇଛି। ଶହ ଶହ ହୋର୍ଡିଂରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି। କେବଳ କିଓସ୍କ ଉପରେ ହୋର୍ଡିଂ ଲଗାଇବାକୁ ଟେଣ୍ଡର ହୋଇଥିବା ବେଳେ ଜନପଥ କଡ଼ରେ ଥିବା ଟ୍ରାନ୍‌ସ୍‌ଫର୍ମର ଚାରିପାଖେ ହୋର୍ଡିଂ ଲଗାଇଛି। ଏ ସବୁ ବେଆଇନ ହୋର୍ଡିଂ କେବେ ହଟିବ ବୋଲି ଅନେକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର