ଡିଜିଟାଲ୍‌ ମଞ୍ଚରେ ସରିଲା ଓଡ଼ିଶୀ ନୃତ୍ୟ ଉତ୍ସବ ‘ବର୍ଣ୍ଣାଳି’

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ର ବାର୍ଷିକ ଉତ୍ସବ ‘ବର୍ଣ୍ଣାଳି-୨୦୨୧’ ଗତ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଡିଜିଟାଲ୍ ପ୍ଲାଟଫର୍ମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଫେସ୍‌ବୁକ ଓ ୟୁଟୁବ୍‌ ମାଧ୍ୟମରେ ବହୁ ସଂଖ୍ୟାରେ ଦର୍ଶକ ଦେଖିବାର ସୁଯୋଗ ପାଇଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ରୁଦ୍ରପ୍ରସାଦ ସ୍ବାଇଁ, ଅନନ୍ୟା ପରିଡ଼ା, ଗୁଞ୍ଜନ ଡ୍ୟାନ୍ସ ଏକାଡେମିର କଳାକାରବୃନ୍ଦ, ଆଶା କୁମାରୀ, ଆଶୁତୋଷ ପରିଡ଼ା, ଚିନ୍ମୟ ସାହୁ, ନୂପୂର୍, ମୀତାଲି ପ୍ରିୟା ଗିରି, ଐଶ୍ବର୍ଯ୍ୟା ସଂଦେବ, ରୀତା ବରୁଆ, ପ୍ରୀତିଶା ମହାପାତ୍ର ଓ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ବୃନ୍ଦ ମର୍ଦ୍ଦଳ ବାଦନରେ ବାଦ୍ୟ ବାଣୀ ଗୁରୁକୁଳ, ଏକକ ବଂଶୀ ବାଦନରେ ଗୁରୁ ଜବାହର ମିଶ୍ର ଓ ଓଡ଼ିଶୀ ସଙ୍ଗୀତ ଗାୟନରେ ମାତୃପ୍ରସାଦ ଦାସ ଓ ହିମାଂଶୁ ଶେଖର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରଥମ ଦିନ ଜଗନ୍ନାଥ ସଂସ୍କୃତି ଗବେଷକ ରାଜେନ୍ଦ୍ର କୁମାର ମହାନ୍ତି, ଦ୍ୱିତୀୟ ଦିନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ ଏବଂ ତୃତୀୟ ଦିନ ବରିଷ୍ଠ ଚିକିତ୍ସକ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତିନି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ରୋହିତ ପ୍ରଧାନଙ୍କ ତତ୍ତ୍ବାବଧାନରେ ଇଂ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର