ଅଫଲାଇନ୍ ପରୀକ୍ଷା ବନ୍ଦ ଦାବିରେ ଛାତ୍ର ଅଶାନ୍ତି: ଓୟୁଏଟି, ବିଜେବି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଧାରଣା, ବିକ୍ଷୋଭ

ଭୁବନେଶ୍ବର: ଅଫ୍‌ଲାଇନ୍‌ ପରୀକ୍ଷା ଓ ପାଠପଢ଼ା ବନ୍ଦ ଦାବିରେ ଭୁବନେଶ୍ୱରର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ରେ ରହୁଥିବା କିଛି ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସାନିଟାଇଜ୍‌ କରାନଯାଇ ପାଠପଢ଼ା ଓ ପରୀକ୍ଷା କରାଯାଉଛି। ଏହାଦ୍ବାରା ଅନ୍ୟ ଛାତ୍ରଛାତ୍ରୀମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସବୁ ବିଭାଗର ଛାତ୍ରଛାତ୍ରୀ ମିଳିତ ଭାବେ ଏ ସଂପର୍କିତ ଏକ ଦାବିପତ୍ର କୁଳପତିଙ୍କୁ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବି ସମ୍ବନ୍ଧରେ ସରକାରଙ୍କୁ ଚିଠି ଲେଖିବେ ବୋଲି କୁଳପତି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

‌‌ସେହିପରି ସମାନ ଦାବି ନେଇ ବିଜେବି, ରମାଦେବୀ, ରାଜଧାନୀ ଓ ନୂଆପଲ୍ଲୀସ୍ଥିତ ଡ.ଆର୍‌ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ବିଜେବି ମହାବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଏହି ଆନ୍ଦୋଳନରେ ପୂର୍ବତନ ଛାତ୍ର ସଂସଦ ସଭାପତି ଲଗ୍ନଜିତ ପାତ୍ରଙ୍କ ସମେତ ଅଜିତ ବେହେରା,ଶିବବ୍ରତ ନାୟକ, ଅମିତ ବିକ୍ରମ ନାୟକ, ରାହୁଲ ଘୋଷ ପ୍ରମୁଖ ଛାତ୍ରଛାତ୍ରୀ ସାମିଲ ଥିଲେ। ‌‌‌‌ସେହିପରି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମିଷ୍ଟର୍‌ ସ୍ଥଗିତ ରଖିବା ପାଇଁ କୁଳପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଆସନ୍ତା ୧୬ ତାରିଖରୁ ବିଶ୍ୱବିଦ୍ୟାଳୟରେ ପଞ୍ଚମ ସେମିଷ୍ଟର୍‌ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ବାତିଲ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହାବ୍ୟତୀତ ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରିତ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

 

ସମ୍ବନ୍ଧିତ ଖବର