ଜେସିବିରେ ପାଚେରି ଭାଙ୍ଗି ଜଣେ ଗିରଫ

ମହିଳାଙ୍କ ମୃତ୍ୟୁ ମାମଲାରେ ସ୍ବାମୀ ଗିରଫ

ଭୁବନେଶ୍ବର : ରାତିରେ ଜେସିବି ଲଗାଇ ପାଚେରି ଭାଙ୍ଗିବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ ବେଗୁନିଆ ଅଞ୍ଚଳର ସେଖ୍‌ ନଇମ୍‌(୫୨)କୁ ଗିରଫ କରିଛି। ତା’ଠାରୁ ଗୋଟିଏ ଜେସିବି ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସୂଚନା ମୁତାବକ, କୌଣସି କାରଣକୁ ନେଇ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ମାରିୟାମ ବିବିଙ୍କ ପରିବାର ସହ ନଇମ୍‌ର ବିବାଦ ଲାଗି ରହିଥିଲା। ଗତ ୬ତାରିଖ ରାତିରେ ମାରିୟାମ ପରିବାର ଘରେ ଶୋଇଥିବା ସମୟରେ ନଇମ୍‌ ଓ ତାର କେତେଜଣ ସହଯୋଗୀ ଏକ ଜେସିବି ମେସିନ ସହାୟତାରେ ତାଙ୍କ ଘରର ଗେଟ ଏବଂ ପାଚେରି ଭାଙ୍ଗି ଭିତରେ ପଶିଥିଲେ। ବିରୋଧ କରିବାରୁ ଅଭିଯୁକ୍ତ ଏବଂ ସହଯୋଗୀମାନେ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ମରଣାସ୍ତ୍ର ଦେଖାଇ ଧମକ ଦେଇଥିଲେ। ଏନେଇ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

ମହିଳାଙ୍କ ମୃତ୍ୟୁ ମାମଲାରେ ସ୍ବାମୀ ଗିରଫ

ଭୁବନେଶ୍ବର : କୋଳଥିଆ ଅଞ୍ଚଳରୁ ମଧୁସ୍ମିତା ଜେନାଙ୍କ ମୃତଦେହ ଜବତ ଘଟଣାରେ ଭରତପୁର ଥାନା ପୁଲିସ ସ୍ବାମୀ ଆଲୋକ ସାହୁ(୩୪)କୁ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଦୁଇ ବର୍ଷ ତଳେ ମଧୁସ୍ମିତା ଆଲୋକଙ୍କୁ ବିବାହ କରିଥିଲେ। ଆଲୋକ ଖଣ୍ଡଗିରି କୋଳଥିଆ ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ। ଅଧିକ ଯୌତୁକ ଦାବି କରି ଆଲୋକ ପତ୍ନୀଙ୍କୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ। ଏମିତିକି ସେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ଏହାକୁ ମଧୁସ୍ମିତା ବିରୋଧ କରୁଥିଲେ। ଫଳରେ ତାଙ୍କୁ ଜୀବନରୁ ମାରିଦେବାକୁ ଆଲୋକ ଧମକ ଦେଇଥିଲେ। ମଧୁସ୍ମିତାଙ୍କ ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଆଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର କିଛି ଫରକ ପଡ଼ିନଥିଲା। ଗତ ୨୫ ତାରିଖରେ ମଧୁସ୍ମିତାଙ୍କ ମୃତଦେହ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର